ରାଜଧାନୀରେ ଆକ୍ରାନ୍ତ କମୁଛନ୍ତି, ପଜିଟିଭ୍ ହାର ଖସୁନି

୧୦% ଉପରେ ରହୁଛି ପଜିଟିଭ୍ ହାର
ଦିନକୁ ୬୦ରୁ ୭୦ଜଣ ହସ୍ପିଟାଲକୁ ସ୍ଥାନାନ୍ତର ହେଉଛନ୍ତି
ନିୟନ୍ତ୍ରଣକୁ ଆସୁଛି ଭୁବନେଶ୍ବର
୭୦% ଲୋକଙ୍କର ଟିକାକରଣ ସରିଲାଣି

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ହେଲେ ପଜିଟିଭ୍ ହାର କମୁନି। ଏବେବି ୧୦% ଉପରେ ପଜିଟିଭ୍ ହାର ରହୁଥିବାରୁ ଏହା ସରକାରଙ୍କ ଚିନ୍ତା ବଢ଼ାଇଛି। ୫%ରୁ କମ୍‌ ପଜିଟିଭ୍ ହାର ନ ହେବାଯାଏ ରାଜ୍ୟ ସରକାର ଲକ୍‌ଡାଉନ୍ ନ ଉଠାଇବାକୁ ଯୋଜନା କରିଛନ୍ତି। ଏପରି ସ୍ଥିତିରେ ଭୁବନେଶ୍ବରରେ କେବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ତଳକୁ ରହିବ ଏବଂ ସେହି ସମୟରେ ପଜିଟିଭ୍ ହାର ୫% ବା ତା’ଠାରୁ ୍କମ୍ ରହିବ ସେହି ସମୟକୁ ଅପେକ୍ଷା କରିଛନ୍ତି।

ଭୁବନେଶ୍ବରରେ ଲକ୍‌ଡାଉନ୍ କୋହଳ ହୋଇଥିଲେ ହେଁ ଏବେ ବି ପଜିଟିଭ୍ ହାର ଅଧିକ ରହିଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ତାରିଖରେ ୩୬୨୦ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବାବେଳେ ଏଥିରୁ ୩୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହିଦିନ ପଜିଟିଭ୍ ହାର ୧୦.୭୪% ଥିଲା। ୧୫ରେ ୩୪୨୮ଜଣ କୋଭିଡ ପରୀକ୍ଷା କରିଥିବାବେଳେ ୩୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ଦିନ ପଜିଟିଭ୍ ହାର ୧୦.୮୫% ଥିଲା। ୧୬ରେ ୩୨୭୩ଜଣଙ୍କର ଟେଷ୍ଟିଂ ହୋଇଥିବାବେଳେ ୪୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଜିଟିଭ୍ ହାର ୧୨.୮୦% ଥିଲା। ୧୭ରେ ୩୦୪୩ଜଣ ଟେଷ୍ଟିଂ କରିଥିବାବେଳେ ୪୪୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପଜିଟିଭ୍ ହାର ୧୪.୫୫% ଥିଲା। ୧୮ରେ ସରକାରୀ ବ୍ୟବସ୍ଥାରେ ୧୧୫୪ଜଣ କୋଭିଡ ପରୀକ୍ଷା କରିଥିବାବେଳେ ୧୯ରେ ୧୭୦୧ ଜଣ କୋଭିଡ ପରୀକ୍ଷା କରିଥିଲେ। ଏହି ଦୁଇ ଦିନ ଘରୋଇ ହସ୍ପିଟାଲରେ କେତେ କୋଭିଡ ପରୀକ୍ଷା ହୋଇଥିଲା ସେ ତଥ୍ୟ ବିଏମ୍‌ସି ଦେଇନଥିଲେ ହେଁ ଏହି ଦୁଇ ଦିନର ପରୀକ୍ଷାରୁ ଯଥାକ୍ରମେ ୩୩୨ ଜଣ ଓ ୨୮୭ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଟେଷ୍ଟିଂ ଓ ଆକ୍ରାନ୍ତ ସଂଖ୍ୟା ଦେଖିଲେ ଏହି ଦୁଇ ଦିନରେ ବି ପଜିଟିଭ୍ ହାର ୧୦% ଉପରେ ଥିବା ଅନୁମାନ କରାଯାଉଛି।

ଅପରପକ୍ଷେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ହସ୍ପିଟାଲରେ ଶଯ୍ୟା ସଙ୍କଟ ମଧ୍ୟ ଆଉ ଆଗ ଭଳି ନାହିଁ। ଏବେ ଦିନକୁ ୬୦ରୁ ୭୦ଜଣ ଆକ୍ରାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେଉଛନ୍ତି। କିନ୍ତୁ ଆଇସିୟୁ ଓ ଭେଣ୍ଟିଲେଟର ଚାପ ବିଶେଷ କମିନି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ସୁସ୍ଥଙ୍କ ସଂଖ୍ୟା ବି କମିବାରେ ଲାଗିଛି। ଏପରିକି ବିଏମ୍‌ସି ପ୍ରତିଦିନ ପ୍ରାୟ ତିନିରୁ ଚାରିଜଣଙ୍କର ମୃତ୍ୟୁ ଦର୍ଶାଉଛି। ଫଳରେ ରାଜଧାନୀରେ କରୋନା ମୃତ୍ୟୁ ଆଜି ସୁଦ୍ଧା ୪୦୨ରେ ପହଞ୍ଚିଯାଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିଛୁ। ଯିଏ ଟେଷ୍ଟିଂ ପାଇଁ ଆସୁଛନ୍ତି ସେମାନଙ୍କର ଟେଷ୍ଟିଂ କରାଯାଉଛି। ଏବେ ଟେଷ୍ଟିଂ ପାଇଁ କମ୍‌ ଲୋକ ଆସୁଛନ୍ତି। ତେଣୁ ଆମେ ବିଭିନ୍ନ ଜନଗହଳି ସ୍ଥାନ, ମାର୍କେଟ, ହାଟ ବଜାରରେ କୋଭିଡ ପରୀକ୍ଷା କରୁଛୁ। ଅଧିକ ଲୋକଙ୍କର ପରୀକ୍ଷା କରି ସମସ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରୁଛୁ। ପୂର୍ବରୁ ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଥିଲା ଏବେ ସେଗୁଡ଼ିକର ଅଡିଟ୍ ରିପୋର୍ଟ ଆସୁଥିବାରୁ ମୃତକଙ୍କ ସଂଖ୍ୟା ଦୈନିକ ତିନିରୁ ଚାରି ଭିତରେ ରହୁଛି। ଆମକୁ ଯେତିକି ମୃତ୍ୟୁ ରିପୋର୍ଟ ମିଳୁଛି ଆମେ ସେତିକି ଦେଖାଉଛୁ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଅପରପକ୍ଷେ ବିଏମ୍‌ସି କମିସନର ସଂଜୟ ସିଂହ କହିଛନ୍ତି ଯେ ରାଜଧାନୀରେ ଟିକାକରଣଙ୍କୁ ଗୁରୁତ୍ବ ଦିଆଯାଇଛି। ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ୍‌ କରାଯାଇଛି। ଜୁଲାଇ ୧୫ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯିବ। ବର୍ତ୍ତମାନ ସୁଦ୍ଧା ଆମେ ୭୦% ଲୋକଙ୍କର ଟିକାକରଣ ଶେଷ କରିସାରିଲୁଣି। ଟିକାକରଣ ଶେ‌ଷ ହେଲେ ସ୍ଥିତି ସ୍ବତଃସ୍ଫୂର୍ତ୍ତ ସ୍ବାଭାବିକ ହୋଇଯିବ।

ଦେଢ଼ ମାସ ପରେ ୩୦୦ ତଳକୁ ଖସିଲା, ୨୮୭ ଆକ୍ରାନ୍ତ, ୫୩୭ସୁସ୍ଥ
ଭୁବନେଶ୍ବର : ରାଜଧାନୀରୁ ରବିବାର ୨୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୩୭ଜଣ ସୁସ୍ଥ ହୋଇଛନ୍ତି। ଗତ ଦେଢ଼ ମାସ ପରେ ପ୍ରଥମ କରି ଦୈନିକ ସଂକ୍ରମଣ ସଂଖ୍ୟା ୩୦୦ରୁ ତଳକୁ ଖସିଛି। ସୁସ୍ଥ ସଂଖ୍ୟା ଅଧିକ ରହୁଥିବାରୁ ରାଜଧାନୀରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବି ୨ହଜାର ତଳକୁ ଖସିଯାଇଛି। ଆଜି ପଟିଆରୁ ସର୍ବାଧିକ ୨୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବରମୁଣ୍ଡାରୁ ୧୨ଜଣ, ଚନ୍ଦ୍ରଶେଖରପୁରରୁ ୧୯ଜଣ, ଖଣ୍ଡଗିରିରୁ ୧୨ଜଣ, ବରମୁଣ୍ଡାରୁ ୧୨ଜଣ, ମଞ୍ଚେଶ୍ବରରୁ ୧୩ଜଣ, ନୂଆପଲ୍ଲୀରୁ ୧୪ଜଣ, ପୁରୁଣା ଭୁବନେଶ୍ବରରୁ ୧୨ଜଣ, ଶୈଳଶ୍ରୀବିହାରରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର