ହଠାତ୍‌ ବିଗିଡ଼ିପାରେ ରାଜଧା‌ନୀ ସ୍ଥିତି

ଦୁଇ ମାସ ହେଲା ଲୋକାଲ କଣ୍ଟାକ୍ଟ କେସ୍‌ ବଢ଼ିଚାଲିଛି

ଅଗଷ୍ଟ ୨୪ରେ ଥିଲା ୪୭.୮୯%, ଅକ୍ଟୋବର ୨୪ରେ ୭୫.୮୨%
କଣ୍ଟାକ୍ଟ ଟ୍ରେସିଂ ହେଉନି, ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ବୁଲୁଛନ୍ତି
ବିଏମ୍‌ସିର ଢିଲାପଣ ମହଙ୍ଗା ପଡ଼ିପାରେ

ଭୁବନେଶ୍ୱର : ରାଜଧାନୀରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଛି ବୋଲି ବିଏମ୍‌ସି କହୁଛି। ବିଏମ୍‌ସିର ଦୈନିକ ସୂଚନା ବି ଏହା ପ୍ରମାଣିତ କରୁଛି। କିନ୍ତୁ ବିଏମ୍‌ସି ସୂଚନାରେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ହାର ଯେଉଁ ଅନୁସାରେ ବଢ଼ି ଚାଲିଛି, ତାହା ଦିନେ ହଠାତ୍‌ ବିସ୍ଫୋରଣ କରିବ ବୋଲି ଆଶଙ୍କା କରାଗଲାଣି।

ଗତ ଦୁଇ ମାସ ଭିତରେ ଲୋକାଲ କଣ୍ଟାକ୍ଟ କେସ୍‌ ୨୭.୯୩%କୁ ବଢ଼ି ଯାଇଛି। ଅଗଷ୍ଟ ୨୪ରେ ରାଜଧାନୀରେ ମୋଟ୍‌ ୭୯୩୧ଜଣ ଆକ୍ରାନ୍ତ ଥିବା ବେଳେ ୩୧୬୨ଟି ଆକ୍ଟିଭ୍ କେସ୍‌ ଥିଲା। ୩୪ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦିନ ଯେଉଁ ୩୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ସେଥିରୁ ଗୃହ ସଙ୍ଗରୋଧ କେସ୍‌ ୧୭୩ଟି ଥିବାବେଳେ ୧୫୯ଟି ଲୋକାଲ କଣ୍ଟାକ୍ଟ କେସ୍‌ ଥିଲା। ଅର୍ଥାତ୍‌ ୪୭.୮୯% ଲୋକ କିପରି କରୋନା ଆକ୍ରାନ୍ତ ହେଲେ, କାହା ସଂସ୍ପର୍ଶରେ ଆସିଲେ ତାହା ଜଣାପଡ଼ିନଥିଲା।

ଦୁଇ ମାସ ପରେ ଅର୍ଥାତ୍‌ ଅକ୍ଟୋବର ୨୪ ସୁଦ୍ଧା ୨୮୪୮୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୪୧୫ଟି ଆକ୍ଟିଭ୍‌ କେସ୍‌ ଥିଲା। ୧୫୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ୪୪ଟି ଗୃହ ସଙ୍ଗରୋଧ କେସ୍‌ ଥିବା ବେଳେ ୧୩୮ଟି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ଥିଲା। ଅର୍ଥାତ୍‌ ୭୫.୮୨% ଲୋକ କିପରି କରୋନା ଆକ୍ରାନ୍ତ ହେଲେ, କାହା ସଂସ୍ପର୍ଶରେ ଆସିଲେ, ତାହା ସେମାନେ ଜାଣିନଥିଲେ କିମ୍ବା ବିଏମ୍‌ସି ପାଖରେ ଏନେଇ ସୂଚନା ନଥିଲା।

Oneindia

ବିଭିନ୍ନ ଦେଶରେ ଏବେ କରୋନାର ଦ୍ବିତୀୟ ଲହରୀ ଫେରୁଥିବା ବେଳେ ଏଥିପାଇଁ ସେମାନଙ୍କର ପରିଚାଳନାଗତ ତ୍ରୁଟି ମୁଖ୍ୟ କାରଣ ବୋଲି କୁହାଯାଉଛି। ଅର୍ଥାତ୍‌ କରୋନା ପ୍ରାୟ ନିୟନ୍ତ୍ରଣକୁ ଆସିବା ପରେ ସବୁ କଟକଣା କୋହଳ ହୋଇଯିବାରୁ, ପ୍ରଶାସନ କରୋନା ଆକ୍ରାନ୍ତଙ୍କର ତଥ୍ୟ ଠିକ୍‌ ଭାବେ ନ ରଖିବାରୁ ସଂକ୍ରମଣ ପୁଣି ନିୟନ୍ତ୍ରଣ ବାହାରକୁ ପଳାଇଲା। ଏହାର ଆଭାସ ଏବେ ଭୁବନେଶ୍ବରରେ ମଧ୍ୟ ଦେଖିବାକୁ ମିଳିଲାଣି। ବିଏମ୍‌ସି କରୋନା ଆକ୍ରାନ୍ତଙ୍କୁ ଟ୍ରେସିଂ କରିବାରେ ବିଫଳ ହୋଇଥିବା ବେଳେ ସେମାନେ କାହା ସଂସ୍ପର୍ଶରେ ଆସିଛନ୍ତି, କେଉଁଠିକୁ ଯାଇଛନ୍ତି, କେତେ ଲୋକଙ୍କ ସଂସ୍ପର୍ଶରେ ନିକଟରେ ଆସିଛନ୍ତି, କିପରି କରୋନା ଆକ୍ରାନ୍ତ ହେଲେ ବୋଲି ଅନୁମାନ କରୁଛନ୍ତି, ତାହାର ସୂଚନା ବିଏମ୍‌ସି ରଖୁନି। ଫଳରେ ଦିନକୁ ଦିନ ଲୋକାଲ କ‌ଣ୍ଟାକ୍ଟ କେସ୍‌ ବଢ଼ିଚାଲିଛି।

ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଦୁଇ ଦିନ ହେଲା ଦୈନିକ ୨୦୦ରୁ କମ୍‌ କ‌େରାନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ହେଲେ ଲୋକାଲ କଣ୍ଟାକ୍ଟ କେସ୍‌ ୭୫.୮୨%ରେ ବଢ଼ିବା ଅର୍ଥ ବାହାରେ କରୋନା ଆକ୍ରାନ୍ତ ଖୁଲମଖୁଲା ‌ବୁଲୁଛନ୍ତି। ଯେଉଁମାନେ କରୋନା ଆକ୍ରାନ୍ତ ହେବା ପରେ ବି କରୋନା ପରୀକ୍ଷା କରୁନାହାନ୍ତି। ଏପରିକି ଯେଉଁମାନଙ୍କର ଘରେ କରୋନା ଆକ୍ରାନ୍ତ ଅଛନ୍ତି, ସେମାନେ ବି କଟକଣା ମାନି ଘରେ ରହୁନାହାନ୍ତି। ତେଣୁ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବଢ଼ି ଚାଲିଛି ବୋଲି କୁହାଯାଉଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବିଏମ୍‌ସି କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପରେ ତା’ଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା କଥା। ଏପରିକି ସେ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ କି, ଗୃହ ସଙ୍ଗରୋଧରେ ଥିଲେ ନା ନାହିଁ, କରୋନା ପରୀକ୍ଷା କରିବା ପୂର୍ବରୁ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତା’ର ତାଲିକା ରଖିବା କଥା। ଏହାସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇବାକୁ ଉତ୍ସାହିତ କରିବା କଥା। ଏଥିପାଇଁ ବିଏମ୍‌ସିକୁ ପ୍ରାୟ ୧୦୦ଜଣ ଆୟୁଷ ଡାକ୍ତର ଦିଆଯାଇଛି। ହେଲେ ସେମାନେ ଯଦି କଣ୍ଟାକ୍ଟ ଟ୍ରେସିଂ ନକରିବେ ତେବେ ଆମେ କ’ଣ କରିବୁ। କଣ୍ଟାକ୍ଟ ଟ୍ରେସିଂ ଯେତେ ‌ପ୍ରଖର ହେବ କରୋନା ସେତେ ଶୀଘ୍ର ନିୟନ୍ତ୍ରଣକୁ ଆସିବ। ନହେଲେ ସହର ସାରା ଆକ୍ରାନ୍ତ ଛାଇଯିବେ।

The Federal

ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ବିଏମ୍‌ସିରେ ୮ଟି ରାପିଡ୍‌ ରେସ୍ପନ୍ସ ଟିମ୍‌ (ଆର୍‌ଆର୍‌ଟି)କାମ କରୁଥିବା ବେଳେ ଏବେ ୨୪ଟି ଆର୍‌ଆର୍‌ଟି କାମ କରୁଛି। ଯେଉଁମାନଙ୍କ କାମ ହେଲା ଆକ୍ରାନ୍ତଙ୍କୁ ଫୋନ୍‌ କରି ସେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ସୂଚନା ଦେବା, ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବା, ତାଙ୍କ ଘରେ ସଙ୍ଗରୋଧ ଷ୍ଟିକର ଲଗାଇବା, କରୋନା ଔଷଧ ଦେବା।

ହେଲେ ଆର୍‌ଆର୍‌ଟି ଟିମ୍‌ ଏବେ କେବଳ ଲୋକଙ୍କୁ ଫୋନ୍‌ କରି ଆପଣ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ଦେଉଛନ୍ତି ଏବଂ ଘରେ ଷ୍ଟିକର ମାରି ଔଷଧ ଦେଉଛନ୍ତି। ଅନ୍ୟତମ ମୁଖ୍ୟ କାମ କଣ୍ଟାକ୍ଟ ଟ୍ରେସିଂ କରୁନାହାନ୍ତି। ଫଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ବାହାରେ ବୁଲୁଛନ୍ତି ଏବଂ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାବେଳକୁ ବହୁ ଲୋକଙ୍କୁ କରୋନା ଆକ୍ରାନ୍ତ କରିଦେଉଛନ୍ତି।

କେବଳ ଏତିକି ନୁହେଁ, ଏବେ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଦର୍ଶାଇ ଆୟୁଷ ଡାକ୍ତରମାନଙ୍କୁ ଫେରାଇ ନେବା ବ୍ୟବସ୍ଥା କରାଯାଉଛି। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ଚିଠି ଲେଖାଯାଇଛି। ବିଏମ୍‌ସି ୱାର୍ଡ ସ୍ତରରେ କରୋନା ପରିଚାଳନା କରିବାରେ ଏବେ ବିଫଳ ହେଉଥିବାରୁ ଏବଂ କଣ୍ଟାକ୍ଟ ଟ୍ରେସିଂ ଆଦୌ କରୁନଥିବାରୁ ସ୍ଥିତି ଆଗକୁ ଭୟଙ୍କର ରୂପ ନେଇପାରେ। ଏପରିକି କରୋନା ଜନିତ ମୃତ୍ୟୁ ବି ବଢ଼ିପାରେ।

ସମ୍ବନ୍ଧିତ ଖବର