ଭୁବନେଶ୍ୱର : ରାଜଧାନୀର ଗୋଟିଏ ପରେ ଗୋଟିଏ ବସ୍ତିକୁ ମାଡ଼ି ଚାଲିଛି କରୋନା। ପ୍ରତ୍ୟେକ ଦିନ ନୂଆ ନୂଆ ବସ୍ତିରୁ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସରକାରୀ ଭାବେ ଖଣ୍ଡଗିରିର ଶରଧାପଲ୍ଲୀ ବସ୍ତି ଏହି ତାଲିକାରେ ଯୋଡ଼ି ହୋଇଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ୧୩ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩୪୫ରେ ପହଞ୍ଚିଛି।
ରାଜଧାନୀରୁ ଚିହ୍ନଟ ୧୩ଜଣଙ୍କ ମଧ୍ୟରୁ ୮ଜଣ ସଙ୍ଗରୋଧ କେନ୍ଦ୍ର ଓ ୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଟଙ୍କପାଣି ରୋଡ୍ ରାଜାରାଣୀ ମନ୍ଦିର ନିକଟରୁ ଜଣେ ରାଜନେତାଙ୍କ ପରିବାରରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ରାଜନେତାଜଣକ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାସହ ଟଙ୍କପାଣି ରୋଡ୍ ବିଜୟଲକ୍ଷ୍ମୀ କଲୋନିରୁ ୨ଜଣ, ନୂଆଗାଁରୁ ୨ଜଣ ଓ ୟୁନିଟ୍-୧ ହାଇସ୍କୁଲ ନିକଟରୁ ବେଙ୍ଗାଲୁରୁ ଫେରନ୍ତା ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି। ତେବେ ଯାଜପୁର ଜିଲ୍ଲାକୁ ଯାଇ ଖଣ୍ଡଗିରି ଶରଧାପଲ୍ଲୀ ବସ୍ତିରୁ ୨୧ବର୍ଷର ମହିଳା ପଜିଟିଭ୍ ହୋଇଛନ୍ତି। ସେହିପରି ଭୀମଟାଙ୍ଗୀ ରୋଡ୍ର ୩୨ ବର୍ଷର ଜଣେ ପୁରୁଷ କଟକ ଜିଲ୍ଲାକୁ ଯାଇଥିବା ବେଳେ ନୀଳାଦ୍ରିବିହାର ନିମ୍ସ ନିକଟରେ ୫୭ ବର୍ଷର ଜଣେ ବ୍ୟକ୍ତି, ଜୟଦେବ ବିହାର ନୀଳଚକ୍ରନଗରର ୧୮ ବର୍ଷର ଯୁବତୀ ଓ ସାଲିଆସାହିର ରେଳବାଇର ୫୫ ବର୍ଷର କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ରାଜଧାନୀରେ ଏବେ ୧୩୯ଜଣ ସକ୍ରିୟ ରୋଗୀ ଥିବା ବେଳେ ୨୦୧ଜଣ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ଆଜି ସାଲିଆସାହି ଆଦିବାସୀ ଗାଁରୁ ଜଣେ ପୁରୁଷ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି। ଆଜି ସଂଧ୍ୟାରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/slum-3.jpg)