ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଛି। ଗତ ମାର୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା ରୋଗୀ ଭୁବନେଶ୍ବରରେ ଚିହ୍ନଟ ହେବା ପରେ ପ୍ରାୟ ୬ମାସରେ ୧୫ହଜାର ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୪୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୬୫ରେ ପହଞ୍ଚିଛି। ୪୧୩ ଆକ୍ରାନ୍ତଙ୍କ ମଧ୍ୟରେ ୧୧୨ସଙ୍ଗରୋଧରୁ ଓ ୩୦୧ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ରାଜଧାନୀରେ ପ୍ରଥମଥର ଲାଗି ଏତେ ସଂଖ୍ୟକ ଲୋକାଲ କଣ୍ଟାକ୍ଟସ୍ଙ୍କୁ ଚିହ୍ନଟ କରାଯାଇଛି। ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ମଧ୍ୟରେ ୯ଜଣ ସିଆରପିଏଫ୍ କ୍ୟାମ୍ପସ୍, ୬ଜଣ ପଟିଆ, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ବରମୁଣ୍ଡା ଓ ଅନ୍ୟାନ୍ୟ ଅଞ୍ଚଳରୁ ରହିଛନ୍ତି। ଏହାସହ ୫ଟି ଘରୋଇ ହସ୍ପିଟାଲ ଓ ୟୁନିଟ୍-୪ ସିଏଚ୍ସିରୁ ଏକାଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଲୋକାଲ କଣ୍ଟାକ୍ଟସ୍ରେ ଚୁନୁକୋଳି, ମଶାଣି, ସୁଧାନିଧିଶ୍ବର, ସାଲିଆ ସାହି, ଜେଲ ମୁଣ୍ଡା ସାହି ଭଳି ବସ୍ତି ଅଞ୍ଚଳ ରହିଛି। ଏହାବାଦ୍ ଝାରପଡ଼ା, ଲକ୍ଷ୍ମୀସାଗର, ବଡ଼ଗଡ଼, ବମିଖାଲ, ନୂଆପଲ୍ଲୀ, ଆଇଆରସି ଭିଲେଜ, ଜୟଦେବ ବିହାର, ପୁରୁଣା ଭୁବନେଶ୍ବର ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ରାଜଧାନୀରେ ଆଜି ୪ଜଣ କରୋନାରେ ପ୍ରାଣ ହରାଇଥିବା ସରକାରୀ ଭାବେ ଘୋଷଣା ହୋଇଛି। ଏହାକୁ ମିଶାଇ ଭୁବନେଶ୍ବରରେ ଏ ପର୍ଯ୍ୟନ୍ତ କରୋନାରେ ୫୮ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଖୋର୍ଧା ଗ୍ରାମାଞ୍ଚଳରେ ମାତ୍ର ୨୯ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ରାଜଧାନୀରେ ଏ ପର୍ଯ୍ୟନ୍ତ ୧୦,୧୮୪ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି। ଭୁବନେଶ୍ବରରେ କରୋନା ରୋଗୀ ସୁସ୍ଥ ହାର ୬୬ ପ୍ରତିଶତ ରହିଛି। ଏହା ରାଜ୍ୟର ସୁସ୍ଥ ହାରଠାରୁ ଯଥେଷ୍ଟ କମ୍। ରାଜଧାନୀରେ ଏବେ ୫୧୧୦ ଚିକିତ୍ସିତ କରୋନା ରୋଗୀ ରହିଛନ୍ତି।