ରାଜଧାନୀରେ ୨୪ ଘଣ୍ଟାରେ ୬୧୯ ନୂଆ ଆକ୍ରାନ୍ତ

ଆଉ ୧୨ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲଗିଛି। ଗତକାଲି ୫୭୪ଜଣ ଚିହ୍ନଟ ହୋଇଥିବା ବେଳେ ସୋମବାର ୬୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢ଼ୁ ନଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଗତକାଲି ୧୧୪ଜଣ ସୁସ୍ଥ ହୋଇଥିଲେ। ସୋମବାର ୧୧୭ଜଣ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଗତକାଲି ଥିବା ୨୮୩୩ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୩୩୨୫ରେ ପହଞ୍ଚିଛି। ଅଧିକ ସଂକ୍ରମଣ ନ ବଢ଼ିବା ପାଇଁ ବିଏମ୍‌ସି କଣ୍ଟେନ୍‌ମେଣ୍ଟ ଜୋନ୍‌ କରୁଛି। କିନ୍ତୁ ସଙ୍ଗରୋଧ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ଅଧିକା ରହୁଥିବାରୁ ବିଏମ୍‌ସିର ଚିନ୍ତା ବଢ଼ୁଛି। ଗତକାଲି ଚିହ୍ନଟ ହୋଇଥିବା ୫୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୫୧୧ଜଣ ସ୍ଥାନୀୟ ସଂକ୍ରମିତ ଥିଲେ। ଆଜିର ୬୧୯ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୧ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୫୬୮ ରହିଛି। ଝାରପଡ଼ା ଅଞ୍ଚଳରୁ ସର୍ବାଧିକ ୨୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବରମୁଣ୍ଡା ଅଞ୍ଚଳରୁ ୧୫, ଏମ୍‌ସ ନଗରରୁ ୧୪ ଏବଂ ଚନ୍ଦ୍ରଶେଖରପୁର ଓ ଆଇଆରସି ଭିଲେଜ୍‌ ଅଞ୍ଚଳରୁ ୧୦ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ଆଉ ୧୨ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ବର : ସଂକ୍ରମଣ ରୋକିବା ପାଇଁ ବିଏମ୍‌ସି ଉଦ୍ୟମ ଅବ୍ୟାହତ ରଖିଛି। ନିର୍ଦ୍ଦିଷ୍ଟ ଜାଗାରୁ ମାତ୍ରାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ନିୟମିତ ଭାବେ ବିଏମ୍‌ସି କଣ୍ଟେନ୍‌ମେଣ୍ଟ ଜୋନ୍‌ କରୁଛି। ଗତକାଲି ୧୯ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଥିବା ବେଳେ ଆଜି ଆଉ ୧୨ଟି ଜାଗାରେ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଲଗାତାର ୪ଦିନରେ ବିଏମ୍‌ସି ୬୫ କଣ୍ଟେନ୍‌ମେଣ୍ଟ ଜୋନ୍‌ କରି ସାରିଲାଣି। ଆଜି ୮ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଥିବା ବେଳ‌େ ୪ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ହୋଇଛି।

ପାତ୍ରପଡ଼ା କଳିଙ୍ଗବିହାର ପ୍ଳଟ୍‌ ନଂ ଏଚ୍‌ଆଇଜି-୪, ଗଣ୍ଡମୁଣ୍ଡା ଗଣେଶନଗର ପ୍ଲଟ ନଂ ୬୩, ପୁରୁଣା ଭୁବନେଶ୍ବର ମହତାବ ରୋଡ୍‌ ପ୍ଳଟ୍‌ ନଂ ୧୬୬, ଝାରପଡ଼ା ଖୁସି କ୍ଲାସିକ୍‌ ଆପାର୍ଟମେଣ୍ଟ ଫ୍ଲାଟ୍‌ ନଂ-୨, ଭୀମଟାଙ୍ଗି ହାଉସିଂବୋର୍ଡ କଲୋନି ପ୍ଲଟ୍‌ ନଂ ୧୦୭, କଂଗ୍ରେସ ଭବନ ପାଖ ସରକାରୀ କ୍ବାର୍ଟର ନଂ ଆଇଭିଏ-୨୧/୨, ସୁନ୍ଦରପଦା ଆଜାଦ୍‌ ନଗର ପ୍ଲଟ୍‌ ନଂ ୨୫୩୭/୨୫୮୮, ସହିଦନଗର ପ୍ଲଟ୍‌ ନଂ ୫୩୧କୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବରେ ଘୋଷଣା କରାଯାଇଛି।

ସେହିଭଳି ରସୁଲଗଡ଼ ବ୍ରାଇଟ୍‌ ରେସିଡେନ୍‌ସି ଫ୍ଲାଟ୍‌ ନଂ ଏ୧-୩୦୪, ଜିଜିପି କଲୋନି ଶବର ସାହି, ନହରକଣ୍ଟା କେନାଲ ରୋଡ୍‌ ତ୍ରିନାଥମନ୍ଦିର ପାଖ ପ୍ଲଟ୍‌ ନଂ ୬୫୭/୧୦୯, ରଘୁନାଥପୁର ମଣିତ୍ରିଭୁବନ ଆପାର୍ଟମେଣ୍ଟ, ଜିଏନ୍‌-ଜିଆରଏନ୍‌ସିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମ୍‌ସି କଟକଣା ଜାରି କରିଛି। ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟସେବା ପାଇଁ ଜନସାଧାରଣ ୱାର୍ଡ ଅଫିସର୍‌ଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର