‌କୋଭିଡ୍‌ କଟକଣା ଉଲ୍ଲଙ୍ଘନ: ୨୪ ଘଣ୍ଟା ପାଇଁ ଇନ୍ଦ୍ରଧନୁ ମାର୍କେଟ୍‌ ସିଲ୍, ସୋମବାର ଖୋଲିବ

ଭୁବନେଶ୍ବର: ଯେତେ କହିଲେ ବି ଲୋକେ ମାନୁ ନାହାନ୍ତି। ହାଟ ବଜାରରେ ଅସମ୍ଭାଳ ଭିଡ଼ କରୁଛନ୍ତି। ତେଣୁ ବିଏମ୍‌ସି ଓ ବିଡିଏର ସ୍କ୍ବାଡ୍‌ ଆଜି ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପା‌ଇଁ ବନ୍ଦ କରିଦେଇଛନ୍ତି। ଏଠାରେ କୋଭିଡ୍‌ କଟକଣା ଉଲ୍ଲଂଘନ ହେଉଥିବାରୁ ବିଏମ୍‌ସି ବାରମ୍ବାର ବ୍ୟବସାୟୀମାନଙ୍କୁ ଚେତାବନୀ ଦେଇ ଆସୁଥିଲା। କିନ୍ତୁ ବ୍ୟବସାୟୀ ଓ ଗ୍ରାହକଙ୍କ ଆଚରଣରେ ପରିବର୍ତ୍ତନ ନ ହେବାରୁ ଆଜି ପୂରା ମାର୍କେଟ୍‌କୁ ୨୪ ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଛି। ଆସନ୍ତାକାଲିଠାରୁ ଦୁଇଦିନିଆ ସପ୍ତାହାନ୍ତ ସଟ୍‌ଡାଉନ୍‌। ତେଣୁ ୩ ଦିନ ପରେ ଆସନ୍ତା ସୋମବାର ଦିନ ମାର୍କେଟ୍‌ ଖୋଲିବ ବୋଲି ସୂଚନା ମିଳିଛି।

‌‌ତେବେ ବିଡିଏ ଓ ବିଏମ୍‌ସିର ଏହି ପଦକ୍ଷେପକୁ କିଛି ବ୍ୟବସାୟୀ ସମର୍ଥନ କରିଛନ୍ତି। ମାର୍କେଟ୍‌ ପରିସରରେ ପରିବା ବେପାର କରୁଥିବା ବାସୁଦେବ ସାହୁଙ୍କ କହିବାନୁସାରେ, ଯେତେ‌ କହିଲେ ବି ଲୋକମାନେ ନିୟମ ମାନୁ ନଥିଲେ। ତେଣୁ ବିଏମ୍‌ସି ଏହାକୁ ବନ୍ଦ କରି ଭଲ କରିଛି। ତେବେ ଏମିତି ପଦକ୍ଷେପ ନେବା ପୂର୍ବରୁ ବ୍ୟବସାୟୀମାନଙ୍କୁ ଆଗୁଆ ସୂଚନା ଦେବାର ଥିଲା। ଏହାଦ୍ବାରା ଆମ ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ କ୍ଷତି ହୋଇଛି। ଆସନ୍ତାକାଲିଠାରୁ ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିବାରୁ ଆଜି ବେପାର ପାଇଁ ଅଧିକ ଜିନିଷ ଆଣିଥିଲୁ। କିନ୍ତୁ ଅତର୍କିତ ଭାବେ ମାର୍କେଟ୍‌ ବନ୍ଦ କରି ଦିଆଯିବାରୁ ସେସବୁ ନଷ୍ଟ ହୋଇଯିବ। ସେହିପରି ପ୍ଲାଷ୍ଟିକ୍‌ ସାମଗ୍ରୀ ବିକ୍ରି କରୁଥିବା ଜଣେ ଦୋକାନୀ ଶରତ ଚନ୍ଦ୍ର ଦାସ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, କିଛି ଅମାନିଆଙ୍କ ପାଇଁ ଆମେ ସମସ୍ତେ ପ୍ରଭାବିତ ହେଉଛୁ। ତେବ‌େ ପୂରା ମାର୍କେଟ୍‌କୁ ବନ୍ଦ ନ କରି ଯେଉଁଠି ନିୟମ ଉଲ୍ଲଂଘନ କରାଯାଉଛି, ସେହି ଦୋକାନକୁ ବନ୍ଦ କରାଯିବାର ଥିଲା। ଏମିତି ହେବା ଦ୍ବାରା ଆମ ଦାନାପାଣି ବନ୍ଦ ହୋଇଯିବ।

ସମ୍ବନ୍ଧିତ ଖବର