ଆସନ୍ତା ଏକ ମାସ ଗୁରୁତ୍ବପୂର୍ଣ୍ଣ
ଏବେ ପରୀକ୍ଷାର ୧୦% ଆକ୍ରାନ୍ତ ବାହାରୁଛନ୍ତି
ଭୁବନେଶ୍ୱର : ରାଜଧାନୀରେ ଏବେ ଦିନକୁ ୨୫୦୦ରୁ ୩ହଜାର ପର୍ଯ୍ୟନ୍ତ ଲୋକଙ୍କର କରୋନା ପରୀକ୍ଷା ହେଉଛି। ଏଥିରୁ ୧୦% ଅର୍ଥାତ୍ ଦୈନିକ ୨୫୦ରୁ ୩୦୦ଜଣ ଲୋକଙ୍କର ପଜିଟିଭ୍ ରିପୋର୍ଟ ଆସୁଛି। ବର୍ତ୍ତମାନର ଟ୍ରେଣ୍ଡରେ ରାଜଧାନୀରେ ମୋଟ୍ ପରୀକ୍ଷାର ପ୍ରାୟ ୧୦%ନମୁନା ପଜିଟିଭ୍ ଆସୁଛି। ହେଲେ ଆସନ୍ତା ୧ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ବିଏମ୍ସି ପୂର୍ବାନୁମାନ କରିଛି।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ବିଏମ୍ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ରାଜଧାନୀରେ ଏବେ କରୋନା ଉପରମୁହାଁ ଅଛି। ଶୀର୍ଷରେ ପହଞ୍ଚିବାକୁ କିଛି ଦିନ ଲାଗିବ। ତେଣୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିବ। ଅଗଷ୍ଟ ୩୧ ବେଳକୁ ରାଜଧାନୀରେ ଆକ୍ଟିଭ୍ କେସ୍ ୩୪୨୯ରେ ପହଞ୍ଚିବ। ସେପ୍ଟେମ୍ବର ୧୫ବେଳକୁ ଏହା ୫ ହଜାର ଛୁଇଁବ। ଆସନ୍ତା ଏକ ମାସ ବହୁ ଗୁରୁତ୍ବପୂର୍ଣ୍ଣ। ଜଟିଳ ପରିସ୍ଥିତି ଦେଇ ଆମକୁ ଗତି କରିବାକୁ ହେବ। ତେଣୁ ଆମକୁ ଆଉ ଏକ ମାସ ସତର୍କତାର ସହ ଚଳିବାକୁ ପଡ଼ିବ। ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ହାତ ଭଲ ଭାବେ ଧୋଇବା। ଏହାକୁ ମାନିଲେ କରୋନାକୁ ହରାଇ ପାରିବା।
ବିଏମ୍ସି କମିସନରଙ୍କ ଏହି ପୂର୍ବାନୁମାନ ଦର୍ଶାଇ ଦେଇଛି ଯେ ରାଜଧାନୀରେ କରୋନା ଏବେ କମିବାର ପ୍ରଶ୍ନ ଉଠୁନି। ଏବେ ଦିନକୁ ୩ଶହ ଏବଂ ଏହାଠାରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ହେଁ ଆଗକୁ ଦୈନିକ ୪ଶହରୁ ଅଧିକ ଆକ୍ରାନ୍ତ ବାହାରିବେ। ଆଜି ସୁଦ୍ଧା ରାଜଧାନୀରେ ମୋଟ୍ ୭୦୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୭୫୪ଟି ଆକ୍ଟିଭ୍ କେସ୍ ଅଛି। ୪୨୧୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ମୋଟ୍ ଆକ୍ରାନ୍ତର ୩୯.୨୫% ଆକ୍ଟିଭ୍ କେସ୍ ଅଛି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ଆକ୍ଟିଭ୍ କେସ୍ ସଂଖ୍ୟା ବି ବଢ଼ିବ। ବିଏମ୍ସି ଅଗଷ୍ଟ ୩୧ ବେଳକୁ ୩୪୨୯ଟି ଆକ୍ଟିଭ୍ କେସ୍ ରହିଥିବ କହୁଥିଲେ ହେଁ ଏହା ୩୮୦୦ ପାଖାପାଖି ରହିବ ବୋଲି ବର୍ତ୍ତମାନର ଆକଳନ କହୁଛି। ଏପଟେ ସେପ୍ଟେମ୍ବର ୧୫ ବେଳକୁ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଛୁଇଁପାରେ। କିନ୍ତୁ ବିଏମ୍ସି ଆକଳନ କରୁଛି ଯେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରୁ ୧୫ହଜାର ଛୁଇଁବ। ସେଥିରୁ ୫ ହଜାର ଆକ୍ଟିଭ୍ କେସ୍ ଥିବ। ବିଏମ୍ସି ଆକ୍ଟିଭ୍ କେସ୍ ସଂଖ୍ୟା ୫ ହଜାର ଛୁଇଁବ ବୋଲି କହୁଥିଲେ ହେଁ ଏବେ ରାଜଧାନୀରେ ୪୧୫୧ଟି ଶଯ୍ୟା ଅଛି। ଏତେସଂଖ୍ୟକ ବଳକା ଆକ୍ରାନ୍ତଙ୍କୁ ନେଇ ବିଏମ୍ସିର ବି ଅଭିନବ ଯୋଜନା ଅଛି। ଆଗକୁ ଯେତେ ଆକ୍ରାନ୍ତ ବଢ଼ିବେ, ସେଥିରୁ ୫୦% ଘରେ ସଙ୍ଗରୋଧରେ ରହିବେ। କାରଣ ଭୁବନେଶ୍ବରରେ ଏବେ ଲକ୍ଷଣବିହୀନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେମାନଙ୍କୁ କୋଭିଡ୍ ହସ୍ପିଟାଲ କି କୋଭିଡ୍ କେୟାର ସେଣ୍ଟର୍କୁ ନେବାର ଯୋଜନା ନାହିଁ। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲେ ବିଏମ୍ସି ଘରେ ରଖି ଚିକିତ୍ସା କରିବ ଏବଂ ରାପିଡ୍ ରେସ୍ପନ୍ସ ଟିମ୍ ଦ୍ବାରା ସମସ୍ତଙ୍କ ଉପରେ ନଜର ରଖିବ ବୋଲି ଯୋଜନା କରିଛି।

ଏବେ ୪୧% ଶଯ୍ୟା ଖାଲି ଅଛି
ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ପାଇଁ ଆବଶ୍ୟକ ଶଯ୍ୟା ନାହିଁ, ବାହାର ଜିଲ୍ଲାର ଆକ୍ରାନ୍ତ ଭୁବନେଶ୍ବରର ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିବାରୁ ରାଜଧାନୀବାସୀଙ୍କୁ ଚିକତ୍ସା ଯୋଗାଇବାରେ ସମସ୍ୟା ହେବ ବୋଲି ଲୋକଙ୍କର ଧାରଣା ସୃଷ୍ଟି ହୋଇଛି। ଏନେଇ ବିଏମ୍ସି କମିସନର୍ କହିଛନ୍ତି ଯେ ରାଜଧାନୀର ବିଭିନ୍ନ କୋଭିଡ୍ କେୟାର ସେଣ୍ଟର, କୋଭିଡ୍ କେୟାର ହୋମ୍ ଏବଂ କୋଭିଡ୍ ହସ୍ପିଟାଲରେ ୪୧୫୧ ଶଯ୍ୟା ଅଛି। ଏଥିରୁ ୩୮% ଶଯ୍ୟାରେ ବିଏମ୍ସି ଅଞ୍ଚଳର ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୨୧%ଶଯ୍ୟାରେ ବାହାର ଜିଲ୍ଲାର ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏବେ ବି ୪୧% ଶଯ୍ୟା ଖାଲି ପଡ଼ିଛି। ତେଣୁ ଲୋକ ଭୟଭୀତ ହେବାର କାରଣ ନାହିଁ। ସମସ୍ତଙ୍କୁ ଉନ୍ନତମାନର ଚିକିତ୍ସା ମିଳିବ। ଆମର ଆକଳନ ଅନୁଯାୟୀ, ଏବେ ପର୍ଯ୍ୟାପ୍ତ ଶଯ୍ୟା ଅଛି। ଲୋକଙ୍କୁ କିଛି ଅସୁବିଧା ହେବନି।
କମିସନରଙ୍କ ହିସାବ ଅନୁଯାୟୀ, ଏବେ ଭୁବନେଶ୍ବରର ୩୮% ଅର୍ଥାତ୍ ୧୫୭୮ଜଣ ଏବଂ ଭୁବନେଶ୍ବର ବାହାରର ୨୧ ଅର୍ଥାତ୍ ୮୭୨ଜଣ ଚିକିତ୍ସିତ ହେଉଛନ୍ତି। ବିଏମ୍ସି କମିସନର୍ ଏହି ହିସାବ ଦେଇଥିବା ବେଳେ କୋଭିଡ୍ ହସ୍ପିଟାଲ, କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମରେ କେତେ ଆକ୍ରାନ୍ତ ଅଛନ୍ତି, କହିନାହାନ୍ତି। ଅସଲରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ବାହାର ରାଜ୍ୟର ଆକ୍ରାନ୍ତ ଭର୍ତ୍ତି ହୋଇଯାଇଛନ୍ତି। ଭୁବନେଶ୍ବରର ଅଧିକାଂଶ ଆକ୍ରାନ୍ତ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି।