ଠକ ଅଭିଯୁକ୍ତ ପ୍ରଭାକର କୋଭିଡ୍‌ ପଜିଟିଭ୍: ନୋଟିସ୍ ଦେଇ ଛାଡ଼ିଲା ପୁଲିସ, ସଙ୍ଗରୋଧ ପରେ ହେବ କୋର୍ଟ ଚାଲାଣ

ଭୁବନେଶ୍ବର: କୋଟି କୋଟି ଟଙ୍କା ଠକାମି କରିଥିବା ଅଭିଯୋଗରେ ଥାନାରେ ଅଟକ ଥିବା ପ୍ରଭାକର ଜେନା କୋଭିଡ୍‌ ପିଜିଟିଭ୍ ବୋଲି ଚିହ୍ନଟ ହୋଇଛି। ତାକୁ କୋର୍ଟ ଚାଲାଣ କରିବା ପୂର୍ବରୁ ଡାକ୍ତରୀମାଇନା ବେଳେ ଏହା ଜଣାପଡ଼ିଛି। ତେଣୁ ପୁଲିସ ତାକୁ କୋର୍ଟ ଚାଲାଣ ନକରି ନୋଟିସ୍ ଦେଇ ଥାନାରୁ ଛାଡ଼ିଦେଇଛି। ସଙ୍ଗରୋଧ ସାରିବା ପରେ ତାକୁ ଥାନାରେ ହାଜର ହେବା ପାଇଁ କୁହାଯାଇଛି ଓ ସେତେବଳେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ତେବେ ଏଭଳି ଜଣେ ଅଭିଯୁକ୍ତକୁ ପୁଲିସ ନିଜ ହେପାଜତରେ ସଙ୍ଗରୋଧରେ ନରଖି ପରିବାର ଦାୟିତ୍ବରେ ଛାଡ଼ିଦେବା ଘଟଣାକୁ ନେଇ ଅଭିଯୋଗକାରୀମାନେ ଚିନ୍ତାପ୍ରକଟ କରିଛନ୍ତି। ସଙ୍ଗରୋଧରେ ରହୁରହୁ ସେ ପୁଣି ଫେରାର୍ ହୋଇଯିବ ଓ କୋର୍ଟରୁ ଆଗୁଆ ଜାମିନ୍‌ ପାଇଁ ରାସ୍ତା ଖୋଜିବାକୁ ମଉକା ପାଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କୋଟିପତି କରାଇ ଦେବାର ମୋହ ଦେଖାଇ ପ୍ରଭାକର ଲୋକଙ୍କୁ ଚୂନ ଲଗାଉଥିଲା। ଚେନ୍ନାଇରେ ପିପିଇ କିଟ୍ ଓ ମାସ୍କ ତିଆରି କରୁଥିବା କମ୍ପାନିର ମାଲିକ ବୋଲି ନିଜକୁ ପରିଚୟ ଦେଉଥିଲା। ତା’ କମ୍ପାନିରେ ପୁଞ୍ଜି ବିନିଯୋଗ କଲେ ଅଧିକ ସୁଧ ହାରରେ ଟଙ୍କା ଫେରସ୍ତ କରିବ ବୋଲି ଲୋକଙ୍କୁ ପ୍ରଲୋଭିତ କରୁଥିଲା। ଏମିତିକି ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ତା’ ପଡ଼ୋଶୀ ଡାକ୍ତର ସସ୍ମିତା ମହାପାତ୍ରଙ୍କୁ ଜାଲରେ ଫସାଇ ତାଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିଲା। ସେହିପରି ମଞ୍ଚେଶ୍ବର ଅଞ୍ଚଳର ସୌମ୍ୟଦୀପ୍ତ ନାୟକଙ୍କୁ ୫୨ଲକ୍ଷ ଟଙ୍କାର ଚୂନ ଲଗାଇଥିଲା। ଅଭିଯୋଗ ପରେ ପୁଲିସ ତାକୁ ଗିରଫ କରି ଅଧିକ ଛାନ୍‌ଭିନ୍ କରିଥିଲା। ପ୍ରାୟ ୮କୋଟିରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଥିଲା। ତେଣୁ ପୁଲିସ ତାକୁ କୋର୍ଟ ଚାଲାଣ କରିବାକୁ ବସିଥିଲା। ମାତ୍ର କୋଭିଡ୍‌ ପଜିଟିଭ୍ ‌ଚିହ୍ନଟ ହେବା ପରେ ପୁଲିସ ତାକୁ ସଙ୍ଗରୋଧ ବାହାନାରେ ଘରକୁ ପଠାଇଛି। ତାକୁ ପୁଲିସ ସିଆର୍‌ପିସି-୪୧ରେ ନୋଟିସ୍‌ ଦେଇ ପରିବାର ହେପାଜତରେ ଛାଡ଼ିଛି। ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଅଭିଯୋଗକାରୀମାନଙ୍କ କହିବା କଥା ତାକୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରି ପୁଲିସ ନିଜ ହେପାଜତରେ ରଖିବା କଥା। ତାକୁ ଛାଡ଼ିବା ପରେ ‌ସେ ଘରେ ରହୁଛି ନା କେଉଁଆଡ଼େ ଫେରାର୍‌ ହୋଇଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ ନିୟମାନୁସାରେ ପୁଲିସ କାମ କରିଛି। କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ପଦକ୍ଷେପ ନିଆଯାଇଛି। ୭ଦିନ ସଂଗରୋଧ ସରିବା ପରେ ତାକୁ ଜେଲ୍‌ ପଠାଯିବ।

ସମ୍ବନ୍ଧିତ ଖବର