କୋଭିଡ୍‌ ହସ୍ପିଟାଲ ସମ୍ପର୍କରେ ଅଡିଓ ଭାଇରାଲ ଘଟଣା, କ୍ୟାପିଟାଲ ଥାନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ

ଗିରଫ ଦୁଇ ବ୍ୟକ୍ତିଙ୍କୁ ମୁକ୍ତ କରାଯାଉ: ବିଜେପି

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆଜି ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଛି। ସମ୍ପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଛି, ଭାଇରାଲ୍ ଅଡିଓ ମାମଲାରେ ଦସ୍ତାବିଜ୍ ଦାଖଲ କରିବା ଲାଗି ସେମାନଙ୍କୁ ନୋଟିସ୍ କରାଯାଇଥିଲା। ରାତି ଅଧରେ କ୍ୟାପିଟାଲ ଥାନାଧିକାରୀ ଶ୍ରୀ ଚକ୍ରବର୍ତ୍ତୀ ନୋଟିସ୍ କରିବା ସହ ଦସ୍ତାବିଜ୍ ଦାଖଲ କରିବା ପାଇଁ କହିଥିଲେ। ସମ୍ପୃକ୍ତ ଟିଭି ଚ୍ୟାନେଲର ପିଆରଓ ଥାନାକୁ ଯାଇ ଦସ୍ତାବିଜ୍ ଦାଖଲ କରିଥିଲେ ବି ଥାନାଧିକାରୀ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି। ଆଇପିସି ଦଫା-୧୬୬, ୧୬୭, ୧୯୩, ୨୧୮ରେ ମାମଲା ରୁଜୁ କରିବା ଲାଗି ଅଭିଯୋଗରେ ଅନୁରୋଧ କରାଯାଇଛି। ଅଭିଯୋଗ ସମ୍ପର୍କରେ ତାଙ୍କ ପାଖରେ କିଛି ଖବର ନ ଥିବା କହିଛନ୍ତି ଡିସିପି ଉମାଶଙ୍କର ଦାଶ।

ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ରୋଗୀ ଭର୍ତ୍ତି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ଘରୋଇ ହସ୍ପିଟାଲ ମଧ୍ୟରେ ଏକପ୍ରକାରର ବୁଝାମଣା ହୋଇଥିବା ସମ୍ପର୍କିତ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହୋଇଥିଲା। ଏହା ଏକ ବୈଦ୍ୟୁତିକ ଗଣମାଧ୍ୟମର ୱେବସାଇଟରେ ପ୍ରସାରିତ ହୋଇଥିଲା। ଏହାପରେ ବିଏମ୍‌ସି ପକ୍ଷରୁ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଅଡିଓ ଟେପ୍‌ରେ କଥା ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଦଳ ରାଜ୍ୟ ସରକାରଙ୍କୁ ଘେରିଛି। ଏହାସହ ଦାବି କରିଛି ଯେ ଗିରଫ ହୋଇଥିବା ଦୁଇ ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯାଉ। ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି ଯେ ରାଜ୍ୟ ସରକାର ନିଜ ଦୋଷଦୁର୍ବଳତା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ଯିଏ ସତ କହୁଛି ବା ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣୁଛି, ପୁଲିସ ଲଗାଇ ତାଙ୍କୁ ଗିରଫ କରାଯାଉଛି।

ଏମିତି ଭୟର ବାତାବରଣସୃଷ୍ଟି କରାଯାଉଛି ଯେ କେହି ଯେପରି ଡରିକି ସରକାରଙ୍କ ବିରୋଧରେ ମୁହଁ ଖୋଲିବେନି। ଶ୍ରୀ ସିଂହ ପ୍ରଶ୍ନ ଉଠାଇଛନ୍ତି ଯେ ଏହି ଭାଇରାଲ ଅଡିଓରେ ଏମିତି କ’ଣ ଥିଲା ଯେ ଦୁଇ ଜଣଙ୍କୁ ଗିରଫ କରାଗଲା। ଏନେଇ ବିଏମ୍‌ସି ସ୍ପଷ୍ଟ କରୁ। ଅଡିଓ କ୍ଲିପରେ ଏମିତି କୌଣସି ବି କଥା ନାହିଁ, ଯାହା ସମାଜରେ ଭୟର ବାତାବରଣ ସୃଷ୍ଟି କରିବ। ଭାଇରାଲ ଅଡିଓକୁ ପ୍ରଶାସନିକ ଅଧିକାରୀମାନେ ଭଲ ଭାବେ ଶୁଣନ୍ତୁ ଓ ବୁଝନ୍ତୁ ଏଥିରେ କ’ଣ ଅଛି ଯେ ଦୁଇଜଣଙ୍କୁ ଗିରଫ କରାଗଲା। ଦୁଇ ଜଣଙ୍କୁ ଗିରଫ କରିବା ଦ୍ବାରା ତାଙ୍କ ପରିବା‌ରଲୋକ ଚାପରେ ଅଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଆଜି ଶ୍ରୀ ସିଂହଙ୍କ ସମେତ ବିଜେପି ନେତା ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି ପ୍ରମୁଖ ଗିରଫ ହୋଇଥିବା ଲକ୍ଷ୍ମୀକାନ୍ତ ବେହେରାଙ୍କ ପରିବାର ସଦସ୍ୟଙ୍କୁ ତାଙ୍କ ଘରେ ଭେଟିଥିଲେ। ପରିବାରଲୋକଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ବିଜେପି ପରିବାର ଲୋକଙ୍କ ସହ ରହିବ ବୋଲି ଦଳୀୟ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର