କୋଭିଡ୍‌ କଟକଣା ତତ୍ପରତା ବଢ଼ିଲା: ସଚେତନତା ପାଇଁ ପୁଲିସ ଚଢ଼ଉ ଜୋରଦାର, ରେଳ ଷ୍ଟେସନ୍‌ରେ ଚେକିଂ ଓ ଟେଷ୍ଟିଂ ବଢ଼ିବ

ହଷ୍ଟେଲ୍‌, ହୋଟେଲ୍‌, ମଲ୍‌ ସବୁଠି ଚଢ଼ଉ ହେବ

ଭୁବନେଶ୍ବର: କୋଭିଡ୍‌ କଟକଣାକୁ ନେଇ ତତ୍ପର ହୋଇଛି ପୁଲିସ। ଆଜି ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଚଢ଼ଉ ହୋଇଛି। ସାରା ସହରରେ ୧୫ରୁ ଊର୍ଦ୍ଧ୍ବ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ଘୂରି ବୁଲି ଲୋକଙ୍କୁ ସଚେତନ କରାଇବା ସହ ଅମାନିଆଙ୍କ ନିକଟରୁ ଜରିମାନା ଆଦାୟ କରିଛି। ଆଗକୁ ଏଭଳି ନିୟମିତ କାର୍ଯ୍ୟାନୁଷ୍ଠାନ ସହ ସଚେତନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ।
ସାଧାରଣତଃ ବଜାରରେ ସନ୍ଧ୍ୟା ପରଠାରୁ ଅଧିକ ଗହଳି ହେଉଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଏହି ଚଢ଼ଉ ସହ ସଚେତନତା ଆରମ୍ଭ ହୋଇଥିଲା। ବିଭିନ୍ନ ଗହଳିସ୍ଥାନରେ ପୁଲିସର ଟିମ୍‌ମାନ ପହଞ୍ଚି ଲୋକ ଓ ବ୍ୟବସାୟୀମାନଙ୍କୁ ବୁଝାଇଥିଲା। ଚଢ଼ଉ ବେଳେ ଅଧିକାଂଶ ଲୋକ ମାସ୍କ ପିନ୍ଧି ନ ଥିଲେ। କେତେକ କେବଳ ଥୋଡ଼ିରେ ମାସ୍କ ପିନ୍ଧିଥିଲେ। ଏକାଠି ଗହଳି କରିବା ସହ ସାମାଜିକ ଦୂରତା ନଥିବା ଦେଖାଯାଇଥିଲା।

ଏ ନେଇ ଉମାଶଙ୍କର ଦାଶ କହିଛନ୍ତି, ଯେତେ ଏନ୍‌ଫୋର୍ସମେଣ୍ଟ ହେଲେ ମଧ୍ୟ ଲୋକଙ୍କର ସହଯୋଗ ଲୋଡ଼ା। ଲୋକମାନେ ସଚେତନ ହେବା ସହ ସହଯୋଗ କଲେ କରୋନା ବିରୋଧରେ ଲଢ଼େଇ ସଫଳ ହେବ। ଆଗକୁ ଟିମ୍‌ ଗଠନ କରାଯିବା ସହ କଟକଣା କଡ଼ାକଡ଼ି ହେବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।

ରେଳ ଷ୍ଟେସନ୍‌ରେ ଚେକିଂ ଓ ଟେଷ୍ଟିଂ ବଢ଼ିବ
ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ପରେ ତତ୍ପରତା ପ୍ରକାଶ ପାଇଛି। ବିଏମ୍‌ସି ପକ୍ଷରୁ ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ଦୁଇଟି ଟିମ୍ ଦ୍ବାରା ଥର୍ମାଲ୍‌ ସ୍କ୍ରିନିଂ ଓ ଟେଷ୍ଟିଂ କରାଯାଉଥିବାବେଳେ ବୁଧବାରଠାରୁ ଆଉ ଦୁଇଟି ଟିମ୍ ଏଠାରେ ନିୟୋଜିତ ହେବେ। ବାହାର ରାଜ୍ୟ ତଥା ମହାରାଷ୍ଟ୍ର, ପଞ୍ଜାବ, ଗୁଜୁରାଟ, ମଧ୍ୟପ୍ରଦେଶ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କର କଡ଼ାକଡ଼ି ଚେକିଂ ହେବ। ସମସ୍ତ ଯାତ୍ରୀଙ୍କର ବାଧ୍ୟତାମୂଳକ ଥର୍ମାଲ୍‌ ସ୍କ୍ରିନିଂ କରାଯିବା ସହ ସନ୍ଦିଗ୍ଧଙ୍କର ଆର୍‌ଟିପିସିଆର୍ ପରୀକ୍ଷା ହେବ। ପରୀକ୍ଷା ପାଇଁ ସମସ୍ତେ ଯେପରି ରାଜି ହେବେ ସେଥିପାଇଁ ରେଳଷ୍ଟେସନରେ ପୁଲିସ ସହାୟତା ନିଆଯାଇଛି। ଅଧିକରୁ ଅଧିକ ଆକ୍ରାନ୍ତଙ୍କୁ ଷ୍ଟେସନରୁ ହିଁ ଚିହ୍ନଟ କରିବାକୁ ବିଏମ୍‌ସି ଯୋଜନା କରିଛି।

ହଷ୍ଟେଲ୍‌, ହୋଟେଲ୍‌, ମଲ୍‌ ସବୁଠି ଚଢ଼ଉ ହେବ

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହରୀ ଯେପରି ଭୁବନେଶ୍ବରକୁ ହଟସ୍ପଟ୍‌ ସହରରେ ପରିଣତ ନ କରେ ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ହଷ୍ଟେଲ୍‌, ହୋଟେଲ, ସପିଂ ମଲ୍‌, ସିନେମା ହଲ୍‌, ହାଟ, ବଜାର ସବୁଠି କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ ଯାଞ୍ଚ କରାଯିବ। କେହି ସନ୍ଦିଗ୍ଧ ଯେପରି ଲୁଚି ରହିବେନି କି ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିବେନି ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର୍ ଅଭିଯାନ ଆରମ୍ଭ ହୋଇଛି। ବିଏମ୍‌ସିର ତିନିଟି ଜୋନ୍‌ରେ ୬ଟି ସ୍କ୍ବାଡ୍‌ ଗଠନ କରି ଚଢ଼ଉ ଜୋରଦାର କରିବାକୁ କୁହାଯାଇଛି।
ଏକ୍ସଆଇଏମ୍‌ବି ହଷ୍ଟେଲରୁ ୩୩ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସବୁ କଲେଜ, ସ୍କୁଲ ଓ ଘରୋଇ ଛାତ୍ରାବାସ, ଛାତ୍ରୀନିବାସକୁ ବିଏମ୍‌ସି ଟାର୍ଗେଟ୍ କରିଛି। ଯେଉଁଠି ବି କେହି ସନ୍ଦିଗ୍ଧ ଥିବା ସନ୍ଦେହ କରାଯାଉଛି ବା କେହି ବାହାର ରାଜ୍ୟରୁ ଫେରିଛନ୍ତିି ସେମାନଙ୍କର ତଥ୍ୟ ବିଏମ୍‌ସିକୁ ଦେବାକୁ କୁହାଯାଇଛି।

ଆଜି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ରାଜଧାନୀର ବିଭିନ୍ନ ହଷ୍ଟେଲ୍‌ରେ ଅଚାନକ ପରିଦର୍ଶନ କରାଯିବ। କେହି ସନ୍ଦିଗ୍ଧ ଯେପରି ଲୁଚି ରହିବେନି ତାହାକୁ ଧ୍ୟାନ ଦେବୁ। ସମସ୍ତ ଜନଗହଳି ସ୍ଥାନରେ ଚେକିଂ ହେବ। କେହି ଯେପରି କୋଭିଡ୍‌ କଟକଣା ଉଲ୍ଲଂଘନ କରିବେନି ତାହା ଉପରେ ନଜର ରଖିବୁ।

ବିଏମ୍‌ସିର ଉତ୍ତର ଜୋନ୍ ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ କହିଛନ୍ତି ଯେ, ଆଜି ବିଭିନ୍ନ ହୋଟେଲ, ମଲ୍‌ ଓ ଜନଗହଳି ସ୍ଥାନରେ ଚଢ଼ଉ କରାଯାଇଛି। ଏଥିପାଇଁ ଦୁଇଟି ସ୍କ୍ବାଡ୍‌ ଗଠନ ହୋଇଛି। ଏହି ସ୍କ୍ବାଡ୍‌ ଏବେ ଲୋକଙ୍କୁ ସଚେତନ କରୁଛନ୍ତି। ‌ଯିଏ ନିୟମ ନ ମାନିବେ ତାଙ୍କଠାରୁ ଜରିମାନା ଆଦାୟ କରିବେ।

ସମ୍ବନ୍ଧିତ ଖବର