ଆକ୍ରାନ୍ତଙ୍କ ସଂଖ୍ୟା ୬ମାସର ରେକର୍ଡ ଭାଙ୍ଗିଲା, ଅକ୍ଟୋବର ୧୦ ପରେ ଆଜି ୩୦୦ ଟପିଲା

ଭୁବନେଶ୍ବର : ରାଜଧାନୀରେ ଆଜି ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ମାସର ରେକର୍ଡ ଭା‌ଙ୍ଗିଛି। ୬ମାସ ତଳେ ଅର୍ଥାତ୍ ଅକ୍ଟୋବର ୧୦ରେ ଶେଷ ଥର ପାଇଁ ୩୨୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଆଜି ପର୍ଯ୍ୟନ୍ତ କେବେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିନଥିଲା। ସେପ୍ଟେମ୍ବର ଓ ଅକ୍ଟୋବରରେ ଆକ୍ରାନ୍ତଙ୍କ ସଂଖ୍ୟା ଉପରମୁହାଁ ଥିବାବେଳେ ଅକ୍ଟୋବରରେ ଅଧିକାଂଶ ଦିନ ୧୦୦ରୁ ଓ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ମାସ ଶେଷକୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କକୁ ଖସିଥିଲା। ହେଲେ ଏବେ ହଠାତ୍ ଦିନକରେ ଶହେରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଇଥିବାରୁ ରାଜଧାନୀରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ବୁଧବାର ଦିନ ମୋଟ୍ ୩୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରେ ୬୯ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଛନ୍ତି। ୨୩୮ଜଣ ସ୍ଥାନୀୟ ସଂକ୍ରମିତ। ଆଜି ଖଣ୍ଡଗିରି ଅଞ୍ଚଳରୁ ସର୍ବ‌ାଧିକ ୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀରୁ ୨୨ଜଣ, ପଟିଆରୁ ୨୬ଜଣ, ଶୈଳଶ୍ରୀବିହାରରୁ ୯ଜଣ, ଜାଗମରାରୁ ୭ଜଣ, ଆଚାର୍ଯ୍ୟ ବିହାରରୁ ୫ଜଣ, ବଡଗଡ଼ରୁ ୧୦ଜଣ, ବରମୁଣ୍ଡାରୁ ୬ଜଣ, ଜିଜିପ କଲୋନିରୁ ୬ଜଣ, ମଞ୍ଚେଶ୍ବରରୁ ୬ଜଣ, ଝାରପଡ଼ାରୁ ୭ଜଣ, ଭିଏସ୍‌ଏସ୍‌ ନଗରରୁ ୫ଜଣ, ସୁନ୍ଦରପଦାରୁ ୬ଜଣ, ପୁରୁଣା ଭୁବନେଶ୍ବରରୁ ୧୦ଜଣ, ରସୁଲଗଡ଼ରୁ ୭ଜଣ, ହଂସପାଳରୁ ୭ଜଣ, ଡୁମଡୁମାରୁ ୫ଜଣ, ୟୁନିଟ-୯ରୁ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷେ ଆଜି ୬୨ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୧ରେ ପହଞ୍ଚିଛି।

୨୨ ଆକ୍ରାନ୍ତ ଭେଣ୍ଟିଲେଟର୍‌ରେ
ସମ୍‌ରେ ୭୭୫ ଶଯ୍ୟା, ଆଦିତ୍ୟ-ଅଶ୍ବିନୀରେ ୧୦୦ ଶଯ୍ୟା
ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ୨୨ଜଣ ଆକ୍ରାନ୍ତଙ୍କର ଭେଣ୍ଟିଲେଟର ଲାଗିଛି। ଅର୍ଥାତ୍ ଏହି ୨୨ଜଣଙ୍କ ଜୀବନ ଏବେ ବିପଦରେ ଅଛି। ସମସ୍ତେ ସମ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଆଦିତ୍ୟ ଅଶ୍ବିନୀରେ ଆଜିଠାରୁ ୧୦୦ଟି ଶଯ୍ୟାରେ ଚିକିତ୍ସା ଆରମ୍ଭ ହୋଇଛି। ଏଥିରୁ ୩୦ଟି ଆଇସିୟୁ ଶଯ୍ୟା। ସେହିପରି ସମ୍‌ରେ ଏବେ ୭୭୫ଟି ଶଯ୍ୟା ରହିଛି। ଏଥିରୁ ସାଧାରଣ ଶଯ୍ୟା ୪୭୨ଟି, ଆଇସିୟୁ ଶଯ୍ୟା ୧୨୫ଟି, ଏନ୍‌ଆଇସିୟୁ ୧୨ଟି, ଡାଏଲେସିସ୍ ସହ ଆଇସିୟୁ ଶଯ୍ୟା ୧୨ଟି, ଏଚ୍‌ଡିୟୁ ଶଯ୍ୟା ୬୫ଟି, ପ୍ରସୂତିଙ୍କ ପାଇଁ ଏଚ୍‌ଡିୟୁ ଶଯ୍ୟା ୩୫ଟି, ସ୍ବତନ୍ତ୍ର ଶଯ୍ୟା ୫୦ଟି, ଓଟିରେ ୨ଟି ଓ ଲୋବର ଟେବୁଲରେ ୨ଟି ଶଯ୍ୟା ଅଛି। ଏଥିରୁ ୨୭୧ଟି ଶଯ୍ୟାରେ ଭୁବନେଶ୍ବରର ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସାଧାରଣ ଶଯ୍ୟାରେ ୧୧୫ଜଣ, ଆଇସିୟୁରେ ୧୧୨ଜଣ, ଏନ୍‌ଆଇସିୟୁରେ ଜଣେ, ଡାଏଲିସିସ୍ ପାଇଁ ୨ଜଣ, ଏଚ୍‌ଡିୟୁରେ ୩୯ଜଣ, ପ୍ରସୂତିଙ୍କ ପାଇଁ ଥିବା ଏଚ୍‌ଡିୟୁରେ ୨ଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର