ବସ୍ତିରେ ବଢ଼ୁଛି କରୋନା, ସାମିଲ ହେଲା୨ ନୂଆ ବସ୍ତି

ବଢ଼ିଚାଲିଛି ସ୍ଥାନୀୟ ସଂକ୍ରମଣ, ନୂଆ ୧୨ ପଜିଟିଭ୍, ୮ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ପ୍ରତ୍ୟେକ ଦିନ ନୂଆ ନୂଆ ବସ୍ତି ସ୍ଥାନୀୟ ସଂକ୍ରମଣ ତାଲିକାରେ ଯୋଡ଼ି ହେଉଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୨ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତହିଁରେ ୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୨ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଚିଲିପୋଖରୀ ନିକଟସ୍ଥ ଟଙ୍କପାଣି ରୋଡ୍‌ରେ ପଶ୍ଚିମବଙ୍ଗ ଫେରନ୍ତା ୨ଜଣ, ଶୈଳଶ୍ରୀ ବିହାରରୁ ଜଣେ ବେଙ୍ଗାଲୁରୁ ଫେରନ୍ତା, ଖଣ୍ଡଗିରିର ତୃପ୍ତି ରେସିଡେନ୍‌ସି ନିକଟରେ ପୁନେ ଫେରନ୍ତା ଜଣେ ବ୍ୟକ୍ତି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ତେବେ ଡୁମୁଡୁମା ଅଞ୍ଚଳର ରଘୁନାଥ ନଗର ବସ୍ତିରୁ ୨ଜଣ ଓ ଶୁକ ବିହାର ବସ୍ତିରୁ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ଦୁଇଟି ବସ୍ତି ରାଜଧାନୀର ସଂକ୍ରମଣ ତାଲିକାରେ ନୂତନ ଭାବେ ସାମିଲ ହୋଇଛି। ଏହାବାଦ୍ ଗଞ୍ଜାମ ଫେରନ୍ତା ଶ୍ରୀରାମନଗରର ଜଣେ ୩୫ବର୍ଷର ମହିଳା, ଘରୋଇ ହସ୍ପିଟାଲର ଜଣେ ୩୩ବର୍ଷର ପୁରୁଷ, ନୀଳାଦ୍ରିବିହାର ସେକ୍ଟର-୨ରେ ରହୁଥିବା ୫୩ବର୍ଷର ବିଡିଏର ପମ୍ପ ଡ୍ରାଇଭର, ଜାଗମରା କ୍ରିଷ୍ଣା ଗାର୍ଡେନ୍‌ର ୩୪ବର୍ଷର ପୁରୁଷ ଓ ୟୁନିଟ-୨ ଅଞ୍ଚଳର ୩୦ ବର୍ଷର ଜଣେ ମହିଳା ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀରେ ଏବେ କରୋନା ରୋଗୀଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଏଥିରୁ ୧୯୨ଜଣ ସୁସ୍ଥ ହୋଇଥିବା ବେଳେ ୧୩୫ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର