ରାଜଧାନୀରେ କରୋନା ୩୦୦ ଟପିଲା

ବିଭିନ୍ନ ଅଞ୍ଚଳରୁ ୨୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ, ବାପା-ପୁଅଙ୍କୁ କରୋନା, ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଉଥି‌ଲେ

ଭୁବନେଶ୍ବର : ରାଜଧାନୀରେ କରୋନା ସଂଖ୍ୟା ୩ ଶହ ଡେଇଁଛି। ଗତ ୨୪ ଘଣ୍ଟାରେ ୨୫ନୂଆ ରୋଗୀ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୧୪ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୨୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜଧାନୀରେ ସଂକ୍ରମଣ ସ୍ଥିତିକୁ ଆହୁରି ଗମ୍ଭୀର କରି ଦେଇଛି।

୨୫ ପଜିଟିଭ୍‌ଙ୍କ ମଧ୍ୟରେ ୨୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ମାତ୍ର ୨ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ରାଜଧାନୀର ଏକ ଘ‌ରୋଇ ହସ୍ପିଟାଲର କୋଲକାତା ଫେରନ୍ତା କର୍ମଚାରୀ ଓ ରେଳବାଇର ଦିଲ୍ଲୀ ଫେରନ୍ତା କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ତେବେ ରାଜଧାନୀର ମଞ୍ଚେଶ୍ବର ଅଞ୍ଚଳ ହଟସ୍ପଟ୍ ପାଲଟିଛି। ତହିଁରୁ ୫ଜଣ, ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଥିବା ସଙ୍ଗରୋଧ କେନ୍ଦ୍ରର ଦୁଇଜଣ କର୍ମଚାରୀ, ଚକେଇସିଆଣିର ଏକ ହାଇସ୍କୁଲରୁ ୪ଜଣ, ହାଡ଼ବାଇ ବସ୍ତିରୁ ୨ଜଣ, ପାସ୍‌ପୋର୍ଟ କାର୍ଯ୍ୟାଳୟ ନିକଟରୁ ୪ଜଣ, ଶିରିପୁର ଲକ୍ଷ୍ମୀବଜାରରୁ ଜଣେ, ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ନିକଟରୁ ଜଣେ ଓ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ପଜିଟିଭ୍‌ ବାହାରିଛନ୍ତି। ସମସ୍ତ ସଂକ୍ରମିତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ୩୧୪ସଂକ୍ରମିତଙ୍କ ମଧ୍ୟରୁ ୧୭୪ଜଣ ସୁସ୍ଥ ହୋଇଥିବା ବେଳେ ୧୩୫ ଜଣଙ୍କ ଚିକିତ୍ସା ଜାରି ରହିଛି।

kdvr.com

ବାପା-ପୁଅଙ୍କୁ କରୋନା, ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଉଥି‌ଲେ
ଭୁବନେଶ୍ବର : ଆଜି ରାଜଧାନୀରେ ଚିହ୍ନଟ ହୋଇଥିବା ୨କରୋନା ଆକ୍ରାନ୍ତ ସାମନ୍ତରାପୁର ନିକଟସ୍ଥ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ରହୁଥିଲେ। ଉକ୍ତ ଦୁଇ ଜଣ ବିଏମ୍‌ସି ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଉଥିଲେ। ଏହି ଦୁଇଜଣ ସମ୍ପର୍କରେ ବାପ-ପୁଅ। ବାପାଙ୍କର ବୟସ ୬୩ ବର୍ଷ ହୋଇଥିବାବେଳେ ପୁଅର ବୟସ ୩୦। ଏହି ଦୁଇ ଜଣଙ୍କୁ କରୋନା ହେବା ନେଇ ବିଏମ୍‌ସି ପକ୍ଷରୁ କାରଣ ଦେଖାଯାଇଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ଏକ ସଙ୍ଗରୋଧ କେନ୍ଦ୍ରରେ ସେବା ଯୋଗାଉଥିଲେ। ମିଳିଥିବା ସୂଚନା ଅନୁଯାୟୀ ପୁଅ କୃପାଜଳ ଇଞ୍ଜିନିୟରିଂ କଲେଜରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ଖାଦ୍ୟ ଯୋଗାଉଥିବା ବେଳେ ସେଠାରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ତାଙ୍କ ସଂସ୍ପର୍ଶରେ ତାଙ୍କ ବାପା ଆସିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ସଙ୍ଗରୋଧ କେନ୍ଦ୍ରରେ କାହାକୁ ନଛୁଇଁ ଖାଦ୍ୟ ପୁଡ଼ିଆ ଦେଇ ଚାଲି ଆସିବାକୁ ନିୟମ ହୋଇଥିବା ବେଳେ ଏମାନେ କିପରି କାହା ସଂସ୍ପର୍ଶରେ ଆସିଲେ। ସଙ୍ଗରୋଧ କେନ୍ଦ୍ରରେ ଯେଉଁମାନଙ୍କୁ ଖାଦ୍ୟ ଯୋଗାଇଥିଲେ ସେମାନଙ୍କୁ ବି କରୋନା ହେବାର ଆଶଙ୍କାକୁ ଏଡ଼ାଇ ହେବନି। ଏମାନେ ଯଦି ବାହାରୁ ଆକ୍ରାନ୍ତ ହୋଇଥିବେ ଏବଂ ସଙ୍ଗରୋଧ କେନ୍ଦ୍ରରେ ଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ସେମାନେ ଏବେବି କରୋନା ଭୟରୁ ମୁକ୍ତ ବୋଲି କହି ହେବକି? ବିଏମ୍‌ସି କର୍ତ୍ତୃପକ୍ଷ ଅଧିକ କଣ୍ଟାକ୍ଟ ଟ୍ରେସିଂ ନକରି କେବଳ ଉପରଠାଉରିଆ ଭାବେ ସଙ୍ଗରୋଧ କେନ୍ଦ୍ରରେ ସେବା ଯୋଗାଉଥିଲେ ବୋଲି କହୁନାହାନ୍ତି ତ! ଏହିଭଳି ବିଭିନ୍ନ ପ୍ରଶ୍ନ ଉଠୁଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏନେଇ ମୁହଁ ଖୋଲୁନାହାନ୍ତି। କେବଳ ଏତିକି ନୁହେଁ ବିଏମ୍‌ସିର ସଙ୍ଗରୋଧ କେନ୍ଦ୍ରଗୁଡ଼ିକରେ ବାହାରୁ ବିଭିନ୍ନ ସଂସ୍ଥା ଖାଦ୍ୟ ଯୋଗାଣ କରୁଥିଲେ ଓ ଏବେ କରୁଛନ୍ତି। ତେଣୁ ସେମାନେ ଯେ କରୋନା ଆକ୍ରାନ୍ତ ହୋଇନଥିବେ ତାହା କହିହେବନି। ଏହାବାଦ୍‌ ପ୍ରାୟ ୫ରୁ ଅଧିକ ଆକ୍ରାନ୍ତ ହୋଟେଲରେ ସଙ୍ଗରୋଧ ରହୁଥିବା ଅବସ୍ଥାରେ ଚିହ୍ନଟ ହୋଇଛନ୍ତି। ତେଣୁ ସେହି ହୋଟେଲର କର୍ମଚାରୀଙ୍କର ବି କରୋନା ପରୀକ୍ଷା ହେବା ଦରକାର। ନଚେତ୍‌ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ।

ସମ୍ବନ୍ଧିତ ଖବର