ରାଜଧାନୀରେ ସଂକ୍ରମଣ ୩୦୦ ତଳକୁ ଖସିଲା

ଦିନକରେ ୨୯୦ ପଜିଟିଭ୍, ୩ ମୃତ

ଭୁବନେଶ୍ୱର : ଗତ ୫୨ଦିନ ପରେ ରାଜଧାନୀକୁ ଆଶ୍ବସ୍ତି ମିଳିଛି। ଦୈନିକ କରୋନା ସଂକ୍ରମଣ ୩ଶହ ସଂଖ୍ୟା ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୨୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଅଗଷ୍ଟ ୧୮ ତାରିଖରେ ରାଜଧାନୀରେ ପ୍ରଥମଥର ଲାଗି ୩ଶହରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରଠାରୁ କ୍ରମାଗତ ଭାବେ ସଂଖ୍ୟା ବଢ଼ି ଚାଲିଥିଲା। ଏପରିକି ଗୋଟିଏ ଦିନ ୫୮୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ଅପରପକ୍ଷ‌ରେ ଦୈନିକ ସଂକ୍ରମଣ ଖସିଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ଖସୁନାହିଁ। ଆଜି ୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ୨ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ସମୁଦାୟ ଭାବେ କରୋନା ମୃତ୍ୟୁ ସଂଖ୍ୟା ୧୧୭ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାର ୬୮ ପ୍ରତିଶତ କ‌ରୋନା ମୃତ୍ୟୁ କେବଳ ରାଜଧାନୀରୁ ହୋଇଛି। ତେବେ ଭୁବନେଶ୍ବ‌ରରେ କେସ୍ ଫାଟାଲିଟି ରେଟ୍‌ ବା ସିଏଫ୍‌ଆର ୦.୪୫ ପ୍ରତିଶତ ରହିଥିବା ବେଳେ ଖୋର୍ଧା ଜିଲ୍ଲାରେ ଏହା ୦.୩୯ ପ୍ରତିଶତ ରହିଛି। ରାଜଧାନୀରେ ସଙ୍ଗରୋଧରୁ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ୨୯୦ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୭୯ଜଣ ସଙ୍ଗରୋଧରୁ ଓ ୨୧୧ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏଥିରେ ସତ୍ୟନଗର, ବରମୁଣ୍ଡାରୁ ୧୧ଜଣ ଲେଖାଏଁ, ନୂଆପଲ୍ଲୀ ଓ ପୁରୁଣା ଭୁବନେଶ୍ବରରୁ ୧୦ ଲେଖାଏଁ ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ସଙ୍ଗରୋଧରୁ ୟୁନିଟ୍‌-୬, ୟୁନିଟ୍‌-୯, କପିଳପ୍ରସାଦ, ଜଗନ୍ନାଥ ନଗର, ଜାଗମରା, ଚକେଇସିଆଣି, କଳ୍ପନା ଛକ, ବ୍ରହ୍ମେଶ୍ବର ପାଟଣା ଓ ଅନ୍ୟ ଅଞ୍ଚଳରୁ ରୋଗୀ ରହିଛନ୍ତି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୫୨ ରୋଗୀ ସୁସ୍ଥ ହେବା ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୧,୮୯୭କୁ ବୃଦ୍ଧି ପାଇଛି। ମାତ୍ର ଏବେ ବି ୩୪୨୯ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି। ଅଗଷ୍ଟ ୨୫ ତାରିଖରେ ଭୁବନେଶ୍ବରରେ ପ୍ରଥମଥର ଲାଗି ୩ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହା ପରଠାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ହଜାର ତଳକୁ ଖସି ନାହିଁ।

ସମ୍ବନ୍ଧିତ ଖବର