ରାଜଧାନୀରେ ସକ୍ରିୟ ରୋଗୀ ୩ ହଜାର ନିକଟତର

ଦିନକରେ ୩୧୭ ପଜିଟିଭ୍, ସମୁଦାୟ ସଂଖ୍ୟା ୭୩୩୨, ୧୪ ମାସର ଶିଶୁ କରୋନାରେ ମୃତ!

ଭୁବନେଶ୍ୱର : ରାଜଧାନୀରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ହଜାର ନିକଟତର ହୋଇଛି। ଭୁବନେଶ୍ବରରେ ଏବେ ୨୯୦୧ ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି ବିଏମ୍‌ସି କମିସନର୍‌ ଆସନ୍ତା ସେପ୍ଟେମ୍ବର ୧୫ତାରିଖ ବେଳକୁ ରାଜଧାନୀରେ ୫ ହଜାର ସକ୍ରିୟ ରୋଗୀ ଥିବା କହିଥିଲେ। ତେଣୁ ଯେଉଁଭଳି ପ୍ରତ୍ୟେକ ଦିନ ଶତାଧିକ କରୋନା ରୋଗୀ ରାଜଧାନୀରେ ଚିହ୍ନଟ ହେଉଛନ୍ତି, ସେହି ଅନୁଯାୟୀ ରୋଗୀ ସୁସ୍ଥ ହେଉ ନ ଥିବା ଦେଖିବାକୁ ମିଳିଛି। ଏପରିକି ରାଜ୍ୟର ସୁସ୍ଥ ହାରଠାରୁ ରାଜଧାନୀରେ ସୁସ୍ଥ ହାର କମ୍ ରହିଛି।

ଗତ ୨୪ ଘଣ୍ଟାରେ ଭୁବନେଶ୍ବରରେ ୩୧୭ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ୨୨ ତାରିଖରେ ରାଜଧାନୀରେ ୩ ଶହରୁ କମ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ପୁନର୍ବାର ଏହି ସଂଖ୍ୟା ୩ ଶହ ପାର୍ କରିଛି। ଗତ ୧୯ ତାରିଖରୁ ଆଜି ପର୍ଯ୍ୟନ୍ତ ୧୬୨୫ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୩୨ରେ ପହଞ୍ଚିଛି। ସଙ୍ଗରୋଧରୁ ୨୦୬ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ରିଜର୍ଭ ପୁଲିସର ୯ଜଣ, ୟୁନିଟ୍‌-୬ ଓ ବ୍ରହ୍ମେଶ୍ବର ପାଟଣାରୁ ୬ଜଣ ଲେଖାଏଁ, ସାଲିଆସାହି ୯ଜଣ, ସହିଦନଗର ୪, କଳିଙ୍ଗନଗର ୬, ଝାରପଡ଼ା ଆଶୀର୍ବାଦ ବିହାର, ଚିନ୍ତାମଣିଶ୍ବର ୫, ଜୟଦେବବିହାର ୪, ଏମ୍‌ସରୁ ୩ଜଣ, ସତ୍ୟବିହାର, ରଶ୍ମିବିହାର ଓ ଗୋବିନ୍ଦବିହାରୁ ୩ଜଣ ଲେଖାଏଁ ଓ ରାଜଧାନୀର ଏକ ଘରୋଇ ହସ୍ପିଟାଲର ୫ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏହାବାଦ୍ ଅନ୍ୟ ଅଞ୍ଚଳରୁ ଏକାଧିକ ପଜିଟିଭ୍ ରହିଛନ୍ତି।

ସେହିପରି ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଭିଜିଲାନ୍‌ସ ଓ ୟୁନିଟ୍‌-୬ରୁ ୪ଜଣ ଲେଖାଏଁ, ସାଲିଆସାହି ୫, ବାଣୀବିହାର ପଥର ବନ୍ଧ ଓ ନୀଳାଦ୍ରିବିହାର ସୀତାନାଥ ବସ୍ତିରୁ ୪ଜଣ ଲେଖାଏଁ, ସିଆରପିଏଫ୍‌ କ୍ୟାମ୍ପସରୁ ୩ଜଣ ଲେଖାଏଁ, ଖାରବେଳନଗରରୁ ୩ଜଣଙ୍କୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରୁ ମଧ୍ୟ ସଂକ୍ରମିତ ରହିଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୪୩୮୯ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ୩୩ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଶିଶୁରୋଗ ୱାର୍ଡରୁ ୨ ଚିହ୍ନଟ
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ୱାର୍ଡରୁ ଆଜି ୨ଜଣ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ୨ଜଣ ଆକ୍ରାନ୍ତ ରୋଗୀ ବୋଲି ଜଣାପଡ଼ିଛି। ଗତକାଲି ସ୍ତ୍ରୀ ଓ ପ୍ରସୂତି ରୋଗ ୱାର୍ଡରୁ ମଧ୍ୟ ଦୁଇ ଜଣ ରୋଗୀ ପଜିଟିଭ୍ ଥିବା ଜଣାପଡ଼ିଥିଲା। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଅନେକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।

୧୪ ମାସର ଶିଶୁ କରୋନାରେ ମୃତ!
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଆଜି ଏକ ୧୪ ମାସ ଶିଶୁପୁତ୍ର କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ନୟାଗଡ଼ ଅଞ୍ଚଳର ଏହି ଶିଶୁଟି କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହେବା ପୂର୍ବରୁ ହିଁ ପ୍ରାଣ ହରାଇଥିଲା। ପରେ ହସ୍ପିଟାଲରେ କୋଭିଡ୍‌ ପରୀକ୍ଷା କରାଯିବା ପରେ ସଂପୃକ୍ତ ଶିଶୁଟି କରୋନା ସଂକ୍ରମିତ ଥିବା ଜଣାପଡ଼ିଥିବା ହସ୍ପିଟାଲ ଫାଣ୍ଡି ସୂତ୍ରରୁ ଜଣାପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେବା ପରେ ହିଁ ଶିଶୁପୁତ୍ରର ମୃତ୍ୟୁ କରୋନା ଜନିତ କିମ୍ବା ଅନ୍ୟ କୌଣସି ରୋଗରେ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରିବ। ବଡ଼ଗଡ଼, ଖଣ୍ଡଗିରି ଓ ଇନ୍‌ଫୋସିଟି ଥାନା ଅଧୀନରେ ମଧ୍ୟ ଗୋଟିଏ ଲେଖାଏଁ କରୋନା ମୃତ୍ୟୁ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର