ଗୋଟିଏ ଦିନରେ ରାଜଧାନୀରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ଘରୋଇ ହସ୍ପିଟାଲର ୮ କର୍ମଚାରୀ ସଂକ୍ରମିତ
କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାର କର୍ମଚାରୀ ଆକ୍ରାନ୍ତ
୯ବର୍ଷର ବାଳକ ପଜିଟିଭ୍

ଭୁବନେଶ୍ବର : ଗୋଟିଏ ଦିନରେ ରାଜଧାନୀରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜଧାନୀର ୨ ଘରୋଇ ହସ୍ପିଟାଲର ୮ଜଣ କର୍ମଚାରୀଙ୍କୁ ମିଶାଇ ସମୁଦାୟ ୧୯ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହାବାଦ୍ କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାରର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଫଳରେ ସ୍ଥାନୀୟ କର୍ମଚାରୀ ଓ ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଘରେ ସଙ୍ଗରୋଧରେ ୪ଜଣଙ୍କୁ ଚିହ୍ନଟ କରାଯାଇଛି। ସମସ୍ତ ସଂକ୍ରମିତ ପୂର୍ବତଟ ରେଳବାଇର କର୍ମଚାରୀ। ଏହାକୁ ମିଶାଇ ପୂର୍ବତଟ ରେଳବାଇର ୨୭ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇସାରିଲେଣି। ତେବେ ୧୫ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ରାଜଧାନୀ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଏକକାଳୀନ ୬ଜଣ କର୍ମଚାରୀ ପଜିଟିଭ୍ ହୋଇଛନ୍ତି। ଏହାବାଦ୍ ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ଜଣ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଡୁମୁଡୁମା ସୁବାସ ନଗରର ୫ଜଣ ବ୍ୟକ୍ତି କରୋନା ପଜିଟିଭ୍ ହେବା ପରେ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଲକ୍ଷ୍ମୀବଜାର ବସ୍ତିର ୯ବର୍ଷର ଜଣେ ବାଳକ କରୋନା ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Daily Express

ତେବେ କ୍ୟାପିଟଲ ହସ୍ପିଟାଲ ରକ୍ତ ଭଣ୍ଡାରର ଜଣେ ଟେକ୍‌ନିସିଆନ୍ ପଜିଟିଭ୍ ଚିହ୍ନଟ ହେବା ହସ୍ପିଟାଲରେ ଆତଙ୍କ ଖେଳିଯାଇଛି। ରକ୍ତଭଣ୍ଡାରକୁ ସାନିଟାଇଜ୍ କରିବା ଲାଗି ସିଲ୍ କରାଯାଇଛି। ଏହି ସମୟରେ ଯେପରି ରୋଗୀମାନେ ରକ୍ତ ପାଇଁ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବେ ନାହିଁ, ସେଥିପାଇଁ ବିକଳ୍ପ ରକ୍ତ ଭଣ୍ଡାର ସହ ଯୋଗାଯୋଗ କରାଯାଇଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି। ଯଦି ଅତି ଜରୁରୀ ହୁଏ, ତାହାଲେ ୬/୮ଘଣ୍ଟା ପରେ ରକ୍ତଭଣ୍ଡାରରୁ ରୋଗୀମାନଙ୍କୁ ରକ୍ତ ଯୋଗାଇ ଦେବେ ବୋଲି କର୍ତୃପକ୍ଷ ଲୋକମାନଙ୍କୁ ଆଶ୍ବସନା ଦେଇଛନ୍ତି। ରାଜଧାନୀରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୮୪ରେ ପହଞ୍ଚିଛି। ତହିଁରୁ ୮୬ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୯୪ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର