ତ୍ରିଶୁଳିଆ : ବାରଙ୍ଗ ବ୍ଲକରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଆଉ ୨୭ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦କୁ ବୃଦ୍ଧି ପାଇଛି। ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନରାଜ-ମାର୍ଥାପୁର ପଞ୍ଚାୟତରୁ ୮, ବେଲଗଛିଆ, ହରିଅନ୍ତା, କୋରକୋରା, ମୁଣ୍ଡଳୀ, ଶ୍ରୀବନ୍ତପୁର ପଞ୍ଚାୟତରୁ ୨ଜଣ ଲେଖାଏଁ, ଦାଢା, କୁରାଙ୍ଗ ଶାସନ ପଞ୍ଚାୟତରୁ ୩ଜଣ ଲେଖାଏଁ, ଖଳର୍ଦ୍ଧା, ମଧୁପୁର, ଉଷୁମା ପଞ୍ଚାୟତରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି। ବର୍ତ୍ତମାନ ବ୍ଲକରେ ୩୨ଟି ଗାଁ ଗ୍ରିନ୍ ଜେନା୍ରେ ଥିବା ବେଳେ ୩୧ଟି ୟେଲୋ ଓ ୧୩ଟି ରେଡ୍ ଜୋନ୍ରେ ରହିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ ୮୬ଜଣ ଗୃହ ସଂଗରୋଧରେ ରହିଥିବା ବେଳେ ୨୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସରକଣା ପଞ୍ଚାୟତରେ ୧୪ ପଜିଟିଭ୍, ବିଶୋଧନ ହେଲା ୪ ଗାଁ
ବାଲିଅନ୍ତା : ସ୍ଥାନୀୟ ସରକଣା ପଞ୍ଚାୟତରେ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ ଡାକ୍ତର ନିର୍ଦ୍ଦେଶ ଦେଇଛନ୍ତି। ସରକଣାଶାସନ, ପୋଖରୀକୂଳ ସାହି, ଛନ୍ଦୋଳ, ଅନ୍ଧୋଟି ଓ ରଣପୁର ଗ୍ରାମରେ ସଂକ୍ରମିତମାନେ ସଂଗରୋଧରେ ରହିଥିବା ଜଣାପଡ଼ିଛି। ସଂକ୍ରମିତମାନଙ୍କ ଭିତରେ ୪ ଜଣ ମହିଳା ଅଛନ୍ତି। ରୋଗ ନିୟନ୍ତ୍ରଣ ନେଇ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସଙ୍କ ତତ୍ବାବଧାନରେ ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର କର୍ମଚାରୀ ପହଞ୍ଚି ଗ୍ରାମ ବିଶୋଧନ କରିଛନ୍ତି। ହେଲେ ସଂକ୍ରମିତ ରଣପୁର ଗ୍ରାମକୁ ଛାଡ଼ି ଅନ୍ୟସବୁ ଗ୍ରାମ ବିଶୋଧନ କରାଯାଇଛି। ଏନେଇ ସଂପୃକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଶସନିକ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି।