ରାଜଧାନୀରେ କରୋନା ସଂକ୍ରମଣ ୨୮ହଜାର ନିକଟତର

ଦିନକରେ ୨୩୯ ପଜିଟିଭ୍, ୨ ମୃତ, ୩୮ ଅଧିକାରୀଙ୍କୁ ୬୭ ୱାର୍ଡର ଦାୟିତ୍ବ

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ୨୮ହଜାର ନିକଟତର ହୋଇଛି। ଗତ ୨୪ଘଣ୍ଟାରେ ଭୁବନେଶ୍ବରୁ ୨୩୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ରୋଗୀଙ୍କ ସଂଖ୍ୟା ୨୭,୯୦୯କୁ ବୃଦ୍ଧି ପାଇଛି। ଯଦିଓ ସଂକ୍ରମଣ ଲଗାତାର ଭାବେ ୩ଶହ ତଳେ ରହିଛି, ହେଲେ କରୋନା ମୃତ୍ୟୁ ସଂଖ୍ୟା କମୁନାହିଁ। ଚିହ୍ନଟ ୨୩୯ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ସଙ୍ଗରୋଧରୁ ଓ ୧୭୬ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍‌ରେ ଚନ୍ଦ୍ରଶେଖରପୁର, ୟୁନିଟ୍‌-୨, କଳିଙ୍ଗ ବିହାର, ଜାମଗରା, ପଟିଆ, ସୌଭାଗ୍ୟ ନଗର, ବମିଖାଲ, ଭୋଇ ନଗର, ଭୀମପୁର, ବଡ଼ବଡ଼ ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ୨ ମୃତକଙ୍କ ମଧ୍ୟରେ ୪୪ବର୍ଷର ପୁରୁଷ ଓ ୪୭ବର୍ଷର ମହିଳା ରହିଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୪୪କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୩୦୨ ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ରୋଗୀଙ୍କ ସଂଖ୍ୟା ୨୫,୦୬୦କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ୨୬୮୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

୩୮ ଅଧିକାରୀଙ୍କୁ ୬୭ ୱାର୍ଡର ଦାୟିତ୍ବ
ଭୁବନେଶ୍ୱର : କରୋନା ସଂକ୍ରମଣ ଯେପରି ନବ୍ୟାପିବ ସେଥିପାଇଁ ବିଏମ୍‌ସି ରାଜଧାନୀରେ ବିଭିନ୍ନ ପ୍ରକାରର କଟକଣା ଲଗାଇଥିବାବେଳେ ଏବେ ପରିମଳ ବ୍ୟବସ୍ଥାକୁ ଅଧିକ ଧ୍ୟାନ ଦେଇଛି। ଯେପରି ସବୁ ୱାର୍ଡରେ ନିୟମିତ ଅଳିଆ ଉଠିବ, ଲୋକଙ୍କର ଆବର୍ଜନା ନେଇ କୌଣସି ଅଭିଯୋଗ ରହିବନି ସେଥିପାଇଁ ୱାର୍ଡ ସ୍ତରରେ ପଦକ୍ଷେପ ନିଆଯାଇଛି। ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ୩୮ଜଣ ବରିଷ୍ଠ ଅଧିକାରୀମାନଙ୍କୁ ୬୭ଟି ୱାର୍ଡର ଦାୟିତ୍ବ ଦିଆଯାଇଛି। ୨୯ଜଣ ଅଧିକାରୀଙ୍କୁ ଦୁଇଟି ଲେଖାଏଁ ୱାର୍ଡର ଦାୟିତ୍ବ ଦିଆଯାଇଥିବାବେଳେ ୯ଜଣଙ୍କୁ ଗୋଟିଏ ଲେଖାଏଁ ୱାର୍ଡ ଦିଆଯାଇଛି।

ଏହି ଅଧିକାରୀମାନେ ସଫେଇ, ଅଳିଆ ଉଠିବା, ଡ୍ରେନ୍‌ ସଫେଇ, ବୁସ୍‌ କଟିଂ ଆଦି ତଦାରଖ କରିବା ସହ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରି ଗୁଣାତ୍ମକ ସେବା ଯୋଗାଇବେ। ଏହାସହ ସେମାନଙ୍କ ୱାର୍ଡର କମ୍ୟୁନିଟି ଟଏଲେଟ୍‌, ପବ୍ଲିକ ଟଏଲେଟ୍‌ ଆଦିର କାର୍ଯ୍ୟକାରିତାକୁ ମଧ୍ୟ ଦେଖିବେ। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଉଠା ଦୋକାନୀ ଓ ଅନ୍ୟ ଅନୁଷ୍ଠାନ, ଆବାସିକ ସଂଗଠନ, ପୂଜା କମିଟି ଆଦିକୁ ନିଜ ନିଜ ସ୍ଥାନରେ ଡଷ୍ଟବିନ୍‌ ରଖିବା, ନିକଟବର୍ତ୍ତୀ ଅଞ୍ଚଳକୁ ପରିଷ୍କାର ପରିଛନ୍ନ ରଖିବା ଆଦି ନେଇ ବୁଝାଇବେ।

ସେହିପରି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ କମ୍ୟୁନିଟି ଓ ପବ୍ଲିକ ଟଏଲେଟ୍‌ ସମେତ ହଜାରେଟି ସ୍ଥାନରେ ‘ମୁଁ ସଫେଇବାଲା’ ଅଭିଯାନର ବାର୍ତ୍ତା ରଙ୍ଗିନ ଟିଣ ଫଳକରେ ପ୍ରଦର୍ଶନ କରାଯିବ। ୬୭ଟି ଯାକ ୱାର୍ଡରେ ପ୍ରଚାର ଗାଡ଼ି ବୁଲାଇ କୋଭିଡ୍‌-୧୯ ଏବଂ ପରିମଳ ବ୍ୟବସ୍ଥା ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର