ଭୁବନେଶ୍ୱର : ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଛି। ଆଜି ଆଉ ୪ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହେବା ପରେ ସମୁଦାୟ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ହୋଇଛି। ଖୋର୍ଧା ଜିଲ୍ଲାରେ ସମୁଦାୟ ୧୪୪ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ତହିଁରୁ ୪୪ଜଣ ଖୋର୍ଧା ଗ୍ରାମାଞ୍ଚଳରୁ ରହିଛନ୍ତି। ତେଣୁ ଖୋର୍ଧା ଜିଲ୍ଲାର କେବଳ ୭୦ ପ୍ରତିଶତ କରୋନା ମୃତ୍ୟୁ ଭୁବନେଶ୍ବରରେ ରେକର୍ଡ କରାଯାଇଛି। ଏପ୍ରିଲ ୭ ତାରିଖରେ ରାଜଧାନୀ ତଥା ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ଘୋଷଣା ହୋଇଥିଲା। ଏହା ପରଠାରୁ ଧୀରେଧୀରେ ରାଜଧାନୀରେ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ତେବେ ଗତ ସେପ୍ଟେମ୍ବର ମାସଠାରୁ ଏହା ଦ୍ରୁତ ଗତିରେ ବଢ଼ିବାକୁ ଆରମ୍ଭ କରିଛି। ଗତ ମାସରେ ୫୧ଜଣ ପ୍ରାଣ ହରାଇଥିବା ବେଳେ ଚଳିତ ମାସର ପ୍ରଥମ ଦୁଇଦିନରେ ୭ଜଣ ପ୍ରାଣ ହରାଇଛନ୍ତି ଭୁବନେଶ୍ବରରେ। ଆଜି ଘୋଷଣା ହୋଇଥିବା ୪ଜଣଙ୍କ ମଧ୍ୟରେ ସମସ୍ତେ ପୁରୁଷ ଥିବା ବେଳେ ସେମାନଙ୍କ ବୟସ ୪୧, ୪୬, ୭୫ ଓ ୮୨ବର୍ଷ ରହିଛି। ଅଧିକାଂଶ ଜଟିଳ ରୋଗରେ ପୀଡ଼ିତ ଥିଲେ।

Advertisment

ଅପରପକ୍ଷରେ ରାଜଧାନୀରେ ସଂକ୍ରମଣର ୩ଶହ ଧାରା ବଜାୟ ରହିଛି। ଗତ ୨୪ଘଣ୍ଟାରେ ୩୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୮ଜଣ ସଙ୍ଗରୋଧରୁ ଓ ୨୫୪ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ସଙ୍ଗରୋଧରୁ ବରମୁଣ୍ଡା, ଭରତପୁର, ଚନ୍ଦ୍ରଶେଖରପୁର, ଡୁମୁଡୁମା, ଆଇଆରସି ଭ‌ିଲେଜ, ଘାଟିକିଆ, କଳିଙ୍ଗ ବିହାର, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ନୀଳକଣ୍ଠ ନଗର, ପୁରୁଣା ଏଜି କଲୋନିକୁ ବାଦ୍ ଦେଲେ କିଛି ଅଞ୍ଚଳରୁ ଅଳ୍ପ କିଛି ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟସ୍‌ରେ ପଟିଆରୁ ସର୍ବାଧିକ ୨୨ଜଣ ଚିହ୍ନଟ ହୋଇଛନ୍ତି। ନୂଆପଲ୍ଲୀରୁ ୧୩, ଝାରପଡ଼ାରୁ ୧୦, ୟୁନିଟ୍‌-୬ ଓ ୟୁନିଟ୍‌-୯ରୁ ୮ଜଣ ଲେଖାଏଁ, ୟୁନିଟ୍‌-୮, ଟଙ୍କପାଣି ରୋଡ୍‌, ଶାସ୍ତ୍ରୀ ନଗର, ସୁନ୍ଦରପଦା, ସତ୍ୟନଗର, ନହରକଣ୍ଟା, ମଞ୍ଚେଶ୍ବର, ମୈତ୍ରୀ ବିହାର, ପୋଖରୀପୁଟ, ‌ଗୌରୀନଗର, ସତ୍ୟ ବିହାର, ୟୁନିଟ୍‌-୪, ପଳାସପଲ୍ଲୀ, ଖଣ୍ଡଗିରି, ମଧୁସୂଦନ ନଗର ଓ ଅନ୍ୟ ଅଞ୍ଚଳରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୨,୫୪୭ରେ ପହଞ୍ଚିଛି। ତହିଁରୁ ୧୮,୯୧୪ଜଣ ସୁସ୍ଥ ହୋଇଛନ୍ତି। ଏ‌ବେ ୩୫୧୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି।