ହାଟ, ଗୋଦାମରେ କରୋନା ମାଡ଼ : ଆଳୁଗଦି, ୟୁନିଟ-୪ ଓ ୟୁନିଟ-୧ ସବୁଠୁ ଅଧିକ ପ୍ରଭାବିତ; ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି

ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେତେ ବଢ଼ୁଛି ହାଟ ବଜାର ସେତେ ପ୍ରଭାବିତ ହେଉଛି। ଏବେ ରାଜଧାନୀର ଦୁଇଟି ପ୍ରମୁଖ ହାଟ ୟୁନିଟ-୧, ୟୁନିଟ୍‌-୪ରେ ବହୁ ବ୍ୟବସ‌ାୟୀ, ହାଟରେ କାମ କରୁଥିବା ଲୋକ କରୋନା ଆକ୍ରାନ୍ତ ହୋଇସାରିଲେଣି। ରାଜଧାନୀ ସମେତ ପାଖଆଖ ଜିଲ୍ଲାକୁ ଆଳୁ, ପିଆଜ ଓ ବାହାର ରାଜ୍ୟରୁ ଆସୁଥିବା କଞ୍ଚା ପରିବା ଯୋଗାଉଥିବା ଆଇଗିଣିଆ ଆଳୁଗଦିରୁ ବି ବହୁ ଆକ୍ରାନ୍ତ ଚିହ୍ନଟ ହେଲେଣି। ତେଣୁ ଏବେ ଏହି ସବୁ ପ୍ରମୁଖ ସ୍ଥାନରେ କରୋନା ଆକ୍ରାନ୍ତ ବଢ଼ିବା ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛି। ବିଏମ୍‌ସି ଲୋକଙ୍କୁ ଯେତେ ବୁଝାଇଲେ ବି ଲୋକ ମାନୁନାହାନ୍ତି। ସାମାଜିକ ଦୂରତା ନେଇ କେହି ସଚେତନ ହେଉନାହାନ୍ତି। ଦେହରେ ଦେହ ଘଷି ହାଟରେ ପରିବା ବ୍ୟାଗ୍‌ ଧରି ‌ଏ ଦୋକାନରୁ ସେ ଦୋକାନକୁ ବୁଲୁଛନ୍ତି। କେଉଁଠି ଦୁଇ ତିନି ଟଙ୍କା କମ୍‌ରେ ମିଳିବ ତାହା ଖୋଜୁ ଖୋଜୁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସି ଯାଉଛନ୍ତି। ରାଜଧାନୀର ସବୁ ପରିବା ହାଟରେ ଏହି ଅବସ୍ଥା। କିନ୍ତୁ ଏହି ତିନିଟି ପ୍ରମୁଖ ହାଟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ଲୋକ ଏହାକୁ ଖାତିର କରୁନାହାନ୍ତି। ଯାହା ବିଏମ୍‌ସି ପାଇଁ ଚିନ୍ତାର ବିଷୟ ପାଲଟିଛି।

New Indian Express

ରାଜଧାନୀର ଏହି ତିନିଟି ସ୍ଥାନରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ୟୁନିଟ-୧ ଓ ଆଇଗିଣିଆ ଆଳୁଗଦିରୁ ଏବେ ବି କରୋନା ଆକ୍ରାନ୍ତ ବାହାରୁଥିଲେ ହେଁ ବିଏମ୍‌ସି ପକ୍ଷରୁ ଏହି ଦୁଇଟି ସ୍ଥାନକୁ ସିଲ୍‌ କରାଯାଇନି। ଏହାକୁ ସିଲ୍‌ କରିଦେଲେ ରାଜଧାନୀ ଏବଂ ବିଭିନ୍ନ ଜିଲ୍ଲାରେ ପରିବା ସଙ୍କଟ ଦେଖାଯିବ। ଯେଉଁଥିପାଇଁ ବିଏମ୍‌ସି କିଛି କଠୋର ପଦକ୍ଷେପ ନେଇପାରୁନି। କିନ୍ତୁ ଏହି ଦୁଇଟି ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନେ ବ୍ୟବସାୟ କରୁଛନ୍ତି। ଯାହା କରୋନା ସଂକ୍ରମଣର ବଡ଼ କାରଣ ସାଜିଲାଣି। ଏବେ ସୁଦ୍ଧା ୟୁନିଟ-୧ ହାଟ ନିକଟସ୍ଥ ଆଖଣ୍ଡଳମଣି ବସ୍ତି, ତାରିଣୀ ବସ୍ତି ଓ ତାଟି ବସ୍ତିରୁ ପ୍ର‌ାୟ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ପ୍ରାୟ ୩୫ଜଣ ୟୁନିଟ-୧ ହାଟସ୍ଥିତ ସଂପୃକ୍ତ। ଅଧିକାଂଶ ହାଟରେ ପରିବା ବ୍ୟବସାୟ କରୁଥିବାବେଳେ କିଛି ଲୋକ ବିଭିନ୍ନ ଦୋକାନରେ ସେଲ୍‌ସମ୍ୟାନ୍ ଓ କୁଲି କାମ କରନ୍ତି। ଏହି ଲୋକମାନେ ରହୁଥିବା ବସ୍ତିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। କିନ୍ତୁ ପେଟପାଟଣା ଚିନ୍ତାରେ ସେମାନେ ହାଟକୁ ଆସିଥିଲେ। ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କର ପଜିଟିଭ୍ ବାହାରିଛି।

ସେହିପରି ୟୁନିଟ-୪ ମାଛ ମାର୍କେଟରେ ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ୧୪ଦିନ ସିଲ୍‌ କରାଯାଇଥିଲା। ଏହାପରେ ଆଉ ୧୧ଜଣ ବାହାରିଥିଲେ। କିନ୍ତୁ ୧୪ଦିନ ପରେ ବିଏମ୍‌ସି ହାଟ ଖୋଲିଥିଲା। ଏବେ କିନ୍ତୁ ଆଉ ତିନିରୁ ଚାରି ଜଣ ଆକ୍ରାନ୍ତ ବାହାରିଲେଣି। ଫଳରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨୫ ଟପିବାକୁ ବସିଲାଣି। ଯଦିଓ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ, କିନ୍ତୁ ବହୁ ଲୋକ ଆସୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ସୂଚନାଯୋଗ୍ୟ ଯେ, ଏହି ଆମିଷ ମାର୍କେଟର ରାଜଧାନୀର ସବୁ ଅଞ୍ଚଳ ସମେତ ଆଖପାଖ ଜିଲ୍ଲାକୁ ମାଛ, ଚିଙ୍ଗୁଡ଼ି ଯୋଗାଣ ହୋଇଥାଏ। ନିକଟରେ ୧୪ଦିନ ପାଇଁ ଗୋଦାମ ସିଲ୍‌ ହୋଇଯାଇଥିବାରୁ ବାହାରେ ଆମିଷ ଦର ବଢ଼ିଯାଇଥିଲା।

Telegraph India

ଅପର‌ପକ୍ଷେ ଆଇଗିଣିଆ ଆଳୁଗଦିରେ ପ୍ରାୟ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ପ୍ରାୟ ୫୦ଜଣ ଆଳୁ ଗଦିରେ କାମ କରନ୍ତି। ଅଧିକାଂଶ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ଏହି ଶ୍ରମିକମାନଙ୍କ ମଧ୍ୟରୁ ଗୋଟିଏ ଗୋଦାମରୁ ୯୦% ଅଛନ୍ତି। ପ୍ରଥମେ ଗୋଟିଏ ଗୋଦାମରୁ ଆକ୍ରାନ୍ତ ବାହାରିଥିବାବେଳେ ଏବେ ଆଉ କିଛି ଗୋଦାମର କର୍ମଚାରୀ ଆକ୍ରାନ୍ତ ହେଲେଣି। ଏଠାରେ କରୋନା ନିୟନ୍ତ୍ରଣ ବାହାରକୁ ଯିବା ପୂର୍ବରୁ ସମାଧାନର ବାଟ ନଖୋଜିଲେ ରାଜଧାନୀରେ ପରିବା ଦର ନିୟନ୍ତ୍ରଣ ବାହାରକୁ ପଳାଇବ। କାରଣ ରାଜଧାନୀର ଅଧିକାଂଶ ଆଳୁ, ପିଆଜ ଓ ପରିବା ଗୋଦାମ ଏଠାରେ ଅଛି।

ସମ୍ବନ୍ଧିତ ଖବର