ଭୁବନେଶ୍ୱର : ରାଜଧାନୀରେ ଦୈନିକ କରୋନା ସଂକ୍ରମଣ ୩ଶହରେ ଲଟକି ରହିଛି। ଏହା ତଳକୁ ଖସୁନାହିଁ। ଗତ ୨୪ଘଣ୍ଟାରେ ରାଜଧାନୀରୁ ୩୨୫ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ସିଆରପିଏଫ୍‌ କ୍ୟାମ୍ପସ୍‌ରୁ ୩୮ଜଣ ରହିଛନ୍ତି। ଭୁବନେଶ୍ବରରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୯୨ରେ ପହଞ୍ଚିଛି। ୩୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ସଙ୍ଗରୋଧରୁ ଓ ୨୧୮ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସିଆରପିଏଫ୍‌ କ୍ୟାମ୍ପସ୍ ଛଡ଼ା ନୂଆପଲ୍ଲୀ, ୟୁନିଟ-୮, ଟଙ୍କପାଣି ଜୁଡିସିଆଲ କଲୋନି, ସତ୍ୟନଗର, ସୌଭାଗ୍ୟ ନଗର, ଶୈଳଶ୍ରୀ ବିହାର, ରଘୁନାଥ ନଗର, ପୁରୁଣା ଭୁବନେଶ୍ବର, ଶ୍ରୀରାମ ନଗର, ପଟିଆ, ପଳାଶୁଣୀ, ନୀଳକଣ୍ଠ ନଗର, ନୀଳାଦ୍ରି ବିହାର, କୋଳଥିଆ, ଝାରପଡ଼ା, ଖଣ୍ଡଗିରି ବିହାର, ନାଗେଶ୍ବର ଟାଙ୍ଗୀ, ଓମ୍‌ଫେଡ ଛକ, ଚନ୍ଦ୍ରଶେଖରପୁର, ଏମ୍‌ସର କର୍ମଚାରୀ, ବମିଖାଲ ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ସିଆରପିଏଫ୍‌ରୁ ୧୮ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାବାଦ୍ ପଟିଆ, ପୁନାମା ଗେଟ୍‌, ପାୱାର ହାଉସ୍ କଲୋନି, ଡୁମୁଡୁମା, ଏମ୍‌ସର ୫ଜଣ କର୍ମଚାରୀ, ଜଗନ୍ନାଥ ନଗର, ଝାରପଡ଼ା, ଜୟଦେବ ବିହାର, ଘାଟିକିଆ, ଏଜି ଛକ ନିକଟ, ନାଲକୋ ନଗର, ବାଳକାଟି, ରେଳୱେ କଲୋନି, ରଘୁନାଥପୁର, ସହିଦ ନଗର, ଆର୍‌ବିଆଇ କଲୋନି, ସତ୍ୟନଗର, ଗୋପବନ୍ଧୁ ନଗର, ତମାଣ୍ଡୋ, ୟୁନିଟ୍‌-୧ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜଧାନୀରେ ଏବେ ସୁଦ୍ଧା ୧୪,୪୩୬ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି। ତଥାପି ୪୦୭୪ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି। ରାଜଧାନୀରେ ସୁସ୍ଥ ହାର ୭୭ପ୍ରତିଶତ ଟପିଛି। ଅପରପକ୍ଷରେ ରାଜଧାନୀରେ କରୋନା ମୃତ୍ୟୁ ୬୮ରେ ସ୍ଥିର ରହିଛି।

Advertisment

କରୋନାରେ ଡାକ କର୍ମଚାରୀଙ୍କ ମୃତ୍ୟୁ
ବାଲିପାଟଣା : ବାଲିପାଟଣା ପୋଷ୍ଟ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କର ଆଜି କରୋନାରେ ମୃତ୍ୟୁ ହୋଇଛି। ସୋମଣା ପଞ୍ଚାୟତର ୪୫ ବର୍ଷୀୟ ଏହି ଯୁବକ ଭୁବନେଶ୍ୱରରେ ପରିବାର ସହ ରହୁଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଗତ ସୋମବାର ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେହି ମେଡିକାଲରେ ଚିକିତ୍ସାଧୀନ ଥିଲେ। ସେ ଗତ ୭ ତାରିଖରୁ ଅସୁସ୍ଥତା କାରଣରୁ ଛୁଟି ନେଇ ଚନ୍ଦ୍ରଶେଖରପୁରସ୍ଥିତ ଘରେ ରହୁଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଗତ ମଙ୍ଗଳବାର ଏବଂ ବୁଧବାର ବାଲିପାଟଣା ପୋଷ୍ଟ ଅଫିସ ସଟ୍‌ଡାଉନ୍‌ କରାଯାଇ ସାନିଟାଇଜ ହୋଇଥିଲା। ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।