କରୋନା ଉଜାଡ଼ି ଦେଲା ଅନିଲଙ୍କ ଟ୍ରାଭେଲ୍‌ସ ବ୍ୟବସାୟ : ୧୫ ପରିବାରକୁ ଦାନା ଦେଉଥିଲେ, ଏବେ ପେଟ ପାଇଁ ସଂଘର୍ଷ

ଭୁବନେଶ୍ୱର : ବଡ଼ ଭାଇଙ୍କ ଚାପୁଡ଼ା ଜୀବନର ମୋଡ଼ ବଦଳାଇ ଦେଇଥିଲା। ଜଗତସିଂହପୁରରୁ ଭୁବନେଶ୍ବର ଚାଲି ଆସି ଅଟୋ ଚଳାଇ ସଂଘର୍ଷ ଆରମ୍ଭ କରିଥିଲେ। ନିଷ୍ଠାପର ଉଦ୍ୟମ, ସଚ୍ଚୋଟତା ଯୋଗୁଁ ସେ ଅଟୋ ଚାଳକରୁ ନିଜର ଅଟୋ କିଣିଲେ। ଦୀର୍ଘ ୨୭ ବର୍ଷର ପରିଶ୍ରମ ଯୋଗୁଁ ‌ଜଣେ ଅଟୋ ଚାଳକରୁ ଟ୍ରାଭେଲସ୍‌ ବ୍ୟବସାୟ ଆରମ୍ଭ କଲେ। ଟୁଟୁ ଟ୍ରାଭେଲ୍ସ ନାମରେ ୧୩ଟି ଗାଡ଼ିର ମାଲିକ ହେଲେ। ୧୫ଜଣଙ୍କୁ ନିଜ ପାଖରେ ନିଯୁକ୍ତି ଦେଇଥିଲେ। ମାତ୍ର କରୋନା ତାଙ୍କ ସଫଳତା ଶିଡ଼ିକୁ ଟଳମଳ କଲାଣି। ଫଳରେ ଯେଉଁ ବ୍ୟକ୍ତି ଦିନେ ୧୫ପରିବାର ସମେତ ୫୦ ଜଣଙ୍କ ପେଟର ଭୋକ ମେଣ୍ଟାଉଥିଲା, ସେ ଆଜି ନିଜେ ଧରାଶାୟୀ ହୋଇଯାଇଛନ୍ତି। ଟ୍ରାଭେଲ୍‌ସ ବେପାର ବନ୍ଦ ହୋଇଯିବା ପରେ ସେ ଏବେ ଘରଘର ନେଇ ସଉଦା ଯୋଗାଇ ଗୁଜୁରାଣ ମେଣ୍ଟାଉଛନ୍ତି। କରୋନା ପ୍ରଭାବର ଆଉ ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଅନିଲ କୁମାର ଦାସଙ୍କ କ୍ଷେତ୍ରରେ।

ଜଗତସିଂହପୁର ତରଡ଼ାପଡ଼ାର ଅନିଲ ଓରଫ ଟୁଟୁ ୧୯୯୩ ମସିହାରେ ମାତ୍ର ୧୬ବର୍ଷ ବୟସରେ ଭୁବନେଶ୍ବର ଆସି ଅଟୋ ଚଳାଇଥିଲେ। ପେଟ ପାଇଁ ସଂଘର୍ଷ କରୁକରୁ ସେ ଗୋଟେ ଗାଡ଼ିରୁ ୧୩ଟି ବଡ଼ ଗାଡ଼ିର ମାଲିକ ହେଲେ। ‌ନିଜର ଟ୍ରାଭେଲସ୍‌ ସଂସ୍ଥା ଖୋଲିଥିଲେ। ରାଜଧାନୀରେ ଜୟଦେବ ବିହାରରେ ରହି ଆସୁଥିବା ଅନିଲଙ୍କ ଶୃଙ୍ଖଳାବୋଧ ଯୋଗୁଁ ୫ଶହ ସ୍କୁଲ୍‌ ପିଲାଙ୍କୁ ତାଙ୍କ ଗାଡ଼ି ସ୍କୁଲ୍‌ ନେବା ଆଣିବା କରୁଥିଲା। କିନ୍ତୁ ମାର୍ଚ୍ଚ ମାସରୁ କରୋନା ଦାଉରୁ ଯେବେ ସ୍କୁଲ୍‌ ବନ୍ଦ ହୋଇଗଲା, ଅବସ୍ଥା ବିଗିଡ଼ିଗଲା। ପର୍ଯ୍ୟଟନସ୍ଥଳକୁ ଭ୍ରମଣରେ କଟକଣା ଲାଗିବା ପରେ ଟ୍ରାଭେଲ୍‌ ସଂସ୍ଥା ବି ବନ୍ଦ ହୋଇଗଲା। ତେଣୁ ନିଜ ଭାଇମାନଙ୍କଠୁ କିଛି ଆର୍ଥିକ ସହାୟତା ନେଇ ଅନିଲ ଗତ ମେ’ ମାସରୁ ଗ୍ରୋସରି ବ୍ୟବସାୟ ଆରମ୍ଭ କରିଛନ୍ତି। ଅନ୍ୟ ପେଟକୁ ଆହାର ଯୋଗାଉଥିବା ଅନିଲ ଏବେ ଗ୍ରୋସରି ନେଇ ଅନ୍ୟମାନଙ୍କ ଦୁଆରମୁହଁରେ ପହଞ୍ଚାଉଛନ୍ତି। ତାଙ୍କ ଗାଡ଼ିରେ ଯାଉଥିବା ଛାତ୍ରଛାତ୍ରୀଙ୍କ ଘରକୁ ସେ ଏଇ କିଛି ମାସ ହେଲା ସଉଦା ଯୋଗାଇ ଆସୁଛନ୍ତି। ଦୀର୍ଘ ଦିନର ବ୍ୟବସାୟ ଅଭିଜ୍ଞତା ଯୋଗୁଁ ତାଙ୍କୁ ବଞ୍ଚିବାକୁ ଯଦିଓ ରାହା ମିଳି ଯାଇଛି, କିନ୍ତୁ ଗାଡ଼ିର କିସ୍ତି ତାଙ୍କ ଚିନ୍ତା ବଢ଼ାଇ ଦେଇଛି।

ଅନିଲ କହିଛନ୍ତି, ଏଭଳି ଦୂରାବସ୍ଥା ତାଙ୍କୁ ଯେତିକି ବାଧୁନାହିଁ ତା’ଠୁ ବେଶି ବାଧୁଛି ଗାଡ଼ିର କିସ୍ତି ପଇଠ କରିବା। ଗାଡ଼ି ନଚଳାଇ ବି ବର୍ଷକୁ ୬୦ ହଜାର ଟଙ୍କାର ବୀମା କରିବା ଓ ଅନ୍ୟାନ୍ୟ କର ସାଙ୍ଗକୁ ଗାଡ଼ି କିସ୍ତିରେ ଯୋଡ଼ି ହୋଇଥିବା ସୁଧ ଓ ସମୂଳ ସୁଧ। ସେ କହିଛନ୍ତି, ସରକାର ବହୁ ଲୋକଙ୍କ ଦୁଃଖ ଶୁଣିଲେ କିନ୍ତୁ ଆମ ଭଳି ଗାଡ଼ି ଚାଳକଙ୍କ ପ୍ରତି ସଦୟ ହେଲେ ନାହିଁ। ଯେମିତି ଆମେ ସରକାରଙ୍କ ସାବତ ପୁଅ। କେବେ ସ୍କୁଲ୍‌ ଖୋଲିବ ଏବଂ ପର୍ଯ୍ୟଟନସ୍ଥଳ ଚଳଚଞ୍ଚଳ ହେବ, ସେଥିରେ ନିଶ୍ଚିତତା ନାହିଁ। ଫଳରେ ଗାଡ଼ି ‌ବ୍ୟବସାୟ କରି ନିଜ ସହ ଅନେକଙ୍କ ପରିବାରର ଭାର ବୋହୁଥିବା ଏହିଭଳି ଅନିଲମାନଙ୍କ ଅବସ୍ଥା କେବେ ସୁଧୁରିବ ତାହା ଏବେ ବି ଅନିଶ୍ଚିତତାରେ।

ସମ୍ବନ୍ଧିତ ଖବର