ଭୁବନେଶ୍ୱର : ରାଜଧାନୀରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ କୋଭିଡ୍ ଯୁଦ୍ଧର ସମ୍ମୁଖ ଭାଗ ଯୋଦ୍ଧା ପୁଲିସ୍ ପ୍ରତି ବିପଦ ବଢ଼ି ଚାଲିଛି। ପ୍ରତିଦିନ ଏକାଧିକ ପୁଲିସ୍ ଆକ୍ରାନ୍ତ ହେଉଛନ୍ତି। ଥାନା, ରିଜର୍ଭ ପୁଲିସ, ସପ୍ତମ ବାଟାଲିଅନ୍, ଏସ୍ଏସ୍ବି ବାଟାଲିଅନ୍; ସବୁଠି କରୋନା ପଶି ସାରିଲାଣି। ଏପରିକି କଡ଼ା ସୁରକ୍ଷା ବଳୟ ଭିତରେ ରହିଥିବା ସ୍ପେସାଲ ବ୍ରାଞ୍ଚର ସ୍ବତନ୍ତ୍ର ସୁରକ୍ଷା ୱିଙ୍ଗ୍ ବାଦ୍ ପଡ଼ିନି। ଗତକାଲି ଏକାଥରକେ ୩୨ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ପୁଲିସ୍ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଯେତିକି ଚିନ୍ତାର ବିଷୟ, ସମାଜ ପାଇଁ ମଧ୍ୟ ସେତିକି ବିପଦ। ଆଇନଶୃଙ୍ଖଳାର ପରିଚାଳନା, ଅପରାଧ ନିୟନ୍ତ୍ରଣ, ମାମଲାର ତଦନ୍ତ ଏବେ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେଲାଣି। ବଡ଼ କଥା ହେଲା, ଥାନା ଓ ଯାଞ୍ଚରେ ସାମିଲ ଥିବା ପୁଲିସଙ୍କ ପାଇଁ ଏବେ ସତର୍କଘଣ୍ଟି। ଦ୍ବୈତନଗରୀରେ କରୋନା ଆହୁରି କାୟା ବିସ୍ତାର କରିବ ବୋଲି ବିଶେଷଜ୍ଞ ମତ ଦେଉଥିବାରୁ ପରିସ୍ଥିତି ଆହୁରି ବିଗିଡ଼ିପାରେ। ଟ୍ରାଫିକ୍ ପୁଲିସ୍ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି।
ବାରାକ୍ରେ ବଢ଼ୁଛି ସଂଖ୍ୟା
ଗତ ଜୁଲାଇ ୨୭ ତାରିଖରେ ପ୍ରଥମଥର ପାଇଁ ରିଜର୍ଭ ପୁଲିସ ବାରାକ୍ରେ କରେନା ପଶିଥିଲା। ଏହା ପରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଏଠାରେ ୨୨୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗତକାଲି ୮ଜଣ ଓ ଆଜି ୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୩୭ରେ ପହଞ୍ଚିଛି। ତେବେ ୩୦ରୁ ଊର୍ଦ୍ଧ୍ବ ପୁଲିସ୍ ସୁସ୍ଥ ହୋଇ ଫେରିଛନ୍ତି। ପୁଲିସ୍ ସିକ୍ୟୁରିଟି ୱିଙ୍ଗ୍ରେ ପ୍ରଥମେ ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଆକ୍ରାନ୍ତ ହୋଇଥିଲେ। ପରେପରେ ଏହି ୱିଙ୍ଗ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ଏକାବେଳକରେ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଭଳି ଉଦ୍ବେଗଜନକ ସ୍ଥିତିକୁ ନେଇ ପୁଲିସ୍ ମହଲରେ ଚିନ୍ତା ବଢ଼ିଛି। ଆଗକୁ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ଥିବାରୁ ପୁଲିସ୍ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରା ନଗଲେ, ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିପଦ ସୃଷ୍ଟି ହୋଇପାରେ।
ଟ୍ରାଫିକ୍ରୁ ବାହାରିଲେଣି ୧୫
ଟ୍ରାଫିକ ପୁଲିସରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଦୁଇଜଣ ପଜିଟିଭ୍ ବାହାରିଛନ୍ତି। ପଜିଟିଭ୍ଙ୍କ ସଂଖ୍ୟା ଏବେ ସୁଦ୍ଧା ୧୫ରେ ପହଞ୍ଚିଲାଣି। ଗାଡ଼ି ଯାଞ୍ଚ ସମୟରେ ସଂକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ପୂର୍ବଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ସେହିପରି ଆଜି ରିଜର୍ଭ ପୁଲିସ କଲୋନିରୁ ୯ଜଣ ଓ ୩ ଜଣ ପୁଲିସ କର୍ମଚାରୀ ପଜିଟିଭ୍ ବାହାରିଛନ୍ତି। ଆଜି ପୁଲିସ ଓ ଟ୍ରାଫିକରେ ମୋଟ ପଜିଟିଭ୍ଙ୍କ ସଂଖ୍ୟା ୧୪ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।
ଭିଜିଲାନ୍ସରେ ୯, ଅଗ୍ନିଶମରୁ ୫
ଭିଜିଲାନ୍ସରୁ ପ୍ରଥମେ ଦୁଇଜଣ ପଜିଟିଭ୍ ବାହାରିବା ପରେ ସଂଖ୍ୟା ବଢ଼ି ଚାଲିଛି। ଆଜି ୪୦, ୪୧, ୪୩ ଓ ୪୫ ବର୍ଷୀୟ ୪ଜଣ ପୁରୁଷ କର୍ମଚାରୀ ପଜିଟିଭ୍ ବାହରିଛନ୍ତି। ଏହି ୪ ଜଣଙ୍କୁ ମିଶାଇ ଏବେ ସୁଦ୍ଧା ୯ ଜଣ ପଜିଟିଭ୍ ବାହାରି ସାରିଲେଣି। ସମସ୍ତ କର୍ମଚାରୀଙ୍କର ସ୍ବାବ୍ ଟେଷ୍ଟ ହୋଇଥିଲା ବେଳେ ସମସ୍ତ ରିପୋର୍ଟ ଆସି ନାହିଁ। ସେହିପରି ଆଜି ୫ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨୫, ୨୬, ୨୭, ୨୮, ୨୯ ବୋଲି ଜଣାପଡ଼ିଛି। ସେହିପରି ସିଆରପିଏଫ କ୍ୟାମ୍ପସ୍ରୁ ୩ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି।