ରାଜଧାନୀରେ ୮୩ ଆକ୍ରାନ୍ତ, ଜଣେ ମୃତ

ରଣପୁର ଗାଁରେ ୩ ପଜିଟିଭ୍‌

ଭୁବନେଶ୍ୱର : ରାଜଧାନୀରେ ଆଜି ୮୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ହୋଇଥିବା ୮୩ଜଣଙ୍କ ମଧ୍ୟରୁ ୨୦ଜଣ ସଙ୍ଗରୋଧରେ ଥିବାବେଳେ ୬୩ଜଣ ସ୍ଥାନୀୟ ସଂକ୍ରମଣ। ଅପରପକ୍ଷେ ଆଜି ୨୦୧ଜଣ ସୁସ୍ଥ ହେବା ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆଣିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୨୯୨୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୭୭୪୪ଜଣ ସୁସ୍ଥ ହୋଇଛନ୍ତି। ଏବେ ୧୩୦୪ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ସଂଖ୍ୟା ୧୬୭ରେ ପହଞ୍ଚିଛି। ଏବେବି ସ୍ଥାନୀୟ ସଂକ୍ରମଣ ହାର ନକମିବା ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ଗୋଟିଏ ଅଞ୍ଚଳରୁ ୩ରୁ ୪ଜଣ ସ୍ଥାନୀୟ ସଂକ୍ରମିତ ହେବା କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ଦର୍ଶାଉଛି।

ରଣପୁର ଗାଁରେ ୩ ପଜିଟିଭ୍‌
ବାଲିଅନ୍ତା : ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ରଣପୁର ଗ୍ରାମରେ ଆଜି ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ମହିଳା, ଜଣେ ୬୧ ବର୍ଷୀୟ ପୁରୁଷ ଓ ଜଣେ ୨୫ ବର୍ଷୀୟ ଯୁବକ ଅଛନ୍ତି ବୋଲି ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ କହିଛନ୍ତି। ଦୁଇ ଦିନ ପୂର୍ବେ ଏହି ଆକ୍ରାନ୍ତମାନେ ଗାଁ ସ୍କୁଲରେ ଆୟୋଜିତ କୋଭିଡ୍‌ ପରୀକ୍ଷା କେନ୍ଦ୍ରରେ ଆଣ୍ଟିଜେନ ପରୀକ୍ଷା କରାଇଥିଲେ। ସେମାନଙ୍କ ରିପୋର୍ଟ ପଜିଟିଭ୍‌ ବୋଲି ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ଓ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ ଦାସ କହିଛନ୍ତି। ସଚେତନତା ପାଇଁ ସଂପୃକ୍ତ ପରିବାରଗୁଡ଼ିକର ଘର କାନ୍ଥରେ ଲାଲ୍‌ ଓ ଉଭୟ ପାର୍ଶ୍ବ ପଡ଼ୋଶୀଙ୍କ ଘର କାନ୍ଥରେ ହଳଦିଆ ଷ୍ଟିକର ଲଗାଯାଇଛି।

ସମ୍ବନ୍ଧିତ ଖବର