ଆମ୍ବୁଲାନ୍‌ସ ଯାଉଛି ଯାଉଛି କହି ରାତି ୨ ବାଜିଲା : ଛଟପଟ ହୋଇ ପ୍ରାଣ ଚାଲିଗଲା

କୋଭିଡ୍‌ ଚିକିତ୍ସା ବ୍ୟବସ୍ଥା ଏମିତି !

ଭୁ‌ବନେଶ୍ୱର : କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତରରେ ବିଳମ୍ବ ହେଲା। ସେପଟେ ରେଗୀଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲାନି। ସ୍ୱାମୀଙ୍କ ଆଖି ଆଗରେ ଛଟପଟ ହେଲେ ସ୍ତ୍ରୀ। ଶେଷରେ କୋଭିଡ୍‌ ହସ୍ପିଟା‌ଲରେ ଚାଲିଗଲା ଜୀବନ।

ପତ୍ନୀ କରୋନା ଆକ୍ରାନ୍ତ ସୂଚନା ପାଇବା ପରେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ସ୍ୱାମୀ ବିଏମ୍‌ସିକୁ ଯୋଗାଯୋଗ କରିଥିଲେ। ଆମ୍ବୁଲାନ୍‌ସ କିଛି ସମୟରେ ପହଞ୍ଚିବ ବୋଲି କୁହାଯାଇଥିଲା। ଏପଟେ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଉଥିବା ଦେଖି ଚନ୍ଦ୍ରଶେଖରପୁର ଏମ୍‌ଆଇଜି-୨ ଫେଜ୍-୧ ଅଞ୍ଚଳର ରମେଶ ମିଶ୍ର କଷ୍ଟେମଷ୍ଟେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ କରୋନା ସଂକ୍ରମିତଙ୍କ ପାଇଁ ଆଇସୋଲେସନ୍‌ ୱାର୍ଡରେ ମହିଳାଙ୍କୁ ଭର୍ତି କରାଯାଇଥିଲା। ନିଶ୍ବାସ ପ୍ରଶ୍ବାସରେ କଷ୍ଟ ହେଉଥିବା ଦେଖି ତାଙ୍କୁ ନେବୁଲାଇଜର ଯୋଗାଇ ଦିଆଯାଇଥିଲା। ପରେ ହସ୍ପିଟାଲରେ ଥିବା ଜଣେ ଷ୍ଟାଫ ନର୍ସ ଆକ୍ସିଜେନ୍ ଦେଇଥିଲେ। ହେଲେ ସେଥିରେ ଅକ୍ସିଜେନ୍ ଠିକ୍ ଭାବେ ଯାଉ ନଥିବା ରମେଶ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ବିକଳ ହୋଇ ରାଜ୍ୟ ସରକାରଙ୍କ ଏକାଧିକ ନମ୍ବରକୁ ଯୋଗାଯୋଗ କରିଥିଲେ।

ବିଏମ୍‌ସି ଶୁଣିଲାନି, କ୍ୟାପିଟାଲ ହସ୍ପିଟାଲରେ ପଚାରିଲେନି
କେତେ ଅବ୍ୟବସ୍ଥା ପରେ ଚେତିବେ?

ବିଏମ୍‌ସି ପକ୍ଷରୁ କୁହାଯାଇଥିଲା ଆମ୍ବୁଲାନ୍‌ସ ଯାଉଛି… ଅଧ ଘଣ୍ଟାରେ ପହଞ୍ଚିବ। ଏମିତି ଭାବେ ରାତି ୨ଟା ହୋଇଯାଇଥିଲା। ସେପଟେ ପତ୍ନୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡ଼ିବା ବେଳେ ରାତି ସାଢ଼େ ୨ଟାରେ ଏକ ଆମ୍ବୁଲାନ୍‌ସ ଆସିଲା। ସେଥିରେ ମଧ୍ୟ ଅକ୍ସିଜେନ୍‌ ଠିକ୍‌ରେ କାମ କରୁ ନଥିଲା। ଏମିତି ଛଟପଟ ହୋଇ ଶେଷରେ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେଲେ ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ସେଠାରେ ମହିଳାଙ୍କ ପ୍ରାଣବାୟୁ ଉଡ଼ିଗଲା। ଏ ହେଉଛି ରାଜଧାନୀରେ କୋଭିଡ୍‌ ପରିଚାଳନାର ବିକଳ ଚିତ୍ର। ବିଏମ୍‌ସିଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ସମସ୍ତେ କୋଭିଡ୍‌ ପରିଚାଳନାରେ ଲାଗିଛନ୍ତି ହେଲେ ବ୍ୟବସ୍ଥାରେ ସୁଧାର ଆସୁନି।

ବାରମ୍ବାର ଅନୁରୋଧ ସତ୍ତ୍ବେ ତାଙ୍କ ସ୍ତ୍ରୀଙ୍କୁ ଆମ୍ବୁଲାନ୍ସ ନ ମିଳିବାରୁ ଶ୍ରୀ ମିଶ୍ର ଗତକାଲି ରାତି ୨ଟା ବେଳେ ‘ସମ୍ବାଦ’ ପ୍ରତିନିଧଙ୍କୁ ଯୋଗାଯୋଗ କରିବା ସହ ସାହାଯ୍ୟ ଲୋଡ଼ିଥିଲେ। ଏହାପରେ ରାତି ସାଢ଼େ ୨ଟାରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଦିନ ପ୍ରାୟ ୧୧ଟାରେ ରୋଗୀଙ୍କ ସମ୍ପର୍କରେ ଜାଣିବା ପାଇଁ ଅ‌ାମ ପ୍ରତିନିଧି ସଂପୃକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ସେ ପତ୍ନୀଙ୍କ ଦାହ ସଂସ୍କାର ପାଇଁ ସତ୍ୟନଗର ଶ୍ମଶାନରେ ଥିବା କହିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଥିବା ସମୟରେ ଯଦି ତାଙ୍କ ପତ୍ନୀଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇଥାନ୍ତା ତା’ହେଲେ ହୁଏତ ସିଏ ବଞ୍ଚିଥାନ୍ତେ ବୋଲି କୋହଭରା କଣ୍ଠରେ ଶ୍ରୀ ମିଶ୍ର କହିଛନ୍ତି। କରୋନା ଚିକିତ୍ସା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଥିବା କହୁଛନ୍ତି, ହେଲେ ଦରକାର ସମୟରେ କେହି ଶୁଣୁ ନାହାନ୍ତି ବୋଲି ସେ କହିଛନ୍ତି।

ମାର୍ଚ ମାସରୁ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେଲାଣି। ଖୋର୍ଧା ଜିଲ୍ଲାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ବିଶେଷକରି ଭୁବନେଶ୍ବରରେ ସଂକ୍ରମଣକୁ ହ୍ରାସ କରିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। ରାଜଧାନୀରେ ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେବା ପାଇଁ ୪୩ଟି ଆମ୍ବୁଲାନ୍‌ସ, କୋଭିଡ୍‌ ହସ୍ପିଟାଲରେ ଅଧିକରୁ ଅଧିକ ଆଇସିୟୁ ଶଯ୍ୟା ଓ ଭେଣ୍ଟିଲେଟର ବ୍ୟବସ୍ଥା କରାଯାଉଥିବା କହୁଛନ୍ତି ସରକାର। ହେଲେ ବାସ୍ତବରେ କରୋନା ରୋଗୀଟିଏ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚି ପାରୁନାହିଁ। କ୍ୟାପିଟାଲ ହସ୍ପିଟାଲରେ ଏ ଯାଏଁ କରୋନା ରୋଗୀଙ୍କ ପାଇଁ ଆଇସିୟୁ ସୁବିଧା ନାହିଁ। ଯଦିଓ ସରକାର ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଆଇସିୟୁ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ହେଲେ ତାହା ଆରମ୍ଭ ହେବା ପାଇଁ କିଛିଦିନ ସମୟ ଲାଗିବ। ରୋଗୀଙ୍କ ସ୍ଥାନାନ୍ତରରେ ବିଳମ୍ବ ନେଇ ହୋଇଥିବା ଅଭିଯୋଗ ସଂପର୍କରେ ବିଏମ୍‌ସି କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଆମ୍ବୁଲାନ୍‌ସରେ ଚାଲିଗଲା ଜୀବନ
ଚନ୍ଦ୍ରଶେଖରପୁର : ରାଜଧାନୀରେ କୋଭିଡ୍‌ ଚିକିତ୍ସାର ଅବ୍ୟବସ୍ଥିତ ପରିଚାଳନା ପାଇଁ ଏକ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି। କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ପ୍ରାୟ ୩ ଘଣ୍ଟା କାଳ ଆମ୍ବୁଲାନ୍‌ସରେ ପଡ଼ି ପଡ଼ି ଜଣେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି। ଏ ନେଇ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମଳିନାହିଁ। ପୁଲିସ ହସ୍ପିଟାଲ କର୍ମଚାରୀଙ୍କ ଡାକି କେବଳ ତାଗିଦ୍ କରି ଛାଡ଼ି ଦେଇଥିବା ଜଣାପଡ଼ିଛି।

ସୂଚନାନୁସାରେ ଭଦ୍ରକରୁ ହୃଦ୍‌ଘାତରେ ଶିକାର ଜଣେ ବ୍ୟକ୍ତି ରାଜଧାନୀର ଏକ ପ୍ରତିଷ୍ଠିତ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ଉକ୍ତ ହସ୍ପିଟାଲରେ ପ୍ରଥମେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ହସ୍ପିଟାଲ ପକ୍ଷରୁ ତାଙ୍କୁ କୌଣସି କୋଭିଡ୍‌ ହସ୍ପିଟାଲକୁ ନେଇ ଯିବା ପାଇଁ କୁହାଯାଇଥିଲା। କିନ୍ତୁ ଏ ନେଇ ହସ୍ପିଟାଲ ପକ୍ଷରୁ ତାଙ୍କୁ ଲିଖିତ ରିପୋର୍ଟ ଦିଆଯାଇନଥିଲା କି ବିଏମ୍‌ସିକୁ ମଧ୍ୟ ଅବଗତ କରାଯାଇନଥିଲା। ଫଳରେ ଉକ୍ତ ଅସୁସ୍ଥ ବ୍ୟକ୍ତିଙ୍କ ଲୋକେ ଆମ୍ବୁଲାନ୍‌ସ ଧରି ବିଭିନ୍ନ କୋଭିଡ୍‌ ହସ୍ପିଟାଲ ବୁଲିଥିଲେ। ମାତ୍ର ସେମାନଙ୍କ ନିକଟରେ କୌଣସି ଲିଖିତ ପ୍ରମାଣପତ୍ର ନଥିବାରୁ ଓ ବିଏମ୍‌ସି ପକ୍ଷରୁ ‌କୌଣସି ସୂଚନା ନଥିବାରୁ ସବୁ କୋଭିଡ୍‌ ହସ୍ପିଟାଲ ତାଙ୍କୁ ଫେରାଇ ଦେଇଥିଲେ। ଏମିତିରେ ୩ ଘଣ୍ଟା ବିତି ଯାଇଥିଲା ଓ ଆମ୍ବୁଲାନ୍‌ସ ଭିତରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଅଭିଯୋଗ ନେଇ ଆଜି ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ବୁଝାଶୁଝା କରି ଫେରାଇଥିଲା।

ସମ୍ବନ୍ଧିତ ଖବର