ଭୁବନେଶ୍ୱର : ରାଜଧାନୀରେ କରୋନାର ଦ୍ରୁତ ସଂକ୍ରମଣ ଅବ୍ୟାହତ ରହିଛି। ଲଗାତାର ୩ଦିନ ଧରି ଭୁବନେଶ୍ବରରେ ୫ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ଖୋର୍ଧା ଜିଲ୍ଲାରେ ସଂକ୍ରମଣରେ ବୃଦ୍ଧି ହୋଇଛି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୦୩ରେ ପହଞ୍ଚିଛି। ଏହାସହ ରାଜଧାନୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୮୨୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ୫୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୪୩ଜଣ ସଙ୍ଗରୋଧରୁ ଓ ୩୦୭ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ସଙ୍ଗରୋଧରୁ ଏକ ଗଣମାଧ୍ୟମ ସଂସ୍ଥାର ୩୧ଜଣ ଓ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ବ୍ୟାଙ୍କ ଶାଖାରୁ ୧୮ଜଣ ସଂକ୍ରମିତ ହୋଇଛନ୍ତି। ଏହାବାଦ୍ ସାଲିଆସାହି, ବାଲିଆପଟା ଓ ବେହେରା ସାହି ବାଦ୍ ଏମ୍ସ ସମେତ ୩ଟି ଘରୋଇ ହସ୍ପିଟାଲରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଲୋକାଲ କଣ୍ଟାକ୍ସରେ ଶବର ସାହି, କାରଗିଲ ବସ୍ତି, ତୁଳସୀ, ଜୟଦୁର୍ଗା ବସ୍ତି ଅଞ୍ଚଳ ବାଦ୍ ବଡ଼ଗଡ଼, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର, ଆଇଆରସି, ନୂଆପଲ୍ଲୀ, ଜୟଦେବ ବିହାର ଅଞ୍ଚଳରୁ ବହୁ ସଂଖ୍ୟାରେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗତ ୩ଦିନରେ ଭୁବନେଶ୍ବରରୁ ୯୮୭ଜଣ ଲୋକାଲ କଣ୍ଟାକ୍ସଙ୍କୁ ଚିହ୍ନଟ କରାଯାଇଛି। ଗତ ମାସ ଶେଷ ଆଡ଼କୁ ଓ ଏ ପର୍ଯ୍ୟନ୍ତ ଲୋକାଲ କଣ୍ଟାକ୍ସ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି।
ଅପରପକ୍ଷରେ ରାଜଧାନୀରେ ଏପର୍ଯ୍ୟନ୍ତ ୭୫୨୩ କରୋନା ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ରାଜଧାନୀରେ ସୁସ୍ଥ ହାର ୬୦ ପ୍ରତିଶତ ରହିଛି। ଏହା ରାଜ୍ୟର ସୁସ୍ଥ ହାରଠାରୁ ଯଥେଷ୍ଟ କମ୍। କିଛି ଦିନ ଧରି ଖୋର୍ଧା ଜିଲ୍ଲା ତୁଳନାରେ ଅନ୍ୟ ଜିଲ୍ଲାରେ କରୋନା ରୋଗୀ ଅଧିକ ସଂଖ୍ୟାରେ ସୁସ୍ଥ ହେଉଥିବା ନଜରକୁ ଆସିଛି। ଫଳରେ ଭୁବନେଶ୍ବରରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଯଦି ସକ୍ରିୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଧାରା ଏଭଳି ଜାରି ରହେ, ସେପ୍ଟେମ୍ବର ୧୫ ପୂର୍ବରୁ ରାଜଧାନୀରେ ଏହି ସଂଖ୍ୟା ୫ହଜାର ଛୁଇଁବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ଏ ପର୍ଯ୍ୟନ୍ତ ୪୬ଜଣ ରୋଗୀ କରୋନାରେ ପ୍ରାଣ ହରାଇ ସାରିଲେଣି।
ଦିନକରେ ୨ କରୋନା ମୃତ୍ୟୁ!
ବାଲିପାଟଣା : ବାଲିପାଟଣାରେ କରୋନାରେ ଆକ୍ରାନ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଜି ଗୋଟିଏ ଦିନରେ ୨ଜଣ ପ୍ରାଣ ହରାଇଛନ୍ତି। ଭାକରସାହି ପଞ୍ଚାୟତର ଜଣେ ୩୫ବର୍ଷ ଯୁବକ ଓ ଆଉ ଜଣେ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯୁବକଜଣଙ୍କ ପଜିଟିଭ ଚି଼ହ୍ନଟ ହୋଇ ନୀଳାଚଳ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସେହିଠାରେ ତାଙ୍କର ମୃତ୍ୟୁ ହୋଇଛି। ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ଆଜି ସନ୍ଧ୍ୟାରେ ସେହି ଭାକରସାହି ପଞ୍ଚାୟତର ୫୫ବର୍ଷୀୟା ମହିଳାଙ୍କ ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ୨ଦିନ ତଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲ। ଆଜି ସଂଧ୍ୟାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/coroa-a-1.jpg)