ଚିନ୍ତା ବଢ଼ାଇଲାଣି ପୁଲିସ୍‌ ଆକ୍ରାନ୍ତ, ପଜିଟିଭ୍‌ଙ୍କ ସଂଖ୍ୟା ୪୫୦ ଟପିଲାଣି

ଭୁବନେଶ୍ୱର : ପ୍ରମୁଖ କରୋନା ଯୋଦ୍ଧା ପୁଲିସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଥାନା ହେଉ କି ପୁଲିସ ସେବା ଭବନ, ଡିସିପି ଅଫିସ, ରିଜର୍ଭ ପୁଲିସ ଲାଇନ, ସପ୍ତମ ବାଟାଲିଅନ୍, ଏସଏସବି ସବୁଠି କରୋନା କାୟା ବିସ୍ତାର କରି ସାରିଲାଣି। ରାଜଧାନୀରେ ପୁଲିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚିନ୍ତାର କାରଣ ସାଜିଛି। ବିଶେଷ କରି ଗୋଟିଏ ପରେ ଗୋଟିଏ ଥାନାରେ କର୍ମଚାରୀ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ସିଧାସଳଖ ପ୍ରଭାବ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ପଡୁଛି। ଯାହା କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ଭୁବନେଶ୍ବର ସହରାଞ୍ଚଳ ପୁଲିସ ଓ ରିଜର୍ଭ ଲାଇନ୍‌ରେ ୪୬୧ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୨୮୪ଜଣ ସୁସ୍ଥ ହୋଇ ସାରିଲେଣି। ୧୭୭ଜଣ ପୁଲିସ କର୍ମଚାରୀ ଚିକିତ୍ସାଧୀନ ରହିଛନ୍ତି। ସୁସ୍ଥ ହେଉଥିବା କର୍ମଚାରୀଙ୍କ ଭିତରୁ କିଛି କାର୍ଯ୍ୟରେ ଯୋଗ ଦେଲେଣି। ଏହାବାଦ୍ ସପ୍ତମ ବାଟାଲିଅନ୍, ସ୍ପେସାଲ ସିକ୍ୟୁରିଟି ବାଟାଲିଅନ୍, ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ରୁ ଅଧିକ ହେବ ବୋଲି ଜଣାପଡ଼ିଛି।

୪ ଥାନାରେ ରେକର୍ଡ ସଂଖ୍ୟକ ପଜିଟିଭ୍
ରାଜଧାନୀରେ ୪ଟି ଥାନାରେ ଅଧିକ ସଂଖ୍ୟାରେ ପଜିଟିଭ୍ ବାହାରିଛନ୍ତି। ସେଗୁଡ଼ିକ ହେଲା, ତମାଣ୍ଡୋ, ଖାରବେଳନଗର, ବଡ଼ଗଡ଼ ଓ କ୍ୟାପିଟାଲ ଥାନା। ତମାଣ୍ଡୋ ଓ ଖାରବେଳନଗର ଥାନାରେ ପ୍ରାୟ ୯୦ ପ୍ରତିଶତ କର୍ମଚାରୀ କରୋନା ପଜିଟିଭ୍ ବାହାରିଥିବା ବେଳେ ଥାନା କାମ ଚାଲିବା ଏକ ପ୍ରକାର କଷ୍ଟକର ହୋଇପଡ଼ିଛି। ଅନ୍ୟ ଥାନା କର୍ମଚାରୀଙ୍କ ସହାୟତାରେ ଥାନା କାର୍ଯ୍ୟ ଚାଲିଛି। ବଡଗଡ଼ ଓ କ୍ୟାପିଟାଲ ଥାନାରେ ନୂଆ ପଜିଟିଭ୍‌ ବାହାରି ନାହାନ୍ତି।

୩ ଅତିରିକ୍ତ ଡିସିପି, ୫ ଏସିପି, ୬ ଇନ୍ସପେକ୍ଟର ଆକ୍ରାନ୍ତ
ରାଜଧାନୀରେ କରୋନା ସଂକ୍ରମଣ ଶୀର୍ଷରେ ଥିବା ବେଳେ ସବୁ ପରିସ୍ଥିତିରେ ସାମ୍ନାକୁ ଆସୁଥିବା ପୁଲିସ କର୍ମଚାରୀ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ୩ ଅତିରିକ୍ତ ଡିସିପି, ୫ଏସିପି, ୬ଜଣ ଇନ୍ସପେକ୍ଟର୍‌ ଆକ୍ରାନ୍ତ ହୋଇସାରିଲେଣି।

ସପ୍ତମ ବାଟାଲିଅନ୍ ହଟସ୍ପଟ୍
ସପ୍ତମ ଓଏସ୍ଏପି ବାଟାଲିଅନରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସପ୍ତମ ବାଟାଲିଅନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ ହୋଇଗଲାଣି। ସପ୍ତମ ବାଟାଲିଅନ୍ ହଟସ୍ପଟ୍ ବୋଲି କୁହାଯାଉଛି। ସପ୍ତମ ବାଟାଲିଅନ୍ ବିଭିନ୍ନ ସ୍ଥାନରେ ନିୟୋଜିତ ରହି ଡ୍ୟୁଟି କରୁଥିବାରୁ ସଂକ୍ରମଣ ବଢ଼ୁଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର