ଭୁବନେଶ୍ୱର : ରାଜ୍ୟରେ ଆଜି ପର୍ଯ୍ୟନ୍ତ ଯେତିକି ସଂଖ୍ୟକ କରୋନା ଜନିତ ମୃତ୍ୟୁ ହୋଇଛି ତାହିଁରୁ ୧୨ ପ୍ରତିଶତ ମୃତ୍ୟୁ କେବଳ ରାଜଧାନୀରେ। ଲଗାତାର ଭାବେ ରାଜଧାନୀରେ କରୋନା ମୃତ୍ୟୁ ବଢ଼ି ଚାଲିଛି। ଏକାଧିକ କୋଭିଡ୍ ହସ୍ପିଟାଲ ଓ ଆଇସିୟୁ ସୁବିଧା ଥିବା ସତ୍ବେ ପ୍ରତ୍ୟେକ ଦିନ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି। ଆଜି ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ଜଣେ ଲେଖାଏଁ ପୁରୁଷ ଓ ମହିଳା ରହିଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି। ତେବେ ରାଜଧାନୀରେ ରୋଗୀଙ୍କ ତୁଳନାରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍ଆର ୦.୫୫ ପ୍ରତିଶତ ରହିଛି। ଅପରପକ୍ଷରେ ଖୋର୍ଧା ଗ୍ରାମାଞ୍ଚଳରେ ସରକାରୀ ଭାବେ ୬୧ଜଣ ପ୍ରାଣ ହରାଇଥିବା ବେଳେ ସିଏଫ୍ଆର ୦.୩୧ ପ୍ରତିଶତ ରହିଛି।
ଭୁବନେଶ୍ବରରେ ଏବେ କରୋନା ସଂକ୍ରମଣ ପ୍ରାୟତଃ ଶହେ ପାଖାପାଖି ରହୁଛି। ଦୁଇଦିନ ପୂର୍ବରୁ ଏହା ଶହେ ଉପରେ ଥିବା ବେଳେ ଗତ ୨୪ଘଣ୍ଟାରେ ରାଜଧାନୀରେ ୯୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୮,୯୮୫କୁ ବୃଦ୍ଧି ପାଇଛି। ଗତକାଲି ଚିହ୍ନଟ ରୋଗୀଙ୍କ ମଧ୍ୟରେ ସଙ୍ଗରୋଧରୁ ୨୧ ଓ ୭୨ଜଣ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଲୋକାଲ କଣ୍ଟାକ୍ଟସ୍ରେ ପଟିଆ, ପାତ୍ରପଡ଼ା, ପୁରୁଣା ଭୁବନେଶ୍ବର, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳ, ନୂଆପଲ୍ଲୀ, ମଞ୍ଚେଶ୍ବର, ଜୟଦେବ ବିହାର, ଡମଣା, ଚକେଇସିଆଣି, ବିଜେବି ନଗର, ଭୋଇ ନଗର ଓ ଅନ୍ୟ ଅଞ୍ଚଳରୁ ଆକ୍ରାନ୍ତ ରହିଛନ୍ତି। ତେବେ ଗତ ୨୪ଘଣ୍ଟାରେ ରାଜଧାନୀରୁ ୨୫୪ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ସୁସ୍ଥରୋଗୀଙ୍କ ସଂଖ୍ୟା ୨୭,୦୮୦କୁ ବୃଦ୍ଧି ପାଇଛି। ୧୭୨୨ ରୋଗୀ ଚିକିତ୍ସାଧୀନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/dead-covi.jpg)