ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ପଜିଟିଭ୍, ରାଜଧାନୀରେ ୬ ହଜାର ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ରେକର୍ଡ ସଂଖ୍ୟକ ୩୭୦ ପଜିଟିଭ୍ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପହଞ୍ଚିଛି। ଗତ ୧୯ ଦିନରେ ଭୁବନେଶ୍ବରରେ ୩୨୧୬ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ତେବେ ଗତ ୨୪ଘଣ୍ଟାରେ ରାଜଧାନୀରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ପ୍ରାୟ ୪୯ ପ୍ରତିଶତ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯାହାକି ବେଶ୍ ଚିନ୍ତାଜନକ।

ଦିନକରେ ରାଜଧାନୀରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୨୦୪ଜଣ ସଙ୍ଗରୋଧରୁ ବାହାରିଛନ୍ତି। ତେବେ ଏଥିରୁ ୭ଜଣଙ୍କ ଅନ୍ୟ ରାଜ୍ୟକୁ ଯାତ୍ରା କରିଥିବାର ଇତିହାସ ରହିଛି। ଏହାସହ ଏକାଧିକ ବସ୍ତିରୁ ପୁଳା ପୁଳା ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ବାଣୀବିହାର ପଥରବନ୍ଧ ବସ୍ତିରୁ ୧୪ ଆକ୍ରାନ୍ତ ବାହାରିଛନ୍ତି। ଏହାବାଦ୍ ରାଧାକୃଷ୍ଣ ବସ୍ତିରୁ ୫, ସାମନ୍ତପୁରୀ ବସ୍ତି ଓ ହରିଜନ ବସ୍ତିରୁ ୨ ଲେଖାଏଁ, ନୀଳାଦ୍ରିବିହାର ହରେକୃଷ୍ଣ ବସ୍ତିରୁ ୩, ରିକ୍ସା କଲୋନିରୁ ୬, ପାଣ୍ଡରା ବାଳିଆପଟା ବସ୍ତିରୁ ୪, ବିଶ୍ବେଶ୍ବର ବସ୍ତି ଓ ବେହେରା ସାହିରୁ ୩ ଲେଖାଏଁ ଓ ପାର୍କ ବସ୍ତିରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ୮ ରିଜର୍ଭ ପୁଲିସ କଲୋନିରୁ ଚିହ୍ନଟ ହୋଇଛନ୍ତି। ରିଜର୍ଭ ପୁଲିସ କଲୋନିରୁ ବହୁ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି। ସେହିପରି ୭ମ ବାଟାଲିଅନ୍‌ରୁ ୪ଜଣ ରୋଗୀ ରହିଛନ୍ତି।

ମହିଳାଙ୍କ ସଂସ୍ପର୍ଶରେ ଆସି ରାଧାକୃଷ୍ଣ ବସ୍ତି ଓ ରିକ୍ସା କଲୋନିରେ ୧୧ ଆକ୍ରାନ୍ତ
ରାଧାକୃଷ୍ଣ ବସ୍ତିରୁ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ୫ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୪ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରୋଗୀ ରହିଛନ୍ତି। ସେହିପରି ରିକ୍ସା କଲୋନିରେ ମଧ୍ୟ ଜଣେ ମହିଳାଙ୍କ ସଂସ୍ପର୍ଶରେ ଏକାଧିକ ସଂକ୍ରମିତ ହୋଇଛନ୍ତି। ତହିଁରୁ ୪ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ଏହାବାଦ୍ ବାଣୀବିହାର ପଥରବନ୍ଧ ବସ୍ତିରୁ ଗୋଟିଏ ଦିନରେ ୧୪ଜଣ ଚିହ୍ନଟ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ପଡ଼ୋଶୀ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଜଣେ କିମ୍ବା ଦୁଇ ଜଣ ନୁହେଁ, ଏକାଧିକ ବ୍ୟକ୍ତିଙ୍କ କଣ୍ଟାକ୍ଟରେ ଏହି ୧୪ଜଣଙ୍କୁ ଚିହ୍ନଟ କରାଯାଇଛି।

୪୫ ପ୍ରତିଶତ ସ୍ଥାନୀୟ ସଂକ୍ରମିତ
ରାଜଧାନୀରେ ଗୋଟିଏ ଦିନରେ ୧୬୬ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଗୋଟିଏ ଦିନ ଆକ୍ରାନ୍ତଙ୍କ ପ୍ରାୟ ୪୫ ପ୍ରତିଶତ। ରାଜଧାନୀର ବିଭିନ୍ନ କଲୋନି ଓ ଅନ୍ୟ ଅଞ୍ଚଳରୁ ସ୍ଥାନୀୟ ସଂକ୍ରମିତମାନଙ୍କୁ ଚିହ୍ନଟ କରାଯାଇଛି। ନିର୍ଦ୍ଦିଷ୍ଟ ଭାଥବେ ସେମାନଙ୍କ ସଂକ୍ରମଣ ସଂପର୍କରେ ତଥ୍ୟ ନାହିଁ। ରାଜଧାନୀରେ ଏ ପର୍ଯ୍ୟନ୍ତ ୩୮୪୦ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ଏବେ ୨୨୦୧ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି। ତେବେ ଖୋର୍ଧା ଜିଲ୍ଲାରେ କରୋନା ରୋଗୀଙ୍କ ସୁସ୍ଥ ହାର ୫୬ ପ୍ରତିଶତ ଥିବା ବେଳେ ରାଜଧାନୀରେ ସୁସ୍ଥ ହାର ୬୨ ପ୍ରତିଶତରୁ ଅଧିକ ରହିଛି। ଆଜି ୨ଜଣ କରୋନା ରୋଗୀଙ୍କ ମୃତ୍ୟୁ ସରକାରୀ ଭାବେ ଘୋଷଣା କରାଯିବା ପରେ ରାଜଧାନୀରେ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର