ଭୁବନେଶ୍ୱର : ରାଜଧାନୀରେ ଯେତିକି ରୋଗୀ ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି, ତା’ଠାରୁ ଅଧିକ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି। ଯଦିଓ ଆଜି ଖୋର୍ଧା ଜିଲ୍ଲାରେ ୩୭ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ତେବେ ତହିଁରେ କେତେ ଜଣ ରୋଗୀ ଭୁବନେଶ୍ବରର ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏ ଦୃଷ୍ଟିରୁ ରାଜଧାନୀରେ ପ୍ରତ୍ୟେକ ଦିନ ଯେଉଁଭଳି ଭାବେ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି, ଏହି ସଂଖ୍ୟାରେ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହେଲାଣି। ଗତ ୨୪ଘଣ୍ଟାରେ ରାଜଧାନୀରେ ଆହୁରି ୩୮ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୨ଜଣ ସ୍ଥାନୀୟ ଆକ୍ରାନ୍ତ ଥିବା ବେଳେ ତହିଁରୁ ୧୧ଜଣ ରାଜ୍ୟର ହଟ୍ସ୍ପଟ୍ ଜିଲ୍ଲାକୁ ଗସ୍ତ କରିଥିବା ଜଣାପଡ଼ିଛି। ସେହିପରି ସଙ୍ଗରୋଧରେ ଥିବା ୨୬ଜଣ ରୋଗୀ ପଜିଟିଭ୍ ହୋଇଛନ୍ତି।
ରାଜଧାନୀରେ କରୋନାକୁ ନିୟନ୍ତ୍ରଣ କରିବା ଲାଗି ବିଏମ୍ସି ପକ୍ଷରୁ ସବୁପ୍ରକାର ପ୍ରୟାସ ଜାରି ରହିଛି। ହଟ୍ସ୍ପଟ୍ ଜିଲ୍ଲାରୁ ରୋଗୀଙ୍କୁ ରାଜଧାନୀରେ ପ୍ରବେଶକୁ ବାରଣ ସହିତ ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ନ ଆଣିବା ଲାଗି କୁହାଯାଇଛି। ଏହାସତ୍ବେ ମଧ୍ୟ ରାଜଧାନୀରେ କରୋନା ବଢ଼ି ବଢ଼ି ଚାଲିଛି। ବିଶେଷକରି ହସ୍ପିଟାଲଗୁଡ଼ିକ ଏବେ ରାଜଧାନୀର ହଟ୍ସ୍ପଟ୍ ପାଲଟି ଗଲାଣି। ଏଠାକୁ ଚିକିତ୍ସା ପାଇଁ ଯାଉଥିବା ଓ ହସ୍ପିଟାଲର କର୍ମଚାରୀ ପଜିଟିଭ୍ ହେବାରେ ଲାଗିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଏମ୍ସ କର୍ତୃପକ୍ଷ ନିଜର ଓପିଡି ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି। ଏହାସହ ଗୋଟିଏ ଘରୋଇ ହସ୍ପିଟାଲରେ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ସିଲ୍ କରି ଦିଆଯାଇଛି।
/sambad/media/post_attachments/wp-content/uploads/2020/07/Tamil_Nadu_Corona-300x150.jpg)
ସଙ୍ଗରୋଧରେ ବରମୁଣ୍ଡା, ଶାସ୍ତ୍ରୀ ନଗର, ମଞ୍ଚେଶ୍ବର ଆଦିମାତା କଲୋନି, କେଦାରଗୌରୀ ବିହାର, ରସୁଲଗଡ଼, କଳିଙ୍ଗ ବିହାର କୋଳଥିଆ, ପଳାଶୁଣୀ, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ଏମ୍ସର ଜଣେ କର୍ମଚାରୀ, ଶିଖରଚଣ୍ଡୀ ବସ୍ତି, ଶୈଳଶ୍ରୀ ବିହାରରୁ ଜଣେ ଲେଖାଏ, ବିଜେବି ନଗରର ୩ଜଣ, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୨ଜଣ, ଘରୋଇ ହସ୍ପିଟାଲର ୩ଜଣ କର୍ମଚାରୀ ଓ ସଙ୍ଗରୋଧ କେନ୍ଦ୍ରରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ କଳିଙ୍ଗ ବିହାର କୋଳଥିଆ, ପୋଖରୀପୁଟ କାରଗିଲ ବସ୍ତି, ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନି, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଜଣେ ଲେଖାଏ, ଗଙ୍ଗନଗରରୁ ୩ଜଣ, ନୀଳାଦ୍ରିବିହାର ହନୁମାନ ମନ୍ଦିର ନିକଟରୁ ୩ଜଣ ଓ ନୂଆପଲ୍ଲୀ ଏନ୍-୫ରୁ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି। ଯାହାକି ଖୋର୍ଧା ଜିଲ୍ଲାର ସମୁଦାୟ ଆକ୍ରାନ୍ତଙ୍କ ୫୨ ପ୍ରତିଶତ। ସେହିପରି ଭୁବନେଶ୍ବରରେ ୩୧୪ଜଣ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ବେଳେ ୩୧୭ଜଣ ଚିକିତ୍ସିତ ହେଉଛନ୍ତି। ୮ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ଜିଲ୍ଲାରୁ ୩୭, ରାଜଧାନୀରେ ୩୮?
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଖୋର୍ଧା ଜିଲ୍ଲା ସମ୍ପର୍କରେ ଓ ବିଏମ୍ସି ପକ୍ଷରୁ ଆଜି ଜାରି ହୋଇଥିବା ରାଜଧାନୀର ପଜିଟିଭ୍ ସଂଖ୍ୟାକୁ ନେଇ ଦ୍ବନ୍ଦ୍ବ ଦେଖା ଦେଇଛି। ଖୋର୍ଧା ଜିଲ୍ଲାରୁ ସମୁଦାୟ ୩୭ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୩୮ଜଣ ଆକ୍ରାନ୍ତ ବାହାରିବା ପରସ୍ପର ଭିତରେ ସମନ୍ବୟର ଅଭାବକୁ ପଦାରେ ପକାଇ ଦେଇଛି। ରିପୋର୍ଟ ପଦାକୁ ଆସିବାର ଦିନଟିଏ ବିତି ଯାଇଥିଲେ ହେଁ, ଏହାକୁ ସଂଶୋଧନ କରାଯାଇ ନାହିଁ। ବିଏମ୍ସି କେବଳ ନିଜର ତଥ୍ୟ ଠିକ୍ ରହିଛି ବୋଲି ସଫେଇ ଦେଇଛି।ଯଦି ଜିଲ୍ଲାୱାରି ତଥ୍ୟ ଠିକ୍ ତା’ହେଲେ ରାଜଧାନୀରୁ କିଭଳି ଜିଲ୍ଲାର ଗୋଟିଏ ଦିନର ସଂଖ୍ୟାଠାରୁ ଅଧିକ ରୋଗୀ ଚିହ୍ନଟ ହେଲେ। ଅପରପକ୍ଷରେ ଯଦି ବିଏମ୍ସର ରିପୋର୍ଟକୁ ଠିକ୍ ଧରାଯାଏ ତା’ହେଲେ ଖୋର୍ଧା ଜିଲ୍ଲାରେ ଆଜି ଜାରି ହୋଇଥିବା ରିପୋର୍ଟଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଧରିବାକୁ ହେବ। ତେବେ ପଜିଟିଭ୍ ସଂଖ୍ୟାକୁ ଲୁଚାଇବାକୁ ଯାଇ ଏଭଳି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି। ତେଣୁ କେବଳ ଖୋର୍ଧା ଜିଲ୍ଲା କି ବିଏମ୍ସି ନୁହେଁ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଅଭିଯୋଗକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଲୋଚନା ହେଉଛି। ଏହି ଘଟଣା ସଂପର୍କରେ ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି, ଘଟଣା ସଂପର୍କରେ ଅବଗତ ଅଛନ୍ତି। ବିଏମ୍ସି ପକ୍ଷରୁ ଜାରି ତଥ୍ୟ ଠିକ୍। ତେବେ ତାରିଖ ଅନୁଯାୟୀ ଯେଉଁ ପଜିଟିଭ୍ ଚିହ୍ନଟ ହୋଇଛି ତାହାର ଘୋଷଣା ନେଇ କିଛି ସମସ୍ୟା ରହିଛି। ତେବେ କିଭଳି ସମନ୍ବୟ ରଖିଯିବ ସେ ନେଇ ଆଲୋଚନା ହେବ ବୋଲି ଶ୍ରୀ ଚୌଧରୀ କହିଛନ୍ତି।