ଭୁବନେଶ୍ୱର : ଚୌଦ୍ବାର ଜେଲ୍ରେ କରୋନା ପହଞ୍ଚିବା ପରେ ଝାରପଡ଼ା ଜେଲ୍କୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ଆଶଙ୍କାରେ ଫାଙ୍କାଥିବା ଜେଲ୍କୁ ଏଠାରୁ ବନ୍ଦୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ନୂଆ ଆସୁଥିବା କଏଦୀ ଓ ବାହାରୁ ଯିବାଆସିବା କରୁଥିବା କର୍ମଚାରୀଙ୍କ ଜରିଆରେ କରୋନା ଆଶଙ୍କା ବଢ଼ିଛି। ବଡ଼କଥା ହେଉଛି ଜେଲ୍ ବିଭାଗ ପକ୍ଷରୁ ନୂଆ ରୋଗୀଙ୍କୁ ପରୀକ୍ଷା କରିବା ପାଇଁ ବ୍ୟବସ୍ଥା ନାହିଁ। ଏଣୁ ସଂକ୍ରମଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ସମସ୍ତ ନୂଆ ରୋଗୀଙ୍କ ପାଇଁ ସଙ୍ଗରୋଧ ୱାର୍ଡ ବ୍ୟବସ୍ଥା କରାଯାଇଛି। ୫ଟି ସଙ୍ଗରୋଧ ୱାର୍ଡରେ ଶହେରୁ ଊର୍ଦ୍ଧ୍ବ ବିଚାରାଧୀନ କଏଦୀ ରହିବା ବ୍ୟବସ୍ଥା ରହିଛି। ସେମାନେ ଏଠାରେ ୧୪ ଦିନ ରହିବା ପରେ ସାଧାରଣ ୱାର୍ଡକୁ ନିଆଯାଉଛି। ଏହା ଛଡ଼ା ନିୟମିତ ବିଶୋଧନ ସମେତ ମୁଲାକାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କେବଳ ଭିଡିଓ କନ୍ଫରେନ୍ସିଂରେ ଏହି କାର୍ଯ୍ୟ ହେଉଛି। ଏଣୁ ଝାରପଡ଼ା ଜେଲ୍ରେ କଏଦୀଙ୍କ ପ୍ରତି କୋରନା ଭୟ ନାହିଁ ବୋଲି କହିଛନ୍ତି ଏଡିଜି ସନ୍ତୋଷ ଉପାଧ୍ୟାୟ।
ପୁଲିସ ଏକାଡେମିରେ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେନ୍ଦ୍ର
ମେଣ୍ଢାଶାଳ : ଜାମୁଝରୀସ୍ଥିତ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସମ୍ ହସପିଟାଲର ମିଳିତ ଉଦ୍ୟମରେ ଏକ ୩୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମ୍ କୋଭିଡ୍ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତାହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ମୋହନ ହେମ୍ବ୍ରମ୍ କହିଛନ୍ତି। ଏବେ ଏଠାରେ ସମ୍ରୁ ଆସିଥିବା ୧୬ ପଜିଟିଭ୍ ଚିକିତ୍ସାଧୀନ ଅଛନ୍ତି। ପରେ ଆଉ ୧୮ ଜଣ ଆସିବେ ବୋଲି ଡାକ୍ତର ଶ୍ରୀ ହେମ୍ବ୍ରମ କହିଛନ୍ତି।
ମେଣ୍ଢାଶାଳ ପଞ୍ଚାୟତର ୭ ନମ୍ବର ୱାର୍ଡ ସିଲ୍
ମେଣ୍ଢାଶାଳ : ଭୁବନେଶ୍ୱର ବ୍ଲକ ମେଣ୍ଢାଶାଳ ପଞ୍ଚାୟତର ୭ ନମ୍ବର ୱାର୍ଡକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ହୋଇଛି। ସୂଚନାନୁସାରେ ଏହି ଅଞ୍ଚଳର ଜଣେ ବ୍ୟକ୍ତି ଗତ କିଛିଦିନ ହେଲା ଏମ୍ସରେ ଚିକିତ୍ସାଧୀନ ଥିଲେ। ସେ ହୃଦରୋଗରେ ପୀଡ଼ିତ ଥିଲେ। ଏବେ ସେଠାରେ ସେ କରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଛନ୍ତି ଓ ତାଙ୍କୁ ଆଜି କୋଭିଡ୍ ହସ୍ପିଟାଲକୁ ନିଆଯାଇଛି। ତେଣୁ ଏହି ୱାର୍ଡକୁ ସିଲ୍ କରାଯାଇଛି ବୋଲି ମେଣ୍ଢାଶାଳ ସରପଞ୍ଚ ମମତାର ବେହେରା କହିଛନ୍ତି।