ବାରଙ୍ଗ : ବାରଙ୍ଗ ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦାଢ଼ାପାଟଣାରୁ ଆଜି ପୁଣି ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ରାମଦାଶପୁର ପଞ୍ଚାୟତର ନୂଆସାହିର ଗୋଟିଏ ପରିବାରରୁ ୫ଜଣ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସଂକ୍ରମିତ ପରିବାରକୁ ଗୃହ ସଙ୍ଗରୋଧରେ ରହିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏହି ପଞ୍ଚାୟତରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେଣୁ ଆଜିର ୫ ଜଣଙ୍କୁ ମିଶାଇ ମୋଟ ୬ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ରାମଦାଶପୁର ସରପଞ୍ଚ ପଞ୍ଚାୟତକୁ ଗୁରୁବାର ସନ୍ଧ୍ୟା ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗତ ଶନିବାର ପଞ୍ଚୁପାଳ ଗ୍ରାମର ୮୫ବର୍ଷୀୟ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା। ସେହିଦିନ ଦାଢ଼ାପାଟଣା ଗ୍ରାମର ଜଣେ ମଧ୍ୟ ପ୍ରାଣ ହରାଇଥିଲେ। ସେହିଭଳି ଆଜି କୁହ୍ନେଇପଡ଼ା ପଞ୍ଚାୟତ ଓ ଶ୍ରୀବନ୍ତପୁର ପଞ୍ଚାୟତରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଆଜି ବାରଙ୍ଗ ବ୍ଲକରୁ ମୋଟ ୧୩ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବାରଙ୍ଗ ବ୍ଲକରେ ଚିହ୍ନଟ ହୋଇଥିବା ମୋଟ୍ ୮୦ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦାଢ଼ାପାଟଣା ପଞ୍ଚାୟତରୁ ୩୧ ଜଣ ସଂକ୍ରମିତ ବାହାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚନା ଦେଇଛନ୍ତି।
ବାଲିଅନ୍ତା : ଗୋଟିଏ ପରିବାରରୁ ୬
ବାଲିଅନ୍ତା : ସ୍ଥାନୀୟ ବାଲିଅନ୍ତା ବ୍ଲକ୍ ପୂରଣପଧାନ ପଞ୍ଚାୟତରେ ଗୋଟିଏ ପରିବାରର ୬ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି ଓ ପ୍ରଥମ ଆକ୍ରାନ୍ତଙ୍କୁ କୋଭିଡ୍ କେୟାର୍ ସେଣ୍ଟର୍କୁ ନିଆଯାଇଛି। ସରପଞ୍ଚ ଝିଲ୍ଲି ସ୍ବାଇଁ ଉକ୍ତ ପରିବାରକୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି।
ସୂଚନାନୁସାରେ, ଏହି ପରିବାରରୁ ଜଣେ ୪୫ ବର୍ଷୀୟ ବିବାହିତ ଯୁବକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଥଣ୍ଡା ଜ୍ବର ଓ କାଶ ଲାଗି ରହିଥିଲା। ଚିକିତ୍ସା ଲାଗି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାବ୍ ନମୁନା ପରୀକ୍ଷଣ କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେଣୁ ଉକ୍ତ ପରିବାରର ଅନ୍ୟ ସଦସ୍ୟମାନଙ୍କର ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା। ଆଜି ଅନ୍ୟ ୫ ଜଣଙ୍କର ପଜିଟିଭ୍ ରିପୋର୍ଟ ମିଳିଛି। ବ୍ଲକରେ ଦିନକୁ ଦିନ ପଜିଟିଭ୍ଙ୍କ ସଂଖ୍ୟା ବଢ଼ିବା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି।
ବାଲିପାଟଣାରେ ୮ ପଜିଟିଭ୍
ବାଲିପାଟଣା : ଚଳିତ ସପ୍ତାହରେ ବାଲିପାଟଣାରେ ମୋଟ୍ ୬୪ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଆଜି ପୁଣି ୮ ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଆଜିର ରିପୋର୍ଟ ଅନୁସାରେ, ବାଲିପାଟଣା ଥାନାର ୩ କର୍ମଚାରୀ, ବ୍ଲକର ଜଣେ ଓ ମେଡିକାଲ୍ର ୨ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ମଝିହରା ଓ ଅଠାନ୍ତର ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ୍ ଚି଼ହ୍ନଟ ହୋଇଥିବା ସୂଚନା ମିଳିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଗତ ଗୁରୁବାର ୧୧, ଶୁକ୍ରବାର, ଶନିବାର ଓ ରବିବାର ଦିନ ୨୫ ଜଣ, ସୋମବାର, ମଙ୍ଗଳବାର ଓ ବୁଧବାର ୨୦ ଜଣ ଏବଂ ଆଜି ୮ ଜଣ ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। କୋଭିଡ୍ ହସ୍ପିଟାଲ୍ରେ ଶଯ୍ୟା ଅଭାବ ଥିବାରୁ ପ୍ରଶାସନ ଅଧିକାଂଶ ଆକ୍ରାନ୍ତଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଉଥିବା ସୂଚନା ମିଳିଛି। କରୋନା ଆକ୍ରାନ୍ତମାନେ ଗାଁରେ ରହୁଥିବାରୁ ଲୋକେ ବେଶି ଭୟଭୀତ ହୋଇପଡ଼ୁଥିବା ଜଣାପଡ଼ିଛି। କାରଣ କିଛି ସଂକ୍ରମିତ ସଙ୍ଗରୋଧ ନିୟମକୁ ଠିକ୍ରେ ପାଳନ କରୁନଥିବା ଦେଖିବାକୁ ମିଳୁଛି। ସେହିଭଳି ଅଗ୍ନିଶମ ବିଭାଗ କିଛି ଗାଁକୁ ସାନିଟାଇଜ୍ କରୁ ନଥିବା କାରଣରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି।