ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ରାଜଧାନୀରୁ ଦିନକରେ ୨୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜଧାନୀରୁ ପୁଣି ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨୨ଜଣଙ୍କ ମଧ୍ୟରେ ୧୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୩ ଜଣ ଗୃହ ସଙ୍ଗରୋଧରେ ଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସ୍ଥାନୀୟ ସଂକ୍ରମିତ ୧୯ଜଣଙ୍କ ମଧ୍ୟରୁ ୧୬ଜଣ ଏକ ଘରୋଇ ଡାକ୍ତରଖାନା କର୍ମଚାରୀ ରହିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨୦ରେ ପହଞ୍ଚିଛି।

ସ୍ଥାନୀୟ ସଂକ୍ରମିତ ଥିବା ୧୯ଜଣଙ୍କ ମଧ୍ୟରୁ ୧୬ଜଣ ଘରୋଇ ଡାକ୍ତରଖାନା କର୍ମଚାରୀ ଅଛନ୍ତି। ୧୬ଜଣଙ୍କ ମଧ୍ୟରେ ୧୩ଜଣ ମହିଳା ଥିବା ବେଳେ(୨୨ବର୍ଷ, ୨୮ବର୍ଷ, ୨୨ବର୍ଷ, ୨୨ବର୍ଷ, ୩୫ବର୍ଷ, ୨୪ବର୍ଷ, ୪୪ବର୍ଷ, ୨୪ବର୍ଷ, ୩୮ବର୍ଷ, ୨୩ବର୍ଷ, ୩୮ବର୍ଷ, ୨୮ବର୍ଷ, ୨୩ବର୍ଷ) ୩ଜଣ ପୁରୁଷ(୪୮ବର୍ଷ, ୧୮ବର୍ଷ, ୨୭ବର୍ଷ)। ସମସ୍ତେ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ୨ଜଣ ନୀଳାଦ୍ରିବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳର(୩୯ବର୍ଷୀୟ ପୁରୁଷ, ୩୪ବର୍ଷୀୟ ମହିଳା) ହୋଇଥିବା ବେଳେ ଦୁହେଁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଅନ୍ୟ ଜଣେ କରୋନା ଆକ୍ରାନ୍ତ(୬୫ବର୍ଷୀୟ) ଶୈଳଶ୍ରୀବିହାର ଅଞ୍ଚଳର ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଗୃହ ସଙ୍ଗରୋଧରେ ଥିବା ୩ଜଣ ଆକ୍ରାନ୍ତ ହେଲେ ମୈତ୍ରୀବିହାର, ଚନ୍ଦ୍ରଶେଖରପୁର ଅଞ୍ଚଳର କୋଲକାତା ଫେରନ୍ତା ୨୮ବର୍ଷୀୟ ଯୁବକ, ୨୯ବର୍ଷୀୟ ଦିଲ୍ଲୀ ଫେରନ୍ତା ରେଳ କର୍ମଚାରୀ ଏବଂ ଭିଏସଏସ ନଗର ଅଞ୍ଚଳର ଦିଲ୍ଲୀ ଫେରନ୍ତା ୨୪ବର୍ଷୀୟ ଯୁବକ। ରାଜଧାନୀରେ ଏବେ ୧୦୩ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୧୩ଜଣ ରୋଗୀ ସୁସ୍ଥ‌ ହୋଇସାରିଲେଣି।

ରକ୍ତଭଣ୍ଡାର କର୍ମଚାରୀଙ୍କ ନମୁନା ରିପୋର୍ଟ ନେଗେଟିଭ୍
ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରକ୍ତଭଣ୍ଡାର ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି। ରକ୍ତଭଣ୍ଡାରରେ କାର୍ଯ୍ୟରତ ୧୦ଜଣ କର୍ମଚାରୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ନମୁନା ନେଗେଟିଭ୍ ରହିଥିବା ଜଣାପଡ଼ିଛି। ତେବେ ଗତକାଲି ଆଉ ୨ଜଣ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ରକ୍ତଭଣ୍ଡାର ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରିନାହିଁ। କେବଳ ଜରୁରୀ ଥିବା ରୋଗୀମାନଙ୍କୁ ରକ୍ତ ଦିଆଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର