ମୃତ୍ୟୁ ସଂଖ୍ୟା କମୁନି, ସତ୍ୟନଗର ଶ୍ମଶାନ ମିଛ ଧରା ପକାଉଛି

ଭୁବନେଶ୍ୱର ଏବେ ଶିଖରରେ ନାହିଁ: ବିଏମ୍‌ସି

ଭୁ‌ବନେଶ୍ୱର : ରାଜ୍ୟ ସରକାର କହୁଛନ୍ତି, ହସ୍ପିଟାଲରେ ଶଯ୍ୟା ଅଛି, ଆଇସିୟୁରେ ଅଧା ଶଯ୍ୟା ଖାଲି ଅଛି। କିନ୍ତୁ ବହୁ ଆକ୍ରାନ୍ତ ଆଇସିୟୁ ଶଯ୍ୟା ନ ପାଇ ମରୁଛନ୍ତି। ଏପରିକି ହସ୍ପିଟାଲରେ ଶଯ୍ୟା ନଥିବାରୁ ବହୁ ଆକ୍ରାନ୍ତଙ୍କୁ ବିଳମ୍ବରେ ହସ୍ପିଟାଲରେ ଭର୍ତ୍ତି କରାଯାଉଛି ଏବଂ ସେଥିମଧ୍ୟରୁ କିଛି ହସ୍ପିଟାଲ ପହଞ୍ଚିବାର ୨ରୁ ୩ଘଣ୍ଟା ଭିତରେ ପ୍ରାଣ ହରାଉଛନ୍ତି। କେବଳ ଏତିକି ନୁହେଁ, ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ କୋଭିଡ୍‌‌‌ରେ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉ ନଥିବାରୁ ତାଙ୍କର ରୋଗ ବଢ଼ୁଛି। ଆଉ ଅକାଳରେ ମୃତ୍ୟୁ ହୋଇଯାଉଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାଜଧାନୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ ୪୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଯାହା କରୋନା ମୃତ୍ୟୁରେ ରେକର୍ଡ। ପୂର୍ବରୁ ଗୋଟିଏ ଦିନରେ ୩୯ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ସରକାର ପ୍ରତିଦିନ ୧୦/୧୨ଜଣଙ୍କର ମୃତ୍ୟୁ ହେଉଥିବା ଦର୍ଶାଉଥିବା ବେଳେ ବାକି ସଂଖ୍ୟା କିପରି ଜଣାଉନାହାନ୍ତି, ତାହାର ଟେର୍ କେହି ପାଉନାହାନ୍ତି। ଏପରିକି ଆଜି ସଂଧ୍ୟା ବିଭିନ୍ନ ହସ୍ପିଟାଲରେ କରୋନାରେ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କେହି ଜଣାଉନାହାନ୍ତି।

ସତ୍ୟନଗର ଶ୍ମଶାନ ରାଜ୍ୟ ସରକାରଙ୍କ ଅସଲ ଚିତ୍ରକୁ ପଦାରେ ପକାଉଛି। ବହୁ ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁ ନଥିବାରୁ ବହୁ ଜୀବନ‌ ଅକାଳରେ ଟଳି ପଡ଼ୁଛି। ଏପରିକି ବହୁ ଆକ୍ରାନ୍ତଙ୍କ ଛାତିର ସିଟି ସ୍କାନ୍ କରାଯାଉନଥିବାରୁ ସଂକ୍ରମଣ ବଢ଼ି ଯାଉଛି। କେତେକ ହସ୍ପିଟାଲରେ ଅକ୍ସିଜେନ୍‌ ସରି ଯାଉଥିବାରୁ ଆକ୍ରାନ୍ତଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଦିଆଯାଇ ପାରୁ ନଥିବା ଅଭିଯୋଗ ହେଉଛି। ଏସବୁ ବାଦ୍‌ ବହୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଷ୍ଟେରଏଡ୍‌ ବ୍ୟବହାର କରାଯାଉଥିବାରୁ ସେମାନଙ୍କର ସୁଗାର ସ୍ତର ବଢ଼ି ଯାଉଛି। ଫଳରେ ପୂର୍ବରୁ ଡାଏବେଟିସ୍‌ ଆକ୍ରାନ୍ତ ଥିବା ରୋଗୀମାନଙ୍କର ଅକାଳରେ ମୃତ୍ୟୁ ହୋଇଯାଉଛି। ରାଜ୍ୟ ସରକାର ଏ ଦିଗ ପ୍ରତି ଧ୍ୟାନ ନଦେଲେ ଆଗକୁ ସ୍ଥିତି ସାଂଘାତିକ ରୂପ ଧାରଣ କରିବ।

ଭୁବନେଶ୍ୱର ଏବେ ଶିଖରରେ ନାହିଁ: ବିଏମ୍‌ସି
ଭୁବନେଶ୍ୱର : ଭୁବନେଶ୍ୱରରେ ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରତ୍ୟେକ ଦିନ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କିନ୍ତୁ ବିଏମ୍‌ସି ପକ୍ଷରୁ କୁହାଯାଉଛି ଯେ ଭୁବନେଶ୍ବର ଏବେ ଶିଖରରେ ନାହିଁ। ଅଗଷ୍ଟ ଶେଷ ସପ୍ତାହରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶିଖରରେ ଥିଲା। ସେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୪୦୦ରୁ ୫୦୦ପାଖାପାଖି ରହୁଥିଲା। ଏବେ ସେ ସ୍ଥିତି ନାହିଁ। ଏବେ ସମାନ୍ତରାଳ ଭାବେ ଦୈନିକ ୩୦୦ରୁ ୩୫୦ ପାଖାପାଖି ଆକ୍ରାନ୍ତ ବାହାରୁଛନ୍ତି। ଖୁବ୍‌ ଶୀଘ୍ର ଏହି ସଂଖ୍ୟା ଆହୁରି କମିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏପରିକି ଆର୍ଏମ୍‌ଆର୍‌ସି ବିଶ୍ଲେଷଣ ଅନୁଯାୟୀ, ଭୁବନେଶ୍ବରରେ କରୋନା ନିୟନ୍ତ୍ରଣକୁ ଆସୁଛି ବୋଲି କୁହାଯାଇଛି। ଅକ୍ଟୋବର ପ୍ରଥମ ସପ୍ତାହ‌ ବେଳକୁ ଭୁବନେଶ୍ବରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ଖସି ଆସିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର