ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଶହେ ତଳକୁ ଖସିବାର ଗୋଟିଏ ଦିନ ପରେ ପୁଣିଥରେ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀ ୧୧୦ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୮,୮୯୨କୁ ବୃଦ୍ଧି ପାଇଛି। ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ଜଣ ଲୋକାଲ କଣ୍ଟାକ୍ଟସ୍ ଓ ୩୩ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ଆଚାର୍ଯ୍ୟ ବିହାର, ବଡ଼ଗଡ଼, ବରମୁଣ୍ଡା, ଜାମଗରା, ଝାରପଡ଼ା, ଖଣ୍ଡଗିରି ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ବାହାରିଛନ୍ତି। ସେହିପରି ଘାଟିକିଆ, ଜୟଦେବ ବିହାର, ନୂଆପଲ୍ଲୀ, ସହିଦ ନଗର, ରବି ଟକିଜ୍ ଛକ, ପ୍ରଶାନ୍ତି ବିହାର, ପାତ୍ରପଡ଼ା, ପଟିଆ, ପଞ୍ଚଶଖା ନଗର, ୟୁନିଟ୍-୮, ବାଣୀ ବିହାର ସହ ଏକାଧିକ ସ୍ଥାନରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଅପରପକ୍ଷରେ ଆଜି ରାଜଧାନୀରେ ୨ଜଣ କରୋନା ରୋଗୀ ପ୍ରାଣ ହରାଇବା ପରେ ସମୁଦାୟ ମୃତକଙ୍କ ସଂଖ୍ୟା ୧୬୦କୁ ବୃଦ୍ଧି ପାଇଛି। ତେବେ ଗତ ୨୪ଘଣ୍ଟାରେ ୨୧୯ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୬,୮୨୬କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୧୮୮୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।
ବାଳକାଟି ସିଏଚ୍ସି ମୁଖ୍ୟ ଚିକିତ୍ସାଧିକାରୀ ପୁଣି ପଜିଟିଭ୍
ବାଲିଅନ୍ତା : ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି) ମୁଖ୍ୟ ଚିକିତ୍ସାଧିକାରୀ ଦ୍ବିତୀୟ ଥର ପାଇଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ଦୁଇ ସପ୍ତାହ ତଳେ ସେ ପ୍ରଥମେ ପଜିଟିଭ୍ ଚିହ୍ନଟ ହୋଇ ଗୃହ ସଂଗରୋଧରେ ଥିଲେ। ପରେ ସୁସ୍ଥ ହୋଇଥିଲେ। ତେବେ ଗତ ୩ ଦିନ ପୂର୍ବେ ସେ ଏହି ହସ୍ପିଟାଲରେ ପୁଣି କୋଭିଡ୍ ପରୀକ୍ଷା କରାଇଥିଲେ। ଆଣ୍ଟିଜେନ ପରୀକ୍ଷା ରିପୋର୍ଟରେ ସେ ପୁଣି ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଅଧିକାରିଣୀ ଏହି ସୂଚନା ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁପସ୍ଥିତିରେ କୋଭିଡ୍ ପରିଚାଳନାରେ ବ୍ୟାପକ ଅନିୟମିତା ହେଉଥିବା ଅଭିଯୋଗ ହେଉଛି। ହସ୍ପିଟାଲ୍ ପକ୍ଷରୁ ନିୟମିତ ଭାବେ ଭ୍ରାମ୍ୟମାଣ କୋଭିଡ୍ ପରୀକ୍ଷା କରାଯାଉନଥିବା ଅଭିଯୋଗ ହେଉଛି। ନିର୍ଦ୍ଧାରିତ ସମୟରେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତର ଓ କର୍ମଚାରୀ ପହଞ୍ଚୁନାହାନ୍ତି। କିଛି ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ କୋଭିଡ୍ କାର୍ଯ୍ୟ ସଂପାଦନରେ ଅବହେଳା କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ମୁଖ୍ୟ ଚିକିତ୍ସାଧିକାରୀ ଦୀର୍ଘ ଦିନ ଧରି ଆକ୍ରାନ୍ତ ହେବା ଯୋଗୁଁ ସଂପୃକ୍ତ କର୍ମଚାରୀମାନେ ମନମାନୀ ଚଳାଇଥିବା କୁହାଯାଉଛି।