ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ମାଡ଼ୁଛି କରୋନା। ଗତ କିଛି ଦିନ ହେଲା, ଏଠାରୁ ପୁଳାପୁଳା କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଦୁଇ ଦିନ ତଳେ ଏକାଥରେ ୪୫କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦ଜଣ କର୍ମଚାରୀ ସଂକ୍ରମିତ ହୋଇଥିବା ଜଣାଯାଇଛି। କରୋନାର ତୃତୀୟ ଲହର ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ମୋଟ ୧୨୫ଜଣ କର୍ମଚାରୀ ସଂକ୍ରମିତ ହୋଇସାରିଲେଣି। ଏମାନଙ୍କ ମଧ୍ୟରେ ୪୦ରୁ ଊର୍ଧ୍ବ ଡାକ୍ତର ଥିବା ବେଳେ ୩୦ ଜଣ ଷ୍ଟାଫ୍‌ ନର୍ସ, ୪୦ ଜଣ ଟେକ୍‌ନିସିଆନ୍‌, ୧୫ ଜଣ ଫାର୍ମ‌ାସିଷ୍ଟ ଥିବା ଜଣାଯାଇଛି। ଆକ୍ରାନ୍ତ ୧୫ଜଣ ଡାକ୍ତର ସୁସ୍ଥ ହୋଇ ପୁଣି କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୨୫ରୁ ଅଧିକ ଡାକ୍ତର ବର୍ତ୍ତମାନ ମଧ୍ୟ ଚିକିତ୍ସାଧୀନ ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ କିମ୍ବା ବିଲ୍‌କୁଲ୍‌ ଲକ୍ଷଣ ନଥିବା ଦେଖାଯାଉଛି। କିନ୍ତୁ ସେମାନେ ଅନ୍ୟକୁ ସଂକ୍ରମିତ କରିବାର ସମ୍ଭାବନା ଥିବାରୁ ସେମା‌ନେ ସଂଗରୋଧରେ ରହିଥିବା କହିଛନ୍ତି ହସ୍ପିଟାଲର ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ।

Advertisment

ଅପରପକ୍ଷେ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ଦୁଇ ଦିନ ହେଲା ହସ୍ପିଟାଲ‌ରେ ଖାଲି ସକାଳ ବେଳା ଓପିଡି ଖୋଲା ଯାଉଛି। ଏହାସହ ହସ୍ପିଟାଲ ପରିସରରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ବିଭାଗ ସମ୍ମୁଖରେ ଭିଡ଼ ରୋକିବା ପାଇଁ ମାଇକ୍‌ ସାହାଯ୍ୟରେ ସଚେତନତା ଓ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି।