ରାଜଧାନୀରେ ୧୨୦ ସ୍ଥାନୀୟ ସଂକ୍ରମିତ : ଗୋଷ୍ଠୀ ସଂକ୍ରମଣ!

ଭୁବନେଶ୍ବର : ଜୁନ୍‌ ୨୯ ତାରିଖ ସୁଦ୍ଧା ରାଜଧାନୀରେ ୩୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କିନ୍ତୁ ଏଥିରୁ ୧୨୦ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଅର୍ଥାତ୍‌ ଏହି ଆକ୍ରାନ୍ତମାନେ ବାହାର ରାଜ୍ୟ/ଦେଶକୁ ମାର୍ଚ୍ଚ ମାସଠାରୁ ଯାଇନାହାନ୍ତି କି ଫେରି ନାହାନ୍ତି। ଏମାନେ ଘରେ ସବୁ ପ୍ରକାରର ପ୍ରତିଷେଧକ ନେଇ ରହିଥିଲେ। କେବଳ ଭୁବନେଶ୍ବର ଭିତରେ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟାତ କରିଛନ୍ତି।

ବିଏମ୍‌ସିର ରିପୋର୍ଟ କହୁଛି, ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ କରୋନା ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଏବେ ଆକ୍ରାନ୍ତ ହୋଇଛନ୍ତି। ହେଲେ ଆଉ କିଛି ଲୋକଙ୍କୁ କେମିତି କରୋନା ହେଲା, ତାହା ବିଏମ୍‌ସି କର୍ତ୍ତୃପକ୍ଷ ଖୋଜି ଖୋଜି ପାଉନାହାନ୍ତି। ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିନାହାନ୍ତି, ସେମାନଙ୍କୁ କିପରି କରୋନା ହେଲା, ତାହା ବିଏମ୍‌ସି କର୍ତ୍ତୃପକ୍ଷ ଖୋଜୁ ନାହାନ୍ତି ନା ଜାଣିକି ଲୁଚାଉଛନ୍ତି, ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଲାଣି।

ଭୁବନେଶ୍ବରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲା କି? ଏ ଆଶଙ୍କା ଏବେ ସମସ୍ତଙ୍କ ମନକୁ ଆସିଲାଣି। କାରଣ ଆକ୍ରାନ୍ତଙ୍କ ପରିବାରରୁ ଯେତିକି ଲୋକଙ୍କର ପଜିଟିଭ୍ ବାହାରୁନି, ବାହାର ଲୋକ ଅଧିକ ପଜିଟିଭ୍ ବାହାରୁଛନ୍ତି। ବସ୍ତି ତ ଦୂର କଥା ଅନ୍ୟ ଅଞ୍ଚଳରେ ରହୁଥିବା ଲୋକ ବି ସଙ୍ଗରୋଧ ନିୟମ ମାନୁ ନାହାନ୍ତି। ଘରେ କ୍ବାରାଣ୍ଟିନ୍‌ ଷ୍ଟିକର୍ ଲାଗିଥିଲେ ବି ବାହାରେ ବୁଲାବୁଲି କରୁଛନ୍ତି। ସଙ୍ଗରୋଧ ନିୟମ ମାନୁ ନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଯେଉଁ ସ୍ଥିତି ହୋଇଛି, ସେଥିରେ କରୋନା ଧୀରେ ଧୀରେ ଅଣାୟତ୍ତ ସ୍ଥିତିକୁ ଗଲାଣି। ଆଜି ଏକସଙ୍ଗେ ୨୩ଜଣ ସ୍ଥାନୀୟ ସଂକ୍ରମିତ ବାହାରିବା ପରେ ରାଜଧାନୀବାସୀଙ୍କୁ ଗୋଷ୍ଠୀ ସଂକ୍ରମଣ ଭୟ ଘାରିଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ସଙ୍ଗରୋଧରେ ଥିବା ଏବଂ ସଙ୍ଗରୋଧ ଷ୍ଟିକର୍‌ ଲାଗିଥିବା ଘରୁ ଏବେ ବହୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏଥିରୁ କିଏ କ୍ଷୀର, ପରିବା ପାଇଁ ଯାଇଛନ୍ତି ତ କିଏ ଏଟିଏମ୍‌ରୁ ଟଙ୍କା ଉଠାଇବାକୁ ଯାଇଛନ୍ତି। ଯେଉଁମାନେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। କେତେକ ନିଜ ବନ୍ଧୁବାନ୍ଧବଙ୍କ ଘରକୁ ଯାଇଛନ୍ତି ଏବଂ କେ‌ତେକଙ୍କୁ ଘରକୁ ବନ୍ଧୁବାନ୍ଧବ ଆସିଛନ୍ତି। ଏପରିକି କିଛି ଲୋକ ପଡ଼ୋଶୀଙ୍କ ସହ ମିଳାମିଶା କରିଛନ୍ତି। ଯେତେବେଳେ ତାଙ୍କର କରୋନା ପଜିଟିଭ୍ ବାହାରୁଛି, ସେତେବେଳେ କହୁଛନ୍ତି ଆମେ ସତର୍କତାର ସହ ରହିଥିଲୁ। କେବଳ କିଛି ଜରୁରୀ କାମ ପାଇଁ ବାହାରକୁ ବାହାରିଥିଲୁ। କିନ୍ତୁ ସେ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପୂର୍ବରୁ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଯାଉଛି।

କେବଳ ଏତିକି ନୁହେଁ, ବସ୍ତିରେ ଯେଉଁମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି, ସେମାନେ ବାହାରକୁ କାମ କରିବାକୁ ଯାଉଛନ୍ତି। କାମ କରିବା ବେଳେ ସେଠାରେ ବହୁ ଶ୍ରମିକଙ୍କ ସହ ମିଶିଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଏହା ଏକ କାରଣ ହୋଇପାରେ।

ଏହାବାଦ୍‌ କେତୋଟି ଘରୋଇ ହସ୍ପିଟାଲର କର୍ମଚାରୀ ବସ୍ତିରେ ରହୁଥିବା ବେଳେ ସେମାନେ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି। ଚିନ୍ତାର ବିଷୟ ହେଲା, ସେମାନେ ବସ୍ତିରେ, ହସ୍ପିଟାଲରେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସ୍ଥାନୀୟ ସଂକ୍ରମଣରେ ଏହା ଅନ୍ୟ ଏକ ପ୍ରମୁଖ କାରଣ।

ସମ୍ବନ୍ଧିତ ଖବର