ଦୁର୍ଦ୍ଦିନ‌ରେ ଘରୋଇ ସ୍କୁଲ୍‌ ଶିକ୍ଷକ, ରୋଜଗାର ହରାଇ ହତାଶ

ସରକାର ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ

ଭୁବନେଶ୍ବର : ମହାମାରୀ କରୋନାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା। ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ତେବେ ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ଆର୍ଥିକ ଅବସ୍ଥା ସବୁଠାରୁ ଗୁରୁତର ହୋଇପଡ଼ିଛି। ଠିକ୍‌ରେ ଦରମା ମିଳୁନି। କାହାକୁ ଅଧା ଦରମା‌ ମିଳୁଥିବା ବେଳେ କେତେକଙ୍କୁ ଆଦୌ ମିଳୁ ନାହିଁ। ଫଳରେ ରୋଜଗାର ହରାଇ ଘରୋଇ ବିଦ୍ୟାଳୟର ଶିକ୍ଷକମାନେ ଏବେ ହତାଶ ଅବସ୍ଥାରେ ଦିନ କାଟୁଛନ୍ତି।

ଭୁବନେଶ୍ବରରେ ପାଖାପଖି ୭୦୦ରୁ ଅଧିକ ଘରୋଇ ବିଦ୍ୟାଳୟ ରହିଛି ଓ ପ୍ରାୟ ୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରୁଛନ୍ତି। କରୋନା କଟକଣା ଯୋଗୁଁ ଶ୍ରେଣୀ ଗୃହ ପା‌ଠପଢ଼ା ବଦଳରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଚାଲିଛି। ଶିକ୍ଷକମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ାଉଛନ୍ତି। ହେଲେ ସେମାନଙ୍କ ପ୍ରାପ୍ୟ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। କିଛି ଦାମୀ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକମାନଙ୍କୁ ଅଧା ଦରମା ଦିଆଯାଉଛି। ମାତ୍ର ଅଧିକାଂଶ ବିଦ୍ୟାଳୟରେ ମୋଟେ ଦରମା ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ବିଶେଷକରି ବହୁ ଓଡ଼ିଆ ମାଧ୍ୟମ ଘରୋଇ ବିଦ୍ୟାଳୟରେ ବହୁ ଶିକ୍ଷକଙ୍କୁ ପଇସାଟିଏ ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ମଧ୍ୟ ଶିକ୍ଷକମାନଙ୍କୁ ଦରମା ଦେବାକୁ ବାହାନା କରୁଛନ୍ତି।

ଜଣେ ବେସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ କହିବା କଥା, ତାଙ୍କୁ ୮ ହଜାର ଟଙ୍କା ଦରମା ମିଳୁଥିଲା। କିନ୍ତୁ ଏବେ ମାତ୍ର ୪ହଜାର ଟଙ୍କା ମିଳୁଛି। ଘରଭଡ଼ା ସହ ରାଜଧାନୀରେ ପିଲାଛୁଆଙ୍କୁ ଧରି ଚଳିବା ବହୁ କଷ୍ଟକର ହୋଇପଡ଼ିଛି। ତେଣୁ ବାଧ୍ୟ ହୋଇ ଅନ୍ୟ କିଛି କାମ କରିବାକୁ ପଡ଼ୁଛି। ସେହିଭଳି ରସୁଲଗଡ଼ ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ କହିଛନ୍ତି ଯେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଦରମା ବାବଦରେ ଟଙ୍କାଟିଏ ବି ମିଳି ନାହିଁ। କିଛି ଦିନ ଅଧା ଦରମା ମିଳୁଥିଲା। ମାତ୍ର ପରେ ଅଭିଭାବକମାନେ ଟଙ୍କା ନଦେବାରୁ ତାଙ୍କ ଦରମା ପୂରା ବନ୍ଦ ହୋଇଯାଇଛି। ସଂକ୍ରମଣ ଭୟରେ ଘ‌ରୋଇ ଟ୍ୟୁସନ୍ ବି ବନ୍ଦ। ତେଣୁ ପରିବାର ଭରଣପୋଷଣ ପାଇଁ ତାଙ୍କୁ ଅନ୍ୟ ବୃତ୍ତି ଆଦରିବାକୁ ପଡ଼ୁଛି।

ଏହି ବର୍ଗର ଶିକ୍ଷକମାନଙ୍କ କହିବା କଥା କରୋନା ସଂକଟ ବେଳେ ତେଲେଙ୍ଗାନା ସରକାର ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମାସିକ ୨ ହଜାର ଟଙ୍କା ଏବଂ ୨୫ କେଜି ଚାଉଳ ଦେଉଛନ୍ତି। ମାତ୍ର ଓଡ଼ିଶାରେ ସେଭଳି ବ୍ୟବସ୍ଥା କରାଯାଇନାହିଁ। ଭାରତୀୟ ଶିକ୍ଷାବିକାଶ ସଂସ୍ଥାନର ସାଧାରଣ ସଂପାଦକ କରୁଣାକର ପ୍ରଧାନ କହିଛନ୍ତି ‌‌ଯେ ରାଜ୍ୟ ସରକାର ଘରୋଇ ବିଦ୍ୟାଳୟର ଶିକ୍ଷକମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଜରୁରୀ। ଫଳରେ ହଜାର ହଜାର ପରିବାର ଦୁର୍ଦ୍ଦିନରୁ ମୁକୁଳି ପାରନ୍ତେ।

ସମ୍ବନ୍ଧିତ ଖବର