ଶବଦାହ ବେଳେ କରୋନା ଏବେ ଅଣକୋଭିଡ୍‌

ନଭେମ୍ବରରେ ମଲେଣି ୫୩, ଜୁଲାଇର ୫ଗୁଣା ବଢ଼ିଲେ ମୃତକ

ଭୁବନେଶ୍ୱର : ନଭେମ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଲା। ୨୯ ଦିନରେ ମାତ୍ର ୧୪୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଜୁଲାଇ ମାସର ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ବି କମ୍‌। ହେଲେ କରୋନା ଜନିତ ମୃତ୍ୟୁ ଅକ୍ଟୋବର ମାସକୁ ଛାଡ଼ିଦେଲେ ସର୍ବାଧିକ। ୨୯ ଦିନରେ ୫୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି। ଆକ୍ରାନ୍ତ କମୁଥିବା ବେଳେ ମୃତକଙ୍କ ସଂଖ୍ୟା କିପରି ବଢ଼ୁଛି, ତାହା ସମସ୍ତଙ୍କୁ ଚକିତ କରିଛି।

ଜୁଲାଇ ମାସରେ କରୋନା ଯେତେବେଳେ ଉପରମୁହାଁ ଥିଲା, ସେତେବେଳେ ରାଜଧାନୀରେ ମାସକରେ ୨୪୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାତ୍ର ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ନଭେମ୍ବରରେ ଯେତେବେଳେ ଜୁଲାଇଠାରୁ ୮୩୫ଜଣ କମ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ମୃତକଙ୍କ ସଂଖ୍ୟା କିପରି ୫ ଗୁଣା ବଢ଼ିଗଲା? ଏ ପ୍ରଶ୍ନର ସ୍ପଷ୍ଟ ଉତ୍ତର ବିଏମ୍‌ସି କର୍ତ୍ତୃପକ୍ଷ ଦେବାକୁ ନାରାଜ। ଧାଡ଼ିକିଆ ଉତ୍ତର ଦେଉଛନ୍ତି, ଏବେ କିଛି ଲୋକଙ୍କର ମୃତ୍ୟୁ ହୋଇଛି, ବାକି ପୂର୍ବରୁ। ଡେଥ୍‌ ଅଡିଟ୍‌ ରିପୋର୍ଟ ଅନୁଯାୟୀ ଘୋଷଣା କରାଯାଉଛି। ହେଲେ କେଉଁ ମାସରେ କେତେ ମରିଥିଲେ, ଯେଉଁମାନଙ୍କୁ ଅଣକୋଭିଡ୍‌ ମୃତ୍ୟୁ ବୋଲି କୁହାଯାଇଛି, ସେମାନଙ୍କର କେଉଁ କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ କରାଯାଉନି।

କେବଳ ଏତିକି ନୁହେଁ, ଅନେକଙ୍କର କରୋନାରେ ମୃତ୍ୟୁ ହେଲା ବୋଲି ପରିବାର ଲୋକଙ୍କୁ ଶବଦାହ କରିବାକୁ ସୁଯୋଗ ମିଳିଲାନି। କେତେକଙ୍କୁ ମୃତକଙ୍କ ମୁହଁ ଦେଖିବାକୁ ମିଳିଲାନି। ‌ଏବେ ଯଦି ଅଣକୋଭିଡ୍‌ ମୃତ୍ୟୁ କହିବେ, ସେନେଇ କିଏ ପ୍ରଶ୍ନ କରିବ। ଏପରିକି ଏବେ ଭୁବନେଶ୍ବରର ଏତିକି ବର୍ଷର ପୁରୁଷ/ମହିଳାଙ୍କର ମୃତ୍ୟୁ ହେଲା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। ବିଏମ୍‌ସି ପକ୍ଷରୁ କେବଳ ଟୁଇଟର୍‌ରେ ମୃତକଙ୍କ ସଂଖ୍ୟା କେତେ ଅଛି, ତାହା ଉଲ୍ଲେଖ କରାଯାଉଛି। ସରକାର ଏମିତି ବାଗରେ ହିସାବ ଦେଉଛନ୍ତି ଯେ ଅସଲରେ ଏହି ଲୋକଟି କିଏ, ତାହା ପରିବାରଲୋକ ବି ଜାଣିପାରୁନାହାନ୍ତି। ସରକାରୀ ରେକର୍ଡରେ ପ୍ରକୃତରେ କରୋନାରେ କିଏ ମରିଛି, ନ ମରିଛି ଲେଖାଯାଉଛି ତାହା ବି ପରିବାରଲୋକ ଜାଣି ପାରୁନାହାନ୍ତି। ଶବଦାହ ବେଳେ କରୋନା ଆକ୍ରାନ୍ତ ଯାହାକୁ କୁହାଯାଉଥିଲା, ତାଙ୍କୁ ଏବେ ଅଣକୋଭିଡ୍‌ ଦର୍ଶାଇ କରୋନା ମୃତ୍ୟୁ ସଂଖ୍ୟା ଯଥାସମ୍ଭବ କମା ଚାଲିଛି। କୋଭିଡ୍‌ ପରିଚାଳନାରେ ଆପଣାଯାଇଥିବା ବିଚିତ୍ର ବ୍ୟବସ୍ଥାରେ ଏବେ ଲୋକଙ୍କୁ ଭୁଆଁ ବୁଲାଯାଉଛି ବୋଲି କୁହାଗଲାଣି। ଏବେ ସତ୍ୟନଗର ଶ୍ମଶାନରେ ଦୈନିକ ୮ରୁ ୧୦ ଜଣଙ୍କର ଶବଦାହ ହେଉଛି। ବିଭିନ୍ନ ହସ୍ପିଟାଲରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇବାକୁ ଆବଶ୍ୟକ ଆଇସିୟୁ, ଭେଣ୍ଟିଲେଟର୍‌ ଅଛି। ଶଯ୍ୟା ବି ଖାଲି ପଡ଼ୁଛି। ହେଲେ ଦୈନିକ ମୃତକଙ୍କ ସଂଖ୍ୟା (ଆଜିକୁ ଛାଡ଼ି) ୧୨ରୁ ଖସୁନି। ପ୍ରାୟ ଦୁଇ ମାସ କାଳ (ସେପ୍ଟେମ୍ବର/ଅକ୍ଟୋବରରେ) ଦୈନିକ ୩୦ରୁ ୪୦ ଜଣଙ୍କର ସତ୍ୟନଗର ଶ୍ମଶାନରେ ଶବଦାହ ହେଉଥିବା ବେଳେ ସେତେବେଳେ ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଯେତିକି ଥିଲା, ଏବେ ବି ପ୍ରାୟ ସେତିକି ରହୁଛି। ଏହି ପରିସଂଖ୍ୟାନ ଦର୍ଶାଉଛି କିଛି ନା କିଛି ଲୁଚା ଯାଉଛି।

ବିଏମ୍‌ସିର ଟୁଇଟ୍‌ରୁ ଜଣାପଡ଼ିଛି ଯେ ନଭେମ୍ବରରେ ୨୯ ଦିନ ମଧ୍ୟରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ତାରିଖରେ କାହାର ବି କରୋନାରେ ମୃତ୍ୟୁ ହୋଇନି। ବାକି ସବୁ ଦିନ କରୋନାରେ ଲୋକଙ୍କର ମୃତ୍ୟୁ ହୋଇଛି। ନଭେମ୍ବର ୧୫ ଓ ୨୩ରେ ୪ଜଣ ଲେଖାଏଁ କରୋନାରେ ମରିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୩୦ ସୁଦ୍ଧା ରାଜଧାନୀରେ ୩୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁଲାଇ ୩୧ ସୁଦ୍ଧା ୨୭୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଗଷ୍ଟ ୩୧ସୁଦ୍ଧା ୧୦୪୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ଜଣଙ୍କ ମୃତ୍ୟୁ ହୋଇଥିଲା। ସେପ୍ଟେମ୍ବର ୩୦ ସୁଦ୍ଧା ୨୧୮୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାସରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅକ୍ଟୋବର ୩୧ ସୁଦ୍ଧା ୨୯୧୫୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୬ଜଣଙ୍କର ମୃତ୍ୟୁ ‌େହାଇଥିଲା। ଏହି ମାସରେ ସବୁଠୁ ଅଧିକ କରୋନା ଜନିତ ମୃତ୍ୟୁ ହୋଇଛି। ନଭେମ୍ବରରେ ୨୯ତାରିଖ ସୁଦ୍ଧା ୩୦୭୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦୦୨୭ଜଣ ସୁସ୍ଥ ହୋଇଛନ୍ତି। ୨୧୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏବେ ୪୫୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସମ୍ବନ୍ଧିତ ଖବର