ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଏହାକୁ ପରିଚାଳନା କରିବା ବିଏମ୍‌ସି ପାଇଁ କଷ୍ଟକର ହୋଇଗଲାଣି। ଗତ ସପ୍ତାହେ ହେଲେ ଲଗାତାର ପ୍ରତିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ/କୋଭିଡ୍‌ କେୟାର ସେଣ୍ଟରକୁ ନେବା ବିଏମ୍‌ସି ପାଇଁ ଚିନ୍ତାର ବିଷୟ ପାଲଟିଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ବିଳମ୍ବ କରୁଥିବାରୁ ଏବେ ରାଜଧାନୀରେ ଅସନ୍ତୋଷ ବଢ଼ିଲାଣି।

Advertisment

ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ବସ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାବେଳେ ବିଭିନ୍ନ ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ପାଖରେ ଆମ୍ବୁଲାନ୍ସ ଅଭାବ ଥିବାରୁ ଏବଂ କର୍ମଚାରୀ କମ୍‌ ଥିବାରୁ କରୋନା ଆକ୍ରାନ୍ତଙ୍କୁ ଘରୁ ସ୍ଥାନାନ୍ତର କରିବା ଏବେ କଷ୍ଟକର ହୋଇଗଲାଣି। ଫଳରେ ବହୁ ସ୍ଥାନରେ ଆକ୍ରାନ୍ତ ଚିହ୍ନଟ ହେବାର ଦିନେ କିମ୍ବା ଦୁଇ ଦିନ ପରେ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲ/କୋଭିଡ୍‌ କେୟାର ହୋମ୍‌କୁ ସ୍ଥାନାନ୍ତର କରାଯାଉଛି। କିନ୍ତୁ ଯେଉଁଠି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେଠାରେ କଣ୍ଟାକ୍ଟ ଟ୍ରେସିଂରେ ବିଳମ୍ବ ଏବଂ କିଏ ସଙ୍ଗରୋଧରେ ରହିବେ ତାହା ସ୍ଥିର କରିବାକୁ ଅଧିକ ସମୟ ନିଆଯାଉଥିବାରୁ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ବଢ଼ୁଛି।

publive-image

ଗୋଟିଏ ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ସେଠାରେ କୋକୁଆ ଭୟ ସୃଷ୍ଟି ହୋଇଯାଉଛି। ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁ ମୁହୂର୍ତ୍ତରେ ଫୋନ୍‌ କରି ଜଣାଉଛନ୍ତି ଯେ, ଆପଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ତାହା ପରେ ପରିବାର ଲୋକ ସମେତ ପାଖ ପଡ଼ୋଶୀ ଛାନିଆ ହୋଇଯାଉଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ କେତେବେଳେ ଆମ୍ବୁଲାନ୍ସ ପଠାଇବେ, କେତେବେଳେ ହସ୍ପିଟାଲକୁ ନେବେ, କେତେବେଳେ ଘର ଓ ନିକଟବର୍ତ୍ତୀ ଅଞ୍ଚଳକୁ ବିଶୋଧନ କରିବେ ସେହି ଅପେକ୍ଷାରେ ରହୁଛନ୍ତି।

ସବୁଠୁ କଷ୍ଟଦାୟକ ହେଉଛି, ଆକ୍ରାନ୍ତ ଯେତେ ସମୟ ଘରେ ରହୁଛନ୍ତି ତାଙ୍କର ମାନସିପ ଚାପ ସେତେ ବଢ଼ୁଛି। କାରଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଘରୁ ହିଁ ପରିବାର ଲୋକଙ୍କ ବ୍ୟବହାର ବଦଳିଯାଉଛି। କାହାକୁ ଛୁଅଁନି, ବେଡ୍‌ରେ ଶୁଅନି, ‌କୁଆଡ଼େ ଯିବନି, କାହା ସହ ମିଶିବନି, ଏୟା ଖାଇବନି ଏମିତି କଟକଣା ‌ପରିବାର ଲୋକ ଲଗାଇ ଦେଉଛନ୍ତି। ଏପଟେ ପାଖ ପଡ଼ୋଶୀ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପରିବାରର ଲୋକଙ୍କୁ ନିଆଁ ପାଣି ବାସନ୍ଦ କରିବା ଭଳି ବ୍ୟବହାର କରୁଛନ୍ତି। ଯେଉଁମାନେ କିଛି ଘଣ୍ଟା ପୂର୍ବରୁ ମିଶୁଥିଲେ, ଭଲରେ କଥା ହେଉଥିଲେ ସେମାନେ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ପରିବାର ଲୋକଙ୍କୁ ଦେଖିଲେ କୋଷେ ଦୂରରୁ ମୁହଁ ମୋଡ଼ି ପଳାଉଛନ୍ତି। କଥାବାର୍ତ୍ତା ବି ହେଉନାହାନ୍ତି। ଆକ୍ରାନ୍ତଙ୍କ ପରିବାରକୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ବାହାରୁ ଆଣି ଯୋଗାଇବା ଦୂର କଥା। ଫଳରେ ଆକ୍ରାନ୍ତଙ୍କ ପରିବାର ସଙ୍ଗରୋଧ ନିୟମ ଭାଙ୍ଗି ଘରଠାରୁ ଦୂରକୁ ଯାଇ ହାଟ ବଜାର ବୁଲି ଜିନିଷ କିଣୁଛନ୍ତି। ସେମାନଙ୍କର ଯେତେବେଳେ କରୋନା ପଜିଟିଭ୍ ରିପୋର୍ଟ ଆସୁଛି ସେତେବେଳକୁ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଯାଉଛନ୍ତି। ଯେଉଁଥିପାଇଁ ଏବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି।

publive-image

ପ୍ରାୟ ଦେଢ଼ ବର୍ଷ ହେଲାଣି ବିଏମ୍‌ସିର ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହେଲାଣି। ନିର୍ବାଚନ ହୋଇ ନ ଥିବାରୁ ଏବେ ୱାର୍ଡରେ ଲୋକ ପ୍ରତିନିଧି କେହି ନାହାନ୍ତି। ପ୍ରତିିନିଧି ନ ଥିବାରୁ ଲୋକଙ୍କ ସ୍ବର ବିଏମ୍‌ସି ବାବୁମାନଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାର ଅଭିଯୋଗ ହେଉଛି। କିଛି ପୂର୍ବତନ କର୍ପୋରେଟର୍‌ ବ୍ୟକ୍ତିଗତ ଉଦ୍ୟମରେ ଲୋକଙ୍କ କାମ କରୁଥିଲେ ବି ବିଏମ୍‌ସି ସେମାନଙ୍କ କଥା ଶୁଣୁନି ବୋଲି ଅଭିଯୋଗ ହେଉଛି। ବିଏମ୍‌ସି ୱାର୍ଡ ସ୍ତରରେ କାମ କଲାବେଳେ ସେମାନଙ୍କୁ ଖୋଜୁଛି, ଅଥଚ ଲୋକଙ୍କ କାମ ନେଇ ସେମାନେ ଫୋନ୍‌ କଲେ କି ସହଯୋଗ ମାଗି‌ଲେ ବିଏମ୍‌ସି କର୍ତ୍ତୃପକ୍ଷ ଆଉ ଶୁଣୁ ନାହାନ୍ତି ବୋଲି ସେମାନେ କହିଛନ୍ତି।

କେବଳ ଏତିକି ନୁହେଁ। କଣ୍ଟାକ୍ଟ ଟ୍ରେସିଂ ଠିକ୍‌ ଭାବେ ହେଉନଥିବାରୁ ‌ଆକ୍ରାନ୍ତ କୁଆଡ଼େ ଯାଇଥିଲେ, କାହା ସହ ମିଶିଥିଲେ ସେନେଇ ବିଏମ୍‌ସି କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି। ଆକ୍ରାନ୍ତଙ୍କୁ ବିଳମ୍ବରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବାରୁ ସେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ଓ କଣ୍ଟାକ୍ଟ ଟ୍ରେସିଂରେ ସମସ୍ୟା ହେଉଛି ତାହା ବିଏମ୍‌ସି କର୍ତ୍ତୃପକ୍ଷ ବୁଝିପାରୁନାହାନ୍ତି।

ଏବେ ବସ୍ତି ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ କରାଯାଉନି। ତେଣୁ ସେମାନେ ସଙ୍ଗରୋଧ ନିୟମ ଭାଙ୍ଗି, କଣ୍ଟେନମେଣ୍ଟ ଜୋନ୍‌ ଡେଇଁ ବାହାରକୁ ଯାଉଛନ୍ତି। ପୂର୍ବରୁ ଆମେ ନିଜ ହାତରୁ ଅର୍ଥ ଖର୍ଚ୍ଚ କରି, ବିଭିନ୍ନ ସ୍ଥାନରୁ ସହଯୋଗ ଆଣି ଲୋକଙ୍କୁ ଖାଦ୍ୟ ଦେଉଥିଲୁ। ତେଣୁ ଲୋକ ନିୟମ ମାନି ରହୁଥିଲେ। ଏବେ ବିଏମ୍‌ସି କର୍ତ୍ତୃପକ୍ଷ ଲୋକଙ୍କୁ ଖାଦ୍ୟ ଦେଉନାହାନ୍ତି କି ନିୟମ ମାନି କିପରି ରହିବେ ସେ ବ୍ୟବସ୍ଥା କରୁନାହାନ୍ତି। ତେଣୁ ଲୋକ ନିୟମ ମାନୁନାହାନ୍ତି। ଏକଥା ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ବୁଝାଇଲେ ବି ସେମାନେ ବୁଝୁନାହାନ୍ତି। ସେହିପରି ଆକ୍ରାନ୍ତଙ୍କୁ ଘରୁ ନେବା ପରେ ତାଙ୍କ ଘରକୁ କି ନିକଟବର୍ତ୍ତୀ ଅଞ୍ଚଳକୁ ତୁରନ୍ତ ବିଶୋଧନ କରାଯାଉନି। ଯାହା ଲୋକଙ୍କ ଅସନ୍ତୋଷ ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ।

ଏନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସ୍ବାସ୍ଥ୍ୟ ବିଭାଗ ବିଏମ୍‌ସିକୁ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ଜଣାଇବା ପରେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ/ କୋଭିଡ୍‌ କେୟାର ସେଣ୍ଟର/କୋଭିଡ୍‌ କେୟାର ହୋମ୍‌କୁ ସ୍ଥାନାନ୍ତର କରାଯାଉଛି। କିଏ ଘରେ ସଙ୍ଗରୋଧ ରହିବେ ତାହା ପଚାରିବା ପରେ ଆମେ ତାଲିକା ପ୍ରସ୍ତୁତ କରି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଉଛୁ। ସେମାନଙ୍କର ପ୍ରାୟ ୧୦ଟି ଆମ୍ବୁଲାନ୍ସ ଅଛି। ସେଥିରେ ସେ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରୁଛନ୍ତି। ଯଦି ସେମାନେ ବିଳମ୍ବ କରୁଥିବେ ତେବେ ଆମେ କିଛି କରିପାରିବୁନି।

publive-image India Today

ସେହିପରି କେଉଁ ଅଞ୍ଚଳ ବିଶୋଧନ ହେବ ସେନେଇ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଯାଉଛି। ବିଏମ୍‌ସି ଓ ଭୁବନେଶ୍ବର ଅଗ୍ନିଶମ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ବିଶୋଧନ କରାଯାଉଛି। ସେମାନେ ତାଙ୍କ ସୀମିତ ଗାଡ଼ି, କମର୍ଚାରୀଙ୍କୁ ନେଇ ବିଶୋଧନ କରୁଛନ୍ତି। ସବୁ ଅଞ୍ଚଳରେ ସଙ୍ଗେସଙ୍ଗେ ବିଶୋଧନ କରିବା ସମ୍ଭବ ନୁହେଁ। କଣ୍ଟାକ୍ଟ ଟ୍ରେସିଂ ପ୍ରକ୍ରିୟା ଜୋରଦାର ହେଉଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅଧିକରୁ ଅଧିକ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଆମେ ୧୫ଟି ଆର୍‌ଆର୍‌ଟି ଗଠନ କରିଛୁ।

ପୂର୍ବତନ କର୍ପୋରେଟରମାନେ ଯେଉଁ ଅଭିଯୋଗ କରୁଛନ୍ତି ତାହା କିଛି ମାତ୍ରାରେ ଠିକ୍‌। ବିଏମ୍‌ସିର ଅଧିକାରୀମାନେ କାମ ଚାପରେ ରହୁଥିବାରୁ ଫୋନ୍‌ ଉଠାଇପାରୁନଥିବେ। କିନ୍ତୁ ପୂର୍ବତନ କର୍ପୋରେଟରମାନଙ୍କ ସହଯୋଗ ଯୋଗୁଁ ହିଁ ବିଏମ୍‌ସି କରୋନା ମୁକାବିଲାରେ ସଫଳ ହୋଇଛି। ‌ଆଗାମୀ ଦିନରେ ଏହିଭଳି ସହଯୋଗ ଜାରି ରଖିବାକୁ ଆମେ ଉଦ୍ୟମ କରିବୁ।