ଭୁବନେଶ୍ବର : ନୂଆପଲ୍ଲୀ, ପଟିଆ ଓ ପୁରୁଣା ଭୁବନେଶ୍ବରରେ ଏବେ ଘରେ ଘରେ କରୋନା ଆକ୍ରାନ୍ତ ଛାଇ ଗଲେଣି। ଏଠାରେ ପ୍ରତିଦିନ ୪୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏପରିକି ନୂଆପଲ୍ଲୀ ଓ ପଟିଆରେ ତ ଗତ କିଛି ଦିନ ହେଲା ୬୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କଲାଣି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ବଢ଼ି ଚାଲିଥିଲେ ହେଁ ବିଏମ୍ସି ପକ୍ଷରୁ ଏଠାରେ କୌଣସି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉନି। ଫଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ବାହାରକୁ ଆସୁଛନ୍ତି ଓ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଯେଉଁଥିପାଇଁ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି।
ରବିବାର ନୂଆପଲ୍ଲୀରୁ ସର୍ବାଧିକ ୬୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୬୦ଜଣ, ପୁରୁଣା ଭୁବନେଶ୍ବରରୁ ୫୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀର ଅନ୍ୟ ସ୍ଥାନଗୁଡ଼ିକ ତୁଳନାରେ ଆଜି ବି ଏହି ତିନିଟି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ଅଛି। ସେହିପରି ଆଚାର୍ଯ୍ୟ ବିହାରରୁ ୧୩ଜଣ, ଲକ୍ଷ୍ମୀସାଗରରୁ ୩୨ଜଣ, ଚନ୍ଦ୍ରଶେଖରପୁରରୁ ୨୭ଜଣ, ବମିଖାଲରୁ ୧୯ଜଣ, ମଞ୍ଚେଶ୍ବରରୁ ୨୨ଜଣ, ବଡଗଡ଼ରୁ ୨୫ଜଣ, ବରମୁଣ୍ଡାରୁ ୩୯ଜଣ, ଡୁମଡୁମାରୁ ୪୦ଜଣ, ଝାରପଡ଼ାରୁ ୩୬ଜଣ, କଳିଙ୍ଗନଗରରୁ ୧୬ଜଣ, ନୀଳାଦ୍ରିବିହାରରୁ ୨୩ଜଣ, ସହିଦନଗରରୁ ୧୩ଜଣ, ୟୁନିଟ-୬ରୁ ୧୩ଜଣ, ଶୈଳଶ୍ରୀବିହାରରୁ ୩୩ଜଣ, ସୁନ୍ଦରପଦାରୁ ୩୧ଜଣ, ୟୁନିଟ୍-୯ରୁ ୧୬ଜଣ, ପାତ୍ରପଡ଼ାରୁ ୧୬ଜଣ, ଟଙ୍କପାଣି ରୋଡ୍ରୁ ୧୮ଜଣ, ପୋଖରୀପୁଟରୁ ୨୯ଜଣ, ୟୁନିଟ-୪ରୁ ୧୫ଜଣ, ରସୁଲଗଡ଼ରୁ ୪୭ଜଣ, ଖଣ୍ଡଗିରିରୁ ୫୩ଜଣ, ୟୁନିଟ-୮ରୁ ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।