ରାଜଧାନୀରେ ଛାଇଗଲାଣି : ପୁରୁଣା, ନୂଆ ଭୁବନେଶ୍ୱର ସବୁଠି କରୋନା ରୋଗୀ

ରେକର୍ଡ ସଂଖ୍ୟକ ପଜିଟିଭ୍, ରୋଗୀ ସଂଖ୍ୟା ୪ଶହ ପାର୍‌

ଭୁବନେଶ୍ବର : ରାଜଧାନୀରେ ରେକର୍ଡ କରୁଛି କରୋନା। ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହେଲାଣି ପୁରୁଣା ଭୁବନେଶ୍ବରଠାରୁ ଆରମ୍ଭ କରି ନୂଆ ଭୁବନେଶ୍ବର ଅଞ୍ଚଳରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ଘଣ୍ଟାରେ ୪୫ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ରାଜଧାନୀରେ ସଂଖ୍ୟା ୪ଶହ ପାର୍ କରିଛି।

ଗତ ୪ ଦିନ ଭିତରେ ରାଜଧାନୀରେ ୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରେ ୨୮ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ବିଶେଷ କରି ସରକାରୀ ଓ ଘରୋଇ ହସ୍ପିଟାଲରୁ ବହୁ ସଂଖ୍ୟାରେ ରୋଗୀ ଓ କର୍ମଚାରୀ ସଂକ୍ରମିତ ହେଉଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବିଏମ୍‌ସି ପକ୍ଷରୁ ରାଜଧାନୀର ଘରୋଇ ହସ୍ପିଟାଲ/ନର୍ସିଂହୋମ୍‌ଗୁଡ଼ିକ ସ୍ବତନ୍ତ୍ରଭାବେ ଏକ ଏସ୍‌ଓପି ଜାରି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ନିର୍ଦେଶ ଦିଆଯାଇଛି।

ଖୋର୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୯୪୪ଜଣ ପଜିଟିଭ୍ ବାହାରିଥିବା ବେଳେ ତହିଁରୁ ୪୩ ପ୍ରତିଶତ ଅର୍ଥାତ୍ ୪୧୪ଜଣ ରୋଗୀ କେବଳ ‌ଭୁବନେଶ୍ବରରୁ ରହିଛନ୍ତି। ପ୍ରତ୍ୟେକ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ରାଜଧାନୀର ସଙ୍ଗରୋଧ କେନ୍ଦ୍ରରୁ ୩୭ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ଏମ୍‌ସର ୪ଜଣ କର୍ମଚାରୀ ରହିଛନ୍ତି। ଏକ ଘରୋଇ ହସ୍ପିଟାଲରୁ ମଧ୍ୟ ୩ଜଣ, ମଞ୍ଚେଶ୍ବରସ୍ଥିତ ଏକ ଖବରକାଗଜ କାର୍ଯ୍ୟାଳୟ ନିକଟରୁ ୯ଜଣ, ନୂଆଗାଁରୁ ୬ଜଣ, ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆ ଓ ସତ୍ୟନଗରରୁ ଜଣେ ଲେଖାଏ, ମ‌ଞ୍ଚେଶ୍ବରସ୍ଥିତ ଏକ ବେକେରିରୁ ୩ଜଣ, ସହିଦନଗରର ଏକ ରେସ୍ତୋରାଁ ନିକଟରୁ ଓ ଭରତପୁରରୁ ଜଣେ ଲେଖାଏ ପଜିଟିଭ୍ ବାହାରିଛନ୍ତି। ଏହାବାଦ୍ ହଂସପାଳ ନିକଟସ୍ଥ ଏକ ସପିଂ ମଲ ନିକଟରୁ, ଚକେଇସିଆଣି, ଲକ୍ଷ୍ମୀସାଗର ପୁରୁଷ ପୋଷ୍ଟ ଅଫିସ୍ ଲେନ୍‌, ୟୁନିଟ୍‌-୪ ମାର୍କେଟ୍‌ କମ୍ପ୍ଲେକ୍ସ, ଅଶୋକ ନଗର, ବରମୁଣ୍ଡା ଜଗନ୍ନାଥ ବିହାର, ପୁରୁଣା ଭୁବନେଶ୍ବର ଭୀମଟାଙ୍ଗୀ ଅଞ୍ଚଳରୁ ମଧ୍ୟ ପଜିଟିଭ୍ ବାହାରିଛନ୍ତି।

ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବରମୁଣ୍ଡା ଅଞ୍ଚଳର ଜଣେ ୪୮ବର୍ଷର ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ରବିଟକିଜ୍ କେଦାର ଗୌରୀ ଅଞ୍ଚଳର ୫୬ବର୍ଷର ପୁରୁଷ, ସାଲିଆସାହିର ୨୭ବର୍ଷର ଯୁବତୀ, ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ ୨୯ବର୍ଷର ଯୁବକ, ଡୁମୁଡୁମା ସୁବାସ ନଗର ବସ୍ତି, ପୁରୁଣା ଭୁବନେଶ୍ବର ଜମେଶ୍ବର ପାଟଣା, ୟୁନିଟ୍‌-୪ ଏମଏଲଏ କଲୋନିର ୭୨ବର୍ଷର ବୃଦ୍ଧ ଓ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ୫୫ବର୍ଷର ବ୍ୟକ୍ତି ରହିଛନ୍ତି। ରାଜଧାନୀରେ ଏବେ ୧୬୦ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୨୪୭ଜଣ ସୁସ୍ଥ ହୋଇ ସାରିଛନ୍ତି।

ସମ୍ବନ୍ଧିତ ଖବର