ଦିନକରେ ୨୯୫ ପଜିଟିଭ୍, ୧୫୮ ସୁସ୍ଥ, ପୁଲିସ ସୁରକ୍ଷା ୱିଙ୍ଗ୍ରୁ ୩୨, ବିସ୍କୁଟ୍ ଫ୍ୟାକ୍ଟ୍ରିରୁ ୨୮ ଆକ୍ରାନ୍ତ
ଭୁବନେଶ୍ୱର/ଚନ୍ଦ୍ରଶେଖରପୁର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ହଜାର ଟପିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୨୯୫ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୧୫ରେ ପହଞ୍ଚିଛି। ମାର୍ଚ ୧୫ ତାରିଖରେ ରାଜଧାନୀ ତଥା ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ରାଜଧାନୀରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜୁଲାଇ ୧ ତାରିଖରେ ଭୁବନେଶ୍ବରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ ରହିଥିଲା। ପରେ ସଂଖ୍ୟା ବଢ଼ିବା ସହ ଜୁଲାଇରେ ୨୪୦୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ଚଳିତ ମାସ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ୪୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ପ୍ରାୟ ୬୦ ପ୍ରତିଶତ ବୋଲି ଜଣାପଡ଼ିଛି। ଅଗଷ୍ଟ ଆରମ୍ଭରୁ ରାଜଧାନୀରେ ୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ୨୧ ତାରିଖ ସୁଦ୍ଧା ଏହା ୩୩ରେ ପହଞ୍ଚି ଯାଇଛି।
ଗତ ୨୪ ଘଣ୍ଟାରେ ଚିହ୍ନଟ ୨୯୫ ଆକ୍ରାନ୍ତଙ୍କ ମଧ୍ୟରେ ୧୫୩ ଜଣ ସଙ୍ଗରୋଧ ଓ ୧୪୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିରେ ପୁଲିସ୍ ସୁରକ୍ଷା ୱିଙ୍ଗ୍ରୁ ୩୨ଜଣଙ୍କୁ ଚିହ୍ନଟ କରାଯାଇଛି। ଗତ କିଛି ଦିନ ଭିତରେ ଏତିକି ସଂଖ୍ୟକ କର୍ମଚାରୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ଚନ୍ଦକା ଅଞ୍ଚଳର ଏକ ବିସ୍କୁଟ୍ ଫ୍ୟାକ୍ଟ୍ରିରୁ ୨୮ଜଣ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ମଞ୍ଚେଶ୍ବର ଅଞ୍ଚଳର ଏକ କାରଖାନାରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ସଂପୃକ୍ତ କାରଖାନାକୁ ପରବର୍ତୀ ସମୟରେ ସିଲ୍ କରି ଦିଆଯାଇଥିଲା। ସେହିପରି ଏକ କନଷ୍ଟ୍ରକ୍ସନ୍ କମ୍ପାନିରୁ ବହୁ ସଂଖ୍ୟାରେ ଶ୍ରମିକ ସଂକ୍ରମିତ ହୋଇଥିଲେ।
ଏହାସହ କିଟ୍ କ୍ୟାମ୍ପସରୁ ୧୧ଜଣ, ରିଜର୍ଭ ପୁଲିସ କଲୋନିରୁ ୮ଜଣଙ୍କୁ ବାଦ୍ ଦେଲେ ଘରୋଇ ହସ୍ପିଟାଲ, ଏକାଧିକ ବସ୍ତିରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କ ହାଇଦ୍ରାବାଦ୍ ଯାତ୍ରା ଇତିହାସ ରହିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୧୫୮ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪୨୧୯ରେ ପହଞ୍ଚିଛି। ତେବେ ୨୭୫୪ଜଣ ରୋଗୀଙ୍କ ଏବେ ବି ଚିକିତ୍ସା ଜାରି ରହିଛି। ଖୋର୍ଧା ଜିଲ୍ଲା ତୁଳନାରେ ଭୁବନେଶ୍ବରର ସୁସ୍ଥ ହାର ଭଲ ରହିଛି। ଜିଲ୍ଲାରେ ୫୬ ପ୍ରତିଶତ ହାରରେ ରୋଗୀ ସୁସ୍ଥ ହେଉଥିବା ବେଳେ ରାଜଧାନୀରେ ଏହା ୫୯ ପ୍ରତିଶତ ରହିଛି। ରାଜ୍ୟରେ ସୁସ୍ଥ ହାର ପ୍ରାୟ ୬୯ ପ୍ରତିଶତ ଥିବା ବେଳେ ଉଭୟ ଖୋର୍ଧା ଗ୍ରାମାଞ୍ଚଳ ଓ ଭୁବନେଶ୍ବରରେ ସୁସ୍ଥ ହାର ରାଜ୍ୟ ତୁଳନାରେ କମ୍ ରେକର୍ଡ କରାଯାଇଛି।
ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ଅଧୀନ ଚନ୍ଦକା ଶିଳ୍ପାଞ୍ଚଳରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ବିଶେଷକରି ବିସ୍କୁଟ୍ କମ୍ପାନିର କର୍ମଚାରୀଙ୍କୁ ନେଇ ଲୋକେ ଅଧିକ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଆଜି ସଂଧ୍ୟାରେ ବିଭିନ୍ନ ସ୍ଥାନରେ ସାନିଟାଇଜ୍ ଆରମ୍ଭ ହୋଇଥିବା ବେଳେ ଘରୋଇ ଅନୁଷ୍ଠାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଲୋକମାନେ ଭୟଭୀତ ଅବସ୍ଥାରେ ରହିଥିବାରୁ ବିଏମ୍ସି ଡାକବାଜି ଯନ୍ତ୍ର ସହାୟତାରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ସରକାରୀ ନିୟମକୁ ପାଳନ କରିବା ପାଇଁ ସଚେତନ କରିଛି। ଏହାସହ ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ପକ୍ଷରୁ ବିଭିନ୍ନ ଗଳି ଓ କଲୋନିଗୁଡ଼ିକରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/corona-addd.jpg)