ରାଜଧାନୀରେ ମାଡ଼ିଲାଣି କରୋନା : ୧୫ ଦିନରେ ୯୨ ଆକ୍ରାନ୍ତ ଚିହ୍ନଟ

ଏବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବ୍ୟାପୁଛି, ଚିନ୍ତା ବଢ଼ାଇଲାଣି ଗାଡ଼କଣ ମହିମା ନଗର

ଚନ୍ଦ୍ରଶେଖରପୁର : ମାଡ଼ି ଚାଲିଛି କରୋନା। ପ୍ରତିଦିନ ଗୋଟିଏ ପରେ ଗୋଟିଏ ନୂଆ ଅଞ୍ଚଳକୁ ଛୁଉଁଛି। ମାର୍ଚ୍ଚ ୧୫ରେ ବଡ଼ଗଡ଼ରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ସହରର କୋଣ ଅନୁକୋଣରେ କରୋନା ଆକ୍ରାନ୍ତ। ଏମିତିକି ଗତ ୧୫ ଦିନ ମଧ୍ୟରେ ସହରରେ ୯୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହୋମ କ୍ବାରାଣ୍ଟିନ୍‌ରେ ଥିବା ବେଳେ କିଛି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆଉ କିଛି ଜଣ ଆକ୍ରାନ୍ତ ହୋଇଛନ୍ତି। ବିଏମ୍‌ସି ତଥ୍ୟକୁ ଦେଖିଲେ, ୯୨ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ‌କେବଳ ୨୫ଜଣ ରହିଛନ୍ତି। ଆଗକୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଭୟ ଖେଳି ଯାଇଛି।

ପଟିଆ ଶ୍ରୀବିହାରରେ କେବଳ ୫ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି। ଏହାବ୍ୟତୀତ ଡମଣା, ଚନ୍ଦ୍ରଶେଖରପୁର ଡିଷ୍ଟିକ୍ଟ ସେଣ୍ଟର, ଶୈଳଶ୍ରୀବିହାର, ଚକେଇସିଆଣି, ଭିଏସ୍‌ଏସ୍‌ ନଗରରୁ ବି କରୋନା ଆକ୍ରାନ୍ତ ବାହାରିଥିବା ବେଳେ ଏବେ ବସ୍ତି ଅଞ୍ଚଳରେ ବ୍ୟାପିବା ଆରମ୍ଭ କରିଛି। ସାଲିଆସାହିରୁ ଇତି ମଧ୍ୟରେ ୩ ଆକ୍ରାନ୍ତ ବାହାରି ସାରିଛନ୍ତି। ଶିଖରଚଣ୍ଡି ବସ୍ତି, ବିଶ୍ବେଶ୍ବର ବସ୍ତି ବି କରୋନା ଆକ୍ରାନ୍ତ ବାହରିଛନ୍ତି। ଏବେ ବିଏମ୍‌ସିର ଚିନ୍ତା ବଢ଼ାଇଛି ଗାଡ଼କଣର ମହିମାନଗର। ୧୨ ତାରିଖରେ ଏଠାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୪୬ ବର୍ଷୀୟ ଏହି ଆକ୍ରାନ୍ତଜଣକ ଏକ ଘରୋଇ ମେଡିକାଲରେ କାର୍ଯ୍ୟରତ ଥିଲେ। ଆଉ ତାଙ୍କଠାରୁ ଏହା ବ୍ୟାପିବାରେ ଲାଗିଛି। ଆଜି ପୁଣିଥରେ ମହିମା ନଗରରୁ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି। ‌ସେମାନଙ୍କ ମଧ୍ୟରେ ଜଣେ ୫୩ ବର୍ଷୀୟ ପୁରୁଷ ଓ ଜଣେ ୧୪ବର୍ଷୀୟା ମହିଳା ରହିଛନ୍ତି। ଅନ୍ୟପକ୍ଷରେ ନୂଆ ଅଞ୍ଚଳ ଭାବେ ଆଜି ବିଡିଏ କଲୋନିରୁ ଜଣେ ୨୯ ବର୍ଷୀୟ ମହିଳା ଆକ୍ରାନ୍ତ ବାହାରିଛନ୍ତି। ବିହାରରୁ ଫେରିଥିବା ଏହି ମହିଳା ହୋମ କ୍ବାରାଣ୍ଟିନ୍‌ରେ ରହିଛନ୍ତି। ସୂଚନା ଅନୁଯାୟୀ, ଆଜି ଚନ୍ଦ୍ରଶେଖରପୁରର ଆଉ ଦୁଇଟି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ସରକାରୀ ଭାବେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ।

ବସ୍ତି ଅଞ୍ଚଳରେ କରୋନା ପ୍ରବେଶ କରିଥିବାରୁ ବିଏମ୍‌ସି କର୍ତୃପକ୍ଷଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣ ଯେପରି ନ ବ୍ୟାପେ ସେଥିପାଇଁ ଅଧିକାରୀମାନେ ବସ୍ତିରେ ପହଞ୍ଚି ଲୋକଙ୍କ ସଚେତନ କରିଚାଲିଛନ୍ତି। ସାଲିଆସାହି ନିରାକାରି ନଗରରୁ ଆକ୍ରାନ୍ତ ବାହାରିବାକୁ ପରେ ଗତ ୧୬ ତାରିଖରେ ବିଏମ୍‌ସି କମିସନର ପ୍ରେମଚନ୍ଦ ଚୌଧରୀ ଉକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ। କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ବୁଝାସୁଝା କରିବା ସହ ସଂକ୍ରମଣକୁ କିଭଳି ରୋକାଯାଇ ପାରିବ ସେନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଘରୋଇ ହସ୍ପିଟାଲ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏକାଧିକ ସଂକ୍ରମିତ, ୩ କୋଭିଡ୍‌ ଯୋଦ୍ଧା ପଜିଟିଭ୍
ଭୁବନେଶ୍ବର : ରାଜଧାନୀରେ ଥିବା କୋଭିଡ୍‌ ହସ୍ପିଟାଲର ୩ଜଣ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରେ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା କର୍ମଚାରୀ ଅଛନ୍ତି। ସମସ୍ତ ଆକ୍ରାନ୍ତ ଷ୍ଟାଫନର୍ସ ଥିବା ଜଣାପଡ଼ିଛି। ଗୋଟିଏ ଦିନରେ ରାଜଧାନୀରେ ୯ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ରାଜଧାନୀରେ ଚିହ୍ନଟ ୯ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ। ଚନ୍ଦ୍ରଶେଖରପୁର ବିଡିଏ କଲୋନିର ବିହାର ଫେରନ୍ତା ୨୯ବର୍ଷର ମହିଳା, ଦିଲ୍ଲୀ ଫେରନ୍ତା ଭୀମପୁର ଅଞ୍ଚଳର ୪୬ବର୍ଷର ପୁରୁଷ, କୋଲକାତା ଫେରନ୍ତା ୟୁନିଟ-୬ ଅଞ୍ଚଳର ୨୩ ବର୍ଷୀୟା ଯୁବତୀ ଓ ସାଲିଆସାହି ନିରଙ୍କରୀ ନଗରର ୧୯ ବର୍ଷର ଜଣେ ଯୁବକ ରହିଛନ୍ତି। ସଂପୃକ୍ତ ଯୁବକଜଣକ ପୂର୍ବରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ରାଜଧାନୀରେ ଆକ୍ରାନ୍ତ ସଂଖ୍ୟା ୧୫୮ ଥିବା ବେଳେ ୮୨ଜଣ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି। ୭୨ଜଣ ଏବେ ବି ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର