ଖୋର୍ଧା ଜିଲ୍ଲାର ୪୧% ରୋଗୀ ରାଜଧାନୀରୁ

ଭୁବନେଶ୍ବର : ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ତାହିଁରୁ କେବଳ ୪୧ ପ୍ରତିଶତ ରୋଗୀ ରାଜଧାନୀରୁ ରହିଛନ୍ତି। ଏଭଳି ପରିସଂଖ୍ୟାନରୁ ରାଜଧାନୀରେ କରୋନା ଧୀରେ ଧୀରେ ନିଜର କାୟା ମେଲାଇବାକୁ ଆରମ୍ଭ କରିଥିବା ସ୍ପଷ୍ଟ ହୋଇଯାଇଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୨୪ଜଣ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ମାତ୍ର ୪ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ବେଳେ ଅନ୍ୟମାନେ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି।

ଖୋର୍ଧା ଜିଲ୍ଲା ରାଜ୍ୟର ସଂକ୍ରମଣ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଏ ପର୍ଯ୍ୟନ୍ତ ଜିଲ୍ଲାରୁ ୮୯୪ ଜଣ ରୋଗୀ ଚିହ୍ନଟ ହୋଇସାରିଲାଣି। ତହିଁରୁ ୩୯୬ଜଣ କେବଳ ରାଜଧାନୀରୁ ହିଁ ରହିଛନ୍ତି। ଭୁବନେଶ୍ବରରେ ଗତ ୧ମାସ ଧରି ଯେଉଁଭଳି ଭାବେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାହା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ବେଳେ ତହିଁରେ ଗୋଟିଏ ପରେ ଗୋଟିଏ ବସ୍ତି‌ ଯୋଡ଼ି ହେବାରେ ଲାଗିଛି। ଏହାସହ ଅନେକ ରୋଗୀ ପୂର୍ବରୁ ଚିହ୍ନଟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହେଉଛନ୍ତି। ରାଜଧାନୀରେ ଏବେ ୧୪୮ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୨୧୬ଜଣ ସୁସ୍ଥ ହୋଇ ସାରିଲେଣି।

ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ରୋଗୀଙ୍କ ସର୍ବାଧିକ ମଞ୍ଚେଶ୍ବର ଅଞ୍ଚଳରେ ଥିବା ଏକ ଖବରକାଗଜ କାର୍ଯ୍ୟାଳୟ ନିକଟରୁ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୯ଜଣ ପଜିଟିଭ୍ ବାହାରିଛନ୍ତି। ଏହାସହ ଏୟାରପୋର୍ଟ କଲୋନିରୁ ଦିଲ୍ଲୀ ଫେରନ୍ତା ୨୮ବର୍ଷର ଯୁବକ, ଖଣ୍ଡଗିରି କୋଳଥିଆ ପିପିଏଲ କଲୋନିରୁ, ସାଲିଆସାହି ଶ୍ରୀକ୍ରିଷ୍ଣା ନଗରର ୨ଜଣ, ବିଶାଖାପାଟଣାରୁ ଫେରନ୍ତା ୨ଜଣ, ଅନ୍ୟ ଜିଲ୍ଲରେ ଘର ଥିବା ଜଣେ ୩୮ବର୍ଷର ଯୁବକ, ଶୈଳଶ୍ରୀ ବିହାର ଫେଜ୍-୭ରୁ ୨୬ବର୍ଷର ଯୁବକ, ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରୁ ୪୦ବର୍ଷ ବ୍ୟକ୍ତି, ନୂଆପଲ୍ଲୀ ବାଲିତୋଟାସାହିର ୨୬ ବର୍ଷର ଯୁବକ ଓ ଦିଲ୍ଲୀ ଫେରନ୍ତା ଜଣେ ରେଳବାଇ କର୍ମଚାରୀ ମଧ୍ୟ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର