ରାଜଧାନୀ ଭୁବନେଶ୍ୱରରେ କରୋନା ମୃତ୍ୟୁ!

ଭୁବନେଶ୍ୱର : ରାଜଧାନୀରେ ଜଣେ ବ୍ୟକ୍ତି ଗତକାଲି କରୋନାରେ ପ୍ରାଣ ହରାଇଛନ୍ତି। ସଂପୃକ୍ତ ବ୍ୟକ୍ତିଜଣକ ସତ୍ୟନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂପର୍କରେ କିଛି ଘୋଷଣା କରାଯାଇ ନାହିଁ। ସରକାରୀ ଭାବେ ଘୋଷଣା ପରେ ସଂପୃକ୍ତ ବ୍ୟକ୍ତିଜଣକ କରୋନା କିମ୍ବା ଅଣ କରୋନାରେ ପ୍ରାଣ ହରାଇଛନ୍ତି, ତାହା ସ୍ପଷ୍ଟ ହୋଇପାରିବ।

ସୂଚନାନୁସାରେ, ସତ୍ୟନଗର ଅଞ୍ଚଳର ଏହି ବ୍ୟକ୍ତିଜଣକ କିଛିଦିନ ପୂର୍ବରୁ ଥଣ୍ଡା, ଜ୍ବରରେ ପୀଡ଼ିତ ଥିଲେ। ଡିସ୍‌ପେନସାରିରେ ଚିକିତ୍ସା କରାଇବା ପରେ ତାଙ୍କୁ ଟାଇଫଏଡ୍‌ ହୋଇଥିବା କୁହାଯାଇଥିଲା। ମାତ୍ର ଜ୍ବର ଥଣ୍ଡା ଭଲ ହୋଇ ନ ଥିଲା। ଗତକାଲି ବାଧ୍ୟରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁ ପରେ ତାଙ୍କ ଶବ ବ୍ୟବଚ୍ଛେଦ ପୂର୍ବରୁ ତାଙ୍କର ରାପିଡ୍‌ ଆଣ୍ଟିଜେନ୍ କିଟ୍‌‌ରେ ପରୀକ୍ଷା କରାଯିବା ପରେ ସେ କରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ପରେ ମୃତକଙ୍କ ପରିବାରର ଜଣେ ସଦସ୍ୟ ମଧ୍ୟ ସଂକ୍ରମିତ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିଲା। ‌‌ତେବେ ମୃତକଜଣକ ‌ଜଣେ ହୋଟେଲ ବ୍ୟବସାୟୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳି ଯାଇଛି। ଏପରିକି ୨/୩ଦିନ ପୂର୍ବରୁ ମଧ୍ୟ ସେ ନିଜ ହୋଟେଲରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି।

ସମ୍ବନ୍ଧିତ ଖବର