ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମଣ ଉପରମୁହାଁ ଥିବା ବେଳେ ପ୍ରମୁଖ ଯୋଦ୍ଧା ପୁଲିସ୍‌‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଥାନା, ରିଜର୍ଭ ପୁଲିସ ଲାଇନ, ସପ୍ତମ ବାଟାଲିଅନ୍, ଟ୍ରାଫିକ ପରେ ଡିସିପି ଅଫିସରେ କରୋନା ପଶିଛି। ଆକ୍ରାନ୍ତ ପୁଲିସଙ୍କ ସଂଖ୍ୟା ତିନି ଶହ ପାର୍ ହୋଇ ଯାଇଛି। ସଂଖ୍ୟା ବଢ଼ୁଥିବାରୁ ଏବେ ଚିନ୍ତାର ବିଷୟ ପାଲଟିଛି। ହାତଗଣତି ଥାନାକୁ ଛାଡ଼ିଦେଲେ ୧୫ରୁ ଅଧିକ ଥାନା କର୍ମଚାରୀ ଏବେ ସଂକ୍ରମିତ ହେଲେଣି। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ରକ୍ଷା ସହ ଅପରାଧ ମାମଲାର ତଦନ୍ତ କରିବା ପୁଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ଅପରପକ୍ଷରେ ୧୭୦ରୁ ଅଧିକ କର୍ମଚାରୀ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଡିସିପି ଅଫିସରୁ ଏକାଥରକେ ୨୩, କ୍ରାଇମ ସେକ୍ସନ, କଣ୍ଟ୍ରୋଲ ରୁମ୍ ସମେତ ୬ ବିଭାଗ କର୍ମଚାରୀ ସଂକ୍ରମିତ
ଡିସିପି ଅଫିସ୍‌ରେ ଏକାଥରକେ ୨୩ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ରାଇମ ସେକ୍ସନ୍, ଡିଆଇବି, ଜିଲ୍ଲା କ୍ରାଇମ ରେକର୍ଡ ବ୍ୟୁରୋ, ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍, ସ୍ପେସାଲ ସ୍କ୍ବାଡ୍‌, ଏଷ୍ଟାବ୍ଲିସମେଣ୍ଟ ବିଭାଗର କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ଡିଆଇବି ଓ ମଡର୍ଣ୍ଣ କଣ୍ଟ୍ରୋଲ ରୁମକୁ ବାଦ୍ ଦେଲେ ଅନ୍ୟ ବିଭାଗକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଡିସିପି ଅଫିସ୍‌କୁ ସାନିଟାଇଜ୍ କରାଯାଇଛି। ବୁଧବାର ଓ ଗୁରୁବାର ଅଫିସ୍‌କୁ ବନ୍ଦ କରାଯାଇଛି। ଏହି ସମୟରେ ଅଭିଯୋଗକାରୀଙ୍କ ପାଇଁ ମୁଖ୍ୟ ଫାଟକରେ ଏକ ବାକ୍ସ ଲଗାଯାଇଛି। ସଂକ୍ରମଣ କେମିତି ହେଲା ଜଣା ପଡ଼ି ନଥିଲେ ମଧ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ ପିଏସ୍ଓଙ୍କ ଜରିଆରେ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି। ସେହିପରି ଗତ କିଛି ଦିନ ମଧ୍ୟରେ ଏକାଧିକ ଅପରାଧୀଙ୍କୁ ଧରିଥିବା ସ୍ପେସାଲ ସ୍କ୍ବାଡ୍‌ କର୍ମଚାରୀ ଆକ୍ରାନ୍ତ ହୋଇଥିବା କୁହାଯାଉଛି।

ବଡ଼ଗଡ଼ ଥାନାରେ ସର୍ବାଧିକ
ବଡ଼ଗଡ଼ ଥାନାରେ ସର୍ବାଧିକ ୨୪ଜଣ ପୁଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏହି ଥାନାରେ ପ୍ରାୟ ୪୦ ଜଣ କର୍ମଚାରୀ ଥିବା ବେଳେ ଅଧାରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି, ଯାହା ଏବେ ଚ୍ୟାଲେଞ୍ଜର ବିଷୟ ହୋଇଛି। ଥାନାକୁ ନିୟମିତ ସାନିଟାଇଜ୍ କରାଯାଉଛି। ଏହା ପଛକୁ ରହିଛି କ୍ୟାପିଟାଲ ଥାନା। କ୍ୟାପିଟାଲ ଥାନାରେ ଏବେ ସୁଦ୍ଧା ପ୍ରାୟ ୧୫ ଓ ଖଣ୍ଡଗିରି ଥାନାରୁ ପ୍ରାୟ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହିପରି ପ୍ରାୟ ୧୫ଟି ଥାନା କର୍ମଚାରୀ ଆକ୍ରାନ୍ତ ହୋଇ ସାରିଲେଣି।

ସପ୍ତମ ବାଟାଲିଅନ୍‌ ହଟସ୍ପଟ୍
ସପ୍ତମ ଓଏସ୍‌ଏପି ବାଟାଲିଅନ୍ ସଂକ୍ରମଣ ହଟସ୍ପଟ୍‌ ପାଲଟିଛି। ରାଜଧାନୀରେ ଆକ୍ରାନ୍ତ ହୋଇଥିବା ପୁଲିସ କର୍ମଚାରୀଙ୍କ ମଧ୍ୟରୁ ୩୦ପ୍ରତିଶତରୁ ଅଧିକ ସପ୍ତମ ବାଟାଲିଅନରୁ ବାହାରିଲେଣି। ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ ହୋଇଗଲାଣି। ସପ୍ତମ ବାଟାଲିଅନର ସିପାହୀ ଥାନା ସମେତ ବିଭିନ୍ନ ପୁଲିସ ପ୍ରତିଷ୍ଠାନ, ବ୍ୟାଙ୍କରେ କାମ କରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି।

publive-image

ସଂକ୍ରମଣ ବଢ଼ିଲା କେମିତି?
ପୁଲିସ ଲୋକଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସୁଛି। ମାମଲାର ତଦନ୍ତ ସହ ଅଭିଯୁକ୍ତଙ୍କୁ ଗିରଫଦାରି କିମ୍ବା ଚଢ଼ଉ କରୁଛି। ଏହାବାଦ୍ ଗାଡ଼ିମୋଟର ଯାଞ୍ଚ ସମୟରେ ମଧ୍ୟ ପୁଲିସ ଲୋକଙ୍କ ସଂସ୍ପର୍ଶରେ ଆସୁଛି। ଏଥିପାଇଁ ପୁଲିସ କର୍ମଚାରୀ ସଂକ୍ରମିତ ହେଉଛନ୍ତି। ସେମାନେ ରିଜର୍ଭ ପୁଲିସ, ସପ୍ତମ ବାଟାଲିଅନର ହୋଇଥିବାରୁ ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବାରୁ ସଂକ୍ରମଣ ବଢ଼ି ଚାଲିଛି।

ଧିମେଇ ଯାଉଛି ତଦନ୍ତ
ଥାନାରେ ସଂକ୍ରମିତ କର୍ମଚାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ତଦନ୍ତ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଲକ୍‌ଡାଉନ୍‌ରେ ଯଥେଷ୍ଟ ଅପରାଧ ମାମଲା ଘଟିଛି। ସେ ସବୁର ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିବା ଏବେ ସବୁଠୁ କଠିନ ବୋଲି କହିଛନ୍ତି ଆଇନଜୀବୀ ଚିତ୍ତରଞ୍ଜନ ଦାଶ। ତଦନ୍ତ ବିଳମ୍ବିତ ହେବାର ଆଶଙ୍କା ପ୍ରକାଶ ପାଇଛି ବୋଲି ସେ କହିଛନ୍ତି।

ଜିଆରପି ଥାନାରୁ ୨
ଭୁବନେଶ୍ବର ଜିଆରପି ଥାନାରୁ ଦୁଇଜଣ ପଜିଟିଭ୍‌ ବାହାରିଛନ୍ତି। ଜଣେ ଏଏସ୍ଆଇ ଓ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଏସଆଇଙ୍କର ପ୍ରଥମେ ଜ୍ବର ହୋଇଥିଲା। ସେ କୋଭିଡ୍‌ ପରୀକ୍ଷା କରାଇଥିଲେ। ତାଙ୍କର ପଜିଟିଭ୍ ବାହାରିଥିଲା। ସେହିପରି ଅନ୍ୟ ଜଣ କର୍ମଚାରୀଙ୍କର ପଜିଟିଭ୍ ବାହାରିଛନ୍ତି। ଅନ୍ୟ ସମସ୍ତ କର୍ମଚାରୀଙ୍କର ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ପ୍ରାୟ ମାସେ ପୂର୍ବରୁ କଟକରୁ ଆସି ଜିଆରପି ଥାନାରେ ଯୋଗ ଦେଇଥିବା ଜଣେ ସବଇନ୍ସପେକ୍ଟରଙ୍କର ପଜିଟିଭ୍ ବାହାରିଥିଲା।

୪ କରୋନା ଯୋଦ୍ଧା ପଜିଟିଭ୍‌
ବାଲିଅନ୍ତା : ଆଜି ବାଳକାଟି ଫାଣ୍ଡିର ପୁଣି ୩ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଜଣେ କନେଷ୍ଟବଳ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେଣୁ ଆଜିର ୩ ଜଣ କର୍ମଚାରୀ ସଂକ୍ରମିତ ହେବା ପରେ ଆକ୍ରାନ୍ତ ସଂଖ୍ୟା ୪ରେ ପହଞ୍ଚିଛି। ଆଜି ଚିହ୍ନଟଙ୍କ ମଧ୍ୟରେ ଦୁଇଜଣ ଓଏପିଏଫ୍‌ ପୁଲିସ କର୍ମଚାରୀ ଓ ଅନ୍ୟ ପିସିଆର ଗାଡ଼ି ଚାଳକ ବୋଲି ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ଲାଗି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବାରଙ୍ଗର ଦୁଇ ଥାନାରେ ୯ ସଂକ୍ରମିତ
ବାରଙ୍ଗ : ବାରଙ୍ଗ ଅଞ୍ଚଳର ଦୁଇ ଥାନାରେ ୯ଜଣ ପୁଲିସ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନନ୍ଦନକାନନ ଥାନାରୁ ଜଣେ ଗାଡ଼ି ଚାଳକ, ଦୁଇ ଜଣେ ଏଏସ୍ଆଇ ଓ ଦୁଇଜଣ କନେଷ୍ଟବଲଙ୍କ ସମେତ ମୋଟ ୫ଜଣ ସଂକ୍ରମିତ ହୋଇଛନ୍ତି। ଗାଡ଼ି ଚାଳକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୪ଜଣ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ବାରଙ୍ଗ ଥାନାର ଏଏସ୍ଆଇ ଓ କନେଷ୍ଟବଲଙ୍କୁ ମିଶାଇ ମୋଟ ୫ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି।