ଆକ୍ରାନ୍ତଙ୍କୁ ହସ୍ପିଟାଲ୍‌ ନେବାରେ ବିଳମ୍ବ, ବସ୍ତିରେ ଉତ୍ତେଜନା

ବିଶରପୁରରେ ଦମ୍ପତି ଆକ୍ରାନ୍ତ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବସ୍ତିଗୁଡ଼ିକରେ ପ୍ରାୟ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ସେମାନଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଉନାହିଁ। ଏଥିପାଇଁ ବସ୍ତି ଅଞ୍ଚଳରେ ଉତ୍ତେଜନା ଦେଖାଯାଉଛି। ଆଜି ପଣ୍ଡା ପାର୍କ ଅଞ୍ଚଳର ଗୋଟିଏ ପରିବାରର ତିନି ଜଣ କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ ନେବାରେ ବିଳମ୍ବ ଘଟିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପଜିଟିଭ୍ ରିପୋର୍ଟ ମିଳିବାର ୨୪ ଘଣ୍ଟା ପରେ ମଧ୍ୟ ସେମାନଙ୍କୁ ବିଏମ୍‌ସି କର୍ତ୍ତୃକକ୍ଷ କୋଭିଡ୍‌ ହସ୍ପିଟାଲ୍‌କୁ ନେଇନଥିବା ଅଭିଯୋଗ କରି ବସ୍ତିବାସିନ୍ଦା ହୋ-ହଲ୍ଲା କରିଥିଲେ। ପରେ ସେମାନଙ୍କୁ କୋଭିଡ୍‌ କେୟାର୍ ସେଣ୍ଟରକୁ ନିଆଯାଇଥିଲା ଓ ଉତ୍ତେଜନା ଥମିଥିଲା।

ବସ୍ତିବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତୁରନ୍ତ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ନେଇଯିବା କଥା। ମାତ୍ର ବିଏମ୍‌ସି କର୍ତ୍ତୃପକ୍ଷ ବିଳମ୍ବ କରୁଛନ୍ତି। ଏଣେ ଆକ୍ରାନ୍ତମାନେ ସବୁ ଜାଣିବା ପରେ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି। କିଛି ଲୋକ ଜାଣିବା ପୂର୍ବରୁ ଆକ୍ରାନ୍ତମାନେ ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରି ଦେଉଛନ୍ତି। ଫଳରେ ଏବେ ବସ୍ତି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୫ରୁ ଅଧିକ ବସ୍ତି ଥିବାରୁ ଏହି ଅଞ୍ଚଳଗୁଡ଼ିକୁ ବିଏମ୍‌ସି କଡ଼ା ନଜରରେ ରଖିଛି ବୋଲି କହୁଥିଲେ ମଧ୍ୟ ବାସ୍ତବରେ ସେୟା ହେଉନାହିଁ ବୋଲି ବସ୍ତିର ମୁରବିମାନେ ଅଭିଯୋଗ କରିଛନ୍ତି।

ବିଶରପୁରରେ ଦମ୍ପତି ଆକ୍ରାନ୍ତ
ବାଲିଅନ୍ତା : ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ବିଶରପୁର ଗ୍ରାମରେ ଏକ ଦମ୍ପତି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉକ୍ତ ଦମ୍ପତିଙ୍କୁ ଆଜି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ବାମନ ଚରଣ ଭୋଇ ବାଲିଅନ୍ତା ବିଡିଓଙ୍କ ପରାମର୍ଶକ୍ରମେ ପଞ୍ଚାୟତର ୩ ନମ୍ବର ଓ ୪ ନମ୍ବର ୱାର୍ଡକୁ ୩୦ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସିଲ‌୍ କରିଛନ୍ତି। ଏହି ସମୟ ମଧ୍ୟରେ ‌ୱାର୍ଡର କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାର ଲୋକ ଗ୍ରାମ ଭିତରକୁ ପଶି ପାରିବେ ନାହିଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଚାଷ କାମ କରୁଥିବା ଏହି ୩୮ ବର୍ଷୀୟ ଯୁବକ ଜଣକ ଆଣ୍ଠୁଗଣ୍ଠି ରୋଗ ସହିତ କିଡ୍‌ନୀ ରୋଗରେ ପୀଡ଼ିତ। ୧୦ ଦିନ ପୂର୍ବେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କର ସ୍ବାବ୍‌ ପରୀକ୍ଷା କରାଯାଇଥିଲା ଓ ସେମାନେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର