ରାଜଧାନୀର ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ଏବେ ଅଧିକ ଆକ୍ରାନ୍ତ, ନୂଆପଲ୍ଲୀ ଅଞ୍ଚଳରେ ସର୍ବାଧିକ

ଭୁବନେଶ୍ୱର : ରାଜଧାନୀରେ ଆଜି ସୁଦ୍ଧା ୫୨୮୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୧୮୨୩ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏଥିରୁ ଉତ୍ତର ଜୋନରେ (ଚନ୍ଦ୍ରଶେଖରପୁର, ରସୁଲଗଡ଼, ପାହାଳ ପର୍ଯ୍ୟନ୍ତ ଅଞ୍ଚଳରେ) ୫୩୦ଜଣ, ଦକ୍ଷିଣ-ପୂର୍ବ ଜୋନରେ (ସାମନ୍ତରାପୁରରୁ ରାଜଭବନ ପର୍ଯ୍ୟନ୍ତ ଏବଂ ଜାତୀୟ ରାଜପଥ-୧୬ ମଧ୍ୟରେ) ୬୩୪ଜଣ ଏବଂ ଦକ୍ଷିଣ-ପଶ୍ଚିମ ଜୋନରେ (ଡୁମଡୁମାରୁ ନୂଆପଲ୍ଲୀ, ଓୟୁଏଟି ପର୍ଯ୍ୟନ୍ତ ଅଞ୍ଚଳ) ସର୍ବାଧିକ ୬୫୯ ଜଣ ଆକ୍ରାନ୍ତ ଅଛନ୍ତି। ନୂଆପଲ୍ଲୀ ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ଏବେ ରାଜଧାନୀର ସବୁଠୁ ହଟସ୍ପଟ୍‌ ଅଞ୍ଚଳ ପାଲଟିଛି। ସେହିପରି ଉତ୍ତର ଜୋନ୍‌ରେ ସାଲିଆସାହି ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ସବୁଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗାଡ଼ି ସୋ’ ରୁମ୍‌ରୁ ୨୨ ପଜିଟିଭ୍!
ଭୁବନେଶ୍ୱର : ଭୁବନେଶ୍ବର-କଟକ ଜାତୀୟ ରାଜପଥରେ ଥିବା ଏକ ଗାଡ଼ି ସୋ’ରୁମ୍‌ରୁ ୨୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସଂପୃକ୍ତ ଗାଡ଼ି ସୋ’ରୁମ୍‌ରେ ଏତେସଂଖ୍ୟକ କର୍ମଚାରୀ କିଭଳି ସଂକ୍ରମିତ ହେଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସଂପୃକ୍ତ ସୋ’ରୁମ୍‌ ସିଲ୍‌ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ବାଲିପାଟଣାରୁ ୩ଦିନରେ ୨୫ ଚି଼ହ୍ନଟ
ବାଲିପାଟଣା : ବାଲିପାଟଣାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମଝିହରା ଓ ଭାକରସାହି ପଞ୍ଚାୟତରୁ ଗତ ଗୁରୁବାର ୧୧ ଜଣ ପଜିଟିଭ୍‌ ଚି଼ହ୍ନଟ ହୋଇଥିଲେ। ଏହି ୨ ପଞ୍ଚାୟତରୁ ଶୁକ୍ରବାର, ଶନିବାର ଓ ରବିବାର ୩ଦିନରେ ଆଉ ୨୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମଝିହରା ପଞ୍ଚାୟତର ୧୩ ଏବଂ ଭାକରସାହି ପଞ୍ଚାୟତରୁ ୧୨ଜଣ ପଜିଟିଭ ଚି଼ହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି। ମଝିହରା ସରପଞ୍ଚ ନାରୟଣ ସାହୁଙ୍କ ତରଫରୁ ଏକ ଗାଁକୁ ୧୫ରୁ ୧୯ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି।

ଧଉଳି ପଞ୍ଚାୟତରେ ୭୦ ସ୍ବାବ ପରୀକ୍ଷା, ୪ ପଜିଟିଭ୍‌
ଧଉଳି : ଧଉଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗତକାଲି ‌କରୋନା ସ୍ବାବ ପରୀକ୍ଷା ହୋଇଥିଲା। ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କରାଯାଇଥିବା ଉକ୍ତ ଶିବିରରେ ମୋଟ ୭୦ଜଣ ବ୍ୟକ୍ତିଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ମହିଳାଙ୍କ ସମେତ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ମହିଳାମାନେ ଧଉଳି, ଲିଙ୍ଗିପୁର ଓ ଶିଶୁପାଳଗଡ଼ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି। ପୁରୁଷଜଣଙ୍କ ଜଣେ ପୁଲିସ କର୍ମଚାରୀ। ସେ ଥାନା ଗାଡ଼ି ଚଳାନ୍ତି। ତେଣୁ ଉକ୍ତ ଥାନାର ଅନ୍ୟ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସ୍ବାବ ପରୀକ୍ଷା କରାଯିବ ବୋଲି କୁହାଯାଉଛି। ଚିହ୍ନଟ ପୁଲିସ କର୍ମଚାରୀଙ୍କ ସହିତ ୩ ମହିଳା ଗୃହ ସଂଗରୋଧରେ ଥିବା ଜଣାପଡ଼ିଛି। ‌ଏହାଛଡ଼ା ଧଉଳି ପଞ୍ଚାୟତର ଅନ୍ୟ ଜଣେ ଯୁବ କଳାକାର ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ବାଲିଅନ୍ତାରୁ ୧୮ ଚିହ୍ନଟ
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରୁ ଗତକାଲି ଓ ଆଜି ଦୁଇଦିନ ମଧ୍ୟରେ ୧୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତାପଶାସନ ଓ ରଥିଜେମାର ଅଧିକାଂଶ ଆକ୍ରାନ୍ତ ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରେ ପ୍ରତାପଶାସନ ପଞ୍ଚାୟତର ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଥିବା ଜଣାପଡ଼ିଛି। ଏଥିସହ ଝିଣ୍ଟିଶାସନ, ସରକଣା, ଜୟଦେବ ଓ ପ୍ରତାପଶାସନ ପଞ୍ଚାୟତର ୪ ଜଣ ଅଙ୍ଗନବାଡ଼ି ସହାୟିକାଙ୍କ ସ୍ବାବ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସମସ୍ତେ ଗୃହ ସଂଗରୋଧରେ ଚିକିତ୍ସାଧୀନ ଥିବା କୁହାଯାଇଛି।

ସମ୍ବନ୍ଧିତ ଖବର