ଘରୋଇ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ରୋଗୀ ହନ୍ତସନ୍ତ : କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କଲେନି

ଭୁବନେଶ୍ବର : ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରରେ ବିଳମ୍ବକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରୋଗୀ ପଜିଟିଭ୍ ଚିହ୍ନଟ ହୋଇଥିବା ସଂପର୍କରେ ଦିନରୁ ସୂଚନା ଦିଆଯାଇଥିଲା। ହେଲେ ଦୀର୍ଘ ୯ଘଣ୍ଟା ବିତି ଯାଇଥିଲେ ହେଁ, ତାଙ୍କୁ ସ୍ଥାନାନ୍ତର କରାଯାଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଘରୋଇ ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ମଧ୍ୟ ରୋଗୀଙ୍କ ନିକଟକୁ ଯାଉ ନାହାନ୍ତି। ଫଳରେ ରୋଗୀ ଜଣକ ଆଇସୋଲେସନ୍‌ ୱାର୍ଡରେ ରହିଥିବା ବେଳେ ପରିବାର ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିବା ସେମାନେ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ରାଜଧାନୀର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କର କୋଭିଡ୍‌ ପରୀକ୍ଷା ପାଇଁ କହିଥିଲେ। ଆଇସୋଲେସନ୍‌ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ଦିନ ୧ଟା ସମୟରେ ସଂପୃକ୍ତ ରୋଗୀ ଜଣକ ପଜିଟିଭ୍ ଥିବା ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। କେବଳ ସଂପୃକ୍ତ ବ୍ୟକ୍ତି ନୁହନ୍ତି ଏହାବାଦ୍ ଆହୁରି ୨ଜଣ ରୋଗୀ ମଧ୍ୟ ସଂପୃକ୍ତ ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ। ତେବେ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଆମ୍ବୁଲାନ୍‌ସ ଯୋଗେ ୨ଜଣଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆସିକା ଅଞ୍ଚଳର ଏହି ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇନଥିଲା।

ସଂପୃକ୍ତ ବ୍ୟକ୍ତିଙ୍କ ପୁଅର ଅଭିଯୋଗ ଅନୁଯାୟୀ, ଦ୍ବିପ୍ରହରରେ ତାଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଥିଲା। ଯାହାଫଳରେ ବାପାଙ୍କ ନିକଟକୁ ଭେଟିବାକୁ ଦିଆଯାଇ ନ ଥିଲା। ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇ ନ ଥିଲେ ହେଁ ସ୍ଥାନାନ୍ତର କରାଯାଇ ନ ଥିଲା କି ତାଙ୍କ ଚିକିତ୍ସା କରା ଯାଉନାହିଁ। ୱାର୍ଡର ଏସିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ବିଏମ୍‌ସିର ଆମ୍ବୁଲାନ୍‌ସ ଆସିପାରୁ ନ ଥିବାରୁ ହସ୍ପିଟାଲ ଆମ୍ବୁଲାନ୍‌ସରେ ନିଆଯିବ ବୋଲି ୭୪୦ ଟଙ୍କା ନିଆଯାଇଥିଲା। ତଥାପି ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍ଥାନାନ୍ତର କରାଗଲା ନାହିଁ। ପୁଣି ଥରେ ତାଙ୍କଠାରୁ ୪ଶହ ଟଙ୍କା ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ସଂପୃକ୍ତ ହସ୍ପିଟାଲ କର୍ତୃପକ୍ଷଙ୍କ କହିବା କଥା, ଆଜି ଆଇସୋଲେସନ୍ ୱାର୍ଡରେ ୩ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ବିଏମ୍‌ସି କର୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା। ୨ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତୃତୀୟ ପଜିଟିଭ୍‌ଙ୍କୁ ସ୍ଥାନାନ୍ତର କରିବା ପାଇଁ ବିଏମ୍‌ସିକୁ କୁହାଯାଇଛି। କେବଳ ସରକାରୀ ଆମ୍ବୁଲାନ୍‌ସରେ ସଂକ୍ରମିତ ରୋଗୀଙ୍କୁ ନେବା ଲାଗି ନିୟମ ନ ଥିବାରୁ ହସ୍ପିଟାଲ ନିଜ ଆମ୍ବୁଲାନ୍‌ସ ବ୍ୟବହାର କରିପାରୁ ନାହିଁ। ବିଏମ୍‌ସି ଆମ୍ବୁଲାନ୍‌ସ ପହଞ୍ଚିବା ପରେ ତାଙ୍କୁ ସ୍ଥାନାନ୍ତର କରାଯିବ। ତେବେ ରାତି ୧୧ଟା ପର୍ଯ୍ୟନ୍ତ ପଜିଟିଭ୍ ବ୍ୟକ୍ତିଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର